ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ପଦୋନ୍ନତିରୁ ବଞ୍ଚିତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ ଶେଷରେ ସାମୟିକ ବିରତି ମିଳିଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିଛନ୍ତି। ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ସମେତ ବିଭିନ୍ନ ଅଞ୍ଚଳର ପଦୋନ୍ନତିରୁ ବାଦ ପଡ଼ିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆଜି ମାଲକାନଗିରିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା କାଉନସେଲିଂକୁ ବିରୋଧ କରି ଧାରଣା ଦେଇଥିଲେ। ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ଏବଂ ନିଜ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ ଉଠାଇ ସେମାନେ ତୁରନ୍ତ କାଉନସେଲିଂ ବନ୍ଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ।
ଦୀର୍ଘ ସମୟ ଧରି ଧାରଣା ଚାଲିବା ପରେ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷକମାନେ ପଦୋନ୍ନତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅନଲାଇନ୍ ଓ ଲିଖିତ ଭାବେ ଶିକ୍ଷା ବିଭାଗକୁ ପ୍ରଦାନ କରିଥିବା ସତ୍ତ୍ୱେ ସେମାନଙ୍କୁ ପଦୋନ୍ନତିରୁ ବଞ୍ଚିତ କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଆଲୋଚନା ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଏହି ସମସ୍ୟାର ସମାଧାନ ଏକ ମାସ ମଧ୍ୟରେ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।
Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍
ଡିଏଲ୍ଭିସି ବୈଠକ ପରେ ଯୋଗ୍ୟ ଶିକ୍ଷକମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଶିକ୍ଷା ବିଭାଗର ଏହି ଆଶ୍ୱାସନ ପରେ ଆନ୍ଦୋଳନକାରୀମାନେ ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ପ୍ରତିଶ୍ରୁତିରେ ଥମିଲା ଆନ୍ଦୋଳନ, ଏବେ ଶିକ୍ଷକଙ୍କ ନଜର ପଦୋନ୍ନତି ଓ ନ୍ୟାୟ ଉପରେ।

1 hour ago
1


