ARTICLE AD BOX
ନୂଆଦିଲ୍ଲୀ : ୱେବସାଇଟ୍ ହ୍ୟାକ୍ କରି ପ୍ରାୟ ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କରିବା ଏବଂ ତାହାକୁ ଡାର୍କ ୱେବ୍ରେ ୫୦୦ ଡଲାରରେ ବିକ୍ରି କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ହରିୟାଣାର ବଲ୍ଲଭଗଡ଼ରୁ ଜଣେ ୧୪ ବର୍ଷୀୟ ନାବାଳକକୁ ଅଟକ ରଖିଛି । ତଦନ୍ତରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ନାବାଳକ ଜଣକ ଏକ ୱେବସାଇଟ୍ ହ୍ୟାକ୍ କରି ଏହି ତଥ୍ୟ ହାସଲ କରିଥିଲା । ପୂର୍ବତନ ଅଗ୍ନିବୀରମାନେ ନିଜର ନାମ ପଞ୍ଜୀକରଣ କରିବା ସହ ଅନ୍ୟ ସରକାରୀ ବିଭାଗରେ ଥିବା ଖାଲି ପଦବି ଖୋଜିବା ପାଇଁ ଏହି ୱେବସାଇଟ୍ଟି ପ୍ରସ୍ତୁତ କରାଯାଇଥିଲା ।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାବାଳକ ଜଣକ ଡାର୍କ ୱେବ୍ରେ ଏକ ବିଜ୍ଞାପନ ପୋଷ୍ଟ କରି ନିଜ ପାଖରେ ପ୍ରାୟ ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଥିବା ଦାବି କରିବା ସହ ୫୦୦ ଡଲାର ବିନିମୟରେ ଏହାକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା । କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବ୍ୟବହାର କରି ସେ ଏହି ତଥ୍ୟ ହାସଲ କରିଥିବା ଅଧିକାରୀମାନେ କହିଛନ୍ତି । ଦିଲ୍ଲୀ ପୁଲିସର ‘ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ’ (ଆଇଏଫ୍ଏସ୍ଓ) ୟୁନିଟ୍ ସମ୍ପୃକ୍ତ ନାବାଳକର ଡିଜିଟାଲ ଉପକରଣରୁ ଏହି ତଥ୍ୟ ଜବତ କରିଛି ।
ୱେବସାଇଟ୍ରୁ ଚୋରି ହୋଇଥିବା ତଥ୍ୟର ସତ୍ୟତା ନେଇ ପୁଲିସ ବର୍ତ୍ତମାନ ଯାଞ୍ଚ ଚଳାଇଛି । ଜବତ ହୋଇଥିବା ତଥ୍ୟର ସଠିକତା ପ୍ରମାଣିତ କରିବା ଏବଂ ସରକାରୀ ରେକର୍ଡ ସହ ମିଳାଇ ଦେଖିବା ପାଇଁ ପୁଲିସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇ ଅଗ୍ନିବୀରମାନଙ୍କର ସରକାରୀ ଡାଟାବେସ୍ ମଗାଯାଇଛି । ଆଇନଗତ ପ୍ରକ୍ରିୟା ଅନୁଯାୟୀ ନାବାଳକକୁ ପ୍ରଥମେ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା ଏବଂ ପ୍ରାଥମିକ ଜେରା ପରେ ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ୪ ବର୍ଷିଆ କାର୍ଯ୍ୟକାଳ ପାଇଁ ଯବାନମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ କେନ୍ଦ୍ର ସରକାର ୨୦୨୨ ଜୁନ୍ ମାସରେ ‘ଅଗ୍ନିପଥ’ ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ ମନୋନୀତ ହେଉଥିବା ‘ଅଗ୍ନିବୀର’ମାନଙ୍କୁ ସମ୍ପୃକ୍ତ ବାହିନୀରେ ମୁତୟନ କରାଯିବା ପୂର୍ବରୁ ସାମରିକ ତାଲିମ ପ୍ରଦାନ କରାଯାଇଥାଏ ।

4 hours ago
1


