ARTICLE AD BOX
ଭୁବନେଶ୍ୱର: ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଗୌରବମୟ ମୁହୂର୍ତ୍ତ। ଅଖିଳ ଭାରତୀୟ ବୃତ୍ତି ପରୀକ୍ଷା-୨୦୨୬ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଓଡ଼ିଶାର ୪ଜଣ ପ୍ରଶିକ୍ଷାର୍ଥୀଙ୍କୁ ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନଠାରେ ଆୟୋଜିତ ପଞ୍ଚମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି।
ସମ୍ମାନିତ ହୋଇଥିବା ପ୍ରଶିକ୍ଷାର୍ଥୀମାନେ ହେଲେ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଆଇ.ଟି.ଆଇ, କଟକର ଅଭିଜିତ ଦାସ ଏବଂ ସରକାରୀ ଆଇ.ଟି.ଆଇ, ପୁରୀର ସୁପ୍ରୀତି ମହାପାତ୍ର। ସେହିପରି ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାର ସମିଦା ବେଗମ୍ ଓ ସଚିନ କୁମାର ମଧ୍ୟ ଏହି ଜାତୀୟ ସମ୍ମାନ ହାସଲ କରିଛନ୍ତି। ଭାରତ ସରକାରଙ୍କ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ପକ୍ଷରୁ ଦେଶର ଆଇ.ଟି.ଆଇ.ଗୁଡ଼ିକୁ ନେଇ ଆୟୋଜିତ ଅଖିଳ ଭାରତୀୟ ବୃତ୍ତି ପରୀକ୍ଷାରେ ନିଜ ନିଜ ଟ୍ରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଏହି ୪ଜଣ ପ୍ରଶିକ୍ଷାର୍ଥୀ ଜାତୀୟସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ଦେଶର ୫୨ ଜଣ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇବା ସହ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି।
WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା
ସରକାରୀ ଆଇଟିଆଇ, କଟକର ଅଭିଜିତ ଦାସ କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍ ଅଧୀନରେ ୱେଲ୍ଡର୍ ଟ୍ରେଡରେ ୬୦୦ରୁ ୬୦୦ ନମ୍ବର ରଖି ପୂର୍ବ ଭାରତର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ମାନ୍ୟତା ହାସଲ କରିଛନ୍ତି। ସେହିପରି ସରକାରୀ ଆଇ.ଟି.ଆଇ, ପୁରୀର ସୁପ୍ରୀତି ମହାପାତ୍ର ମେକାନିକ୍ ମୋଟର ଭେହିକିଲ୍ ଟ୍ରେଡରେ ୧୨୦୦ରୁ ୧୧୯୪ ନମ୍ବର ରଖି ଦେଶର ଶ୍ରେଷ୍ଠ ମହିଳା ପ୍ରଶିକ୍ଷାର୍ଥୀ ଭାବେ ଗୌରବ ଅର୍ଜନ କରିଛନ୍ତି। ସେହିପରି କ୍ରାଫ୍ଟ ଇନ୍ଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍ ଅଧୀନରେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାର ସମିଦା ବେଗମ୍ (କମ୍ପ୍ୟୁଟର ସଫ୍ଟୱେର୍ ଆପ୍ଲିକେସନ୍) ଏବଂ ସଚିନ କୁମାର (ଇଲେକ୍ଟ୍ରୋନିକ୍ସ ମେକାନିକ୍) ନିଜ ନିଜ ଟ୍ରେଡରେ ପୂର୍ବ ଭାରତର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ସ୍ୱୀକୃତି ଲାଭ କରିଛନ୍ତି।
ଏହି ସଫଳତା ରାଜ୍ୟର ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥାର କ୍ରମବର୍ଦ୍ଧିଷ୍ଣୁ ଗୁଣବତ୍ତାକୁ ପ୍ରତିଫଳିତ କରୁଛି। ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁସାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ସହ ଯୁବପିଢ଼ିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସର ଏହା ପ୍ରମାଣ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗତିଶୀଳ ନେତୃତ୍ୱରେ ଓଡ଼ିଶାର ଆଇ.ଟି.ଆଇ ବ୍ୟବସ୍ଥାର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ୧୦ଟି ସରକାରୀ ଆଇ.ଟି.ଆଇକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ‘ଉତ୍କର୍ଷ ଆଇଟିଆଇ’ ଭାବେ ବିକଶିତ କରାଯାଉଛି। ସେହିପରି ୨୫ଟି ସରକାରୀ ଆଇ.ଟି.ଆଇରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାନୁଷ୍ଠାନ ଆଧାରିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ବ୍ୟତୀତ, ସରକାରୀ-ଘରୋଇ ସହଭାଗିତାରେ ଆଉ ୨୨ଟି ସରକାରୀ ଆଇ.ଟି.ଆଇକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବା ସହ ୧୩ଟି ସରକାରୀ ଆଇ.ଟି.ଆଇରେ ଏ.ଆଇ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ରାଜ୍ୟର ଯୁବପିଢ଼ିଙ୍କୁ ଆଧୁନିକ ଜ୍ଞାନକୌଶଳ, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ଏବଂ ଭବିଷ୍ୟତର ନିଯୁକ୍ତି ସୁଯୋଗ ପାଇଁ ଅଧିକ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜିର ସମାରୋହରେ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।

1 hour ago
1


