‘ମଜଭୁତ ଗଣତନ୍ତ୍ର ପାଇଁ ସୁସ୍ଥ ବିତର୍କ ଜରୁରି’

2 hours ago 1
ARTICLE AD BOX

ଭୁବନେଶ୍ୱର: ଭୋଟ ମାଧ୍ୟମରେ ଆମେ ନିର୍ବାଚନରେ ଜିତିଥାଉ। ହେଲେ ସେବା ମାଧ୍ୟମରେ ହିଁ ଆମେ ଲୋକଙ୍କ ସମ୍ମାନ ଅର୍ଜନ କରିପାରିବା। ବିଧାନସଭା କେବଳ ତର୍କ-ବିତର୍କର ଏକ ମଞ୍ଚ ନୁହେଁ; ଏଠାରେ ପ୍ରସ୍ତୁତ ପ୍ରତ୍ୟେକ ନୀତି, ଉପସ୍ଥାପିତ ପ୍ରଶ୍ନ ଓ ପ୍ରଣୀତ ଆଇନରେ ଅଗଣିତ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବାର କ୍ଷମତା ରହିଛି। ଭାରତର ସମୃଦ୍ଧ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଜନପ୍ରତିନିଧିମାନଙ୍କର ଦାୟିତ୍ବ। ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ବିକାଶକୁ ଆଗକୁ ବଢ଼ାଇବା ପାଇଁ ସୁସ୍ଥ ବିତର୍କ ଓ ଗଠନମୂଳକ ସହଯୋଗ ଜରୁରି ବୋଲି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତି।

ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ବିଧାୟକମାନଙ୍କ ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହୋଟେଲ ମେ ଫେୟାର ସାଂକ୍‌ଚୁରିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପରାଷ୍ଟ୍ରପତି ନିର୍ବାଚନୀ ବିଜୟକୁ ଅର୍ଥପୂର୍ଣ୍ଣ ଜନସେବାରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଭାରତର ପ୍ରଗତିରେ ଓଡ଼ିଶାର ଉନ୍ନତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେବାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟକୁ ଏକ ବିକଶିତ, ସମୃଦ୍ଧ ଏବଂ ସମାବେଶୀ ରାଜ୍ୟରେ ପରିଣତ କରିବା ଦିଗରେ ‘ଭିଜନ୍ ଓଡ଼ିଶା ୨୦୩୬’ ସଂକଳ୍ପକୁ ସାକାର କରିବାର ଆବଶ୍ୟକତା ରହିଛି। ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ପ୍ରତ୍ୟେକ ଗାଁ ଓ ପରିବାର ନିକଟରେ ବିକାଶ ପହଞ୍ଚାଇବାରେ ଜନପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଉପରାଷ୍ଟ୍ରପତି ଆଶାପ୍ରକଟ କରିଥିଲେ।

ବୈଧାନିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବା ପ୍ରସଙ୍ଗ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଥିଲେ, ଗଣତନ୍ତ୍ରରେ ଭିନ୍ନ ମତ ରହିବା ସ୍ୱାଭାବିକ। କିନ୍ତୁ ଆମ ସମସ୍ତଙ୍କର ଗୋଟିଏ ବିଷୟରେ ସହମତି ରହିବା ଉଚିତ। ତାହା ହେଲା ଜନସାଧାରଣ ଓ ସମ୍ବିଧାନ ପ୍ରତି ଆମର ପ୍ରତିବଦ୍ଧତା। ବିତର୍କ, ଆଲୋଚନା କିମ୍ବା ବେଳେବେଳେ ସୃଷ୍ଟି ହେଉଥିବା ବ୍ୟାଘାତ ମଧ୍ୟ ଗୋଟିଏ ନିଷ୍ପତ୍ତିରେ ପହଞ୍ଚିବାରେ ସହାୟକ ହେବା ଉଚିତ। ନିରନ୍ତର ପ୍ରଶିକ୍ଷଣ ଓ ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ବୈଧାନିକ ନିୟମ ଓ ପ୍ରକ୍ରିୟା, ବଜେଟ୍ ପ୍ରକ୍ରିୟା, କମିଟି ବ୍ୟବସ୍ଥା, ସଂସଦୀୟ ପରମ୍ପରା ଏବଂ ନୈତିକତା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ। ଉପରାଷ୍ଟ୍ରପତି ପ୍ରଶ୍ନକାଳ ଓ ଶୂନ୍ୟକାଳର ଗୁରୁତ୍ୱ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ସଦସ୍ୟମାନଙ୍କ ପାଇଁ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଉଠାଇବା ଲାଗି ଏଗୁଡ଼ିକୁ ମହତ୍ୱପୂର୍ଣ୍ଣ ସୁଯୋଗ ଭାବରେ ସେ ବର୍ଣ୍ଣନା କରିଥିଲେ। ବିଧାନସଭା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରି ସେ କହିଥିଲେ, ପ୍ରଯୁକ୍ତିବିଦ୍ୟା ସହାୟତାରେ ସଂସଦୀୟ କାଗଜପତ୍ର, ପ୍ରଶ୍ନ ଓ ବିତର୍କ ଏବେ ବହୁ ଭାଷାରେ ଉପଲବ୍ଧ। ସେ ବିଧାୟକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତି କରିବା ନିମନ୍ତେ ଏଆଇ ଏବଂ ନେଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏଭଳି ଦିଗଦର୍ଶନ କାର୍ଯ୍ୟକ୍ରମ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ଏବଂ ବିଧାୟକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଉତ୍ତରଦାୟିତ୍ୱ ଦକ୍ଷତାର ସହ ନିର୍ବାହ କରିବାକୁ ସକ୍ଷମ କରିଥାଏ ବୋଲି ଶ୍ରୀ ରାଧାକ୍ରିଷ୍ଣନ୍ କହିଥିଲେ। 

ରାଜ୍ୟପାଳ ବ୍ରଜମୋହନ ରାମ କହିଥିଲେ, ଜନାଦେଶ ଜନପ୍ରତିନିଧିଙ୍କୁ ଜନତାଙ୍କ ବିଶ୍ୱାସ ଓ ଉତ୍ତରଦାୟିତ୍ୱ ପ୍ରଦାନ କରେ। ଜ୍ଞାନ, ଅନୁଶାସନ ଓ ସମ୍ବେଦନଶୀଳତା ହିଁ ସେହି ବିଶ୍ୱାସକୁ ସାର୍ଥକ ଜନସେବାରେ ରୂପାନ୍ତରିତ କରିଥାଏ। ବିଧାନସଭାର ପ୍ରଶ୍ନକାଳରେ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା, ବିଧେୟକ ଉପରେ ବିଚାର କରିବା, ସରକାରୀ ନୀତିର ସମୀକ୍ଷା କରିବା ତଥା ସଂସଦୀୟ ସମିତିଗୁଡ଼ିକର ସୁପାରିସ ଉପରେ ସମୟୋଚିତ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶା ବିଧାନସଭା କେବଳ ଆଇନ ପ୍ରଣୟନର ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତୀକ। ତେଣୁ ଗୃହର ମର୍ଯ୍ୟାଦାକୁ ରକ୍ଷାକରି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ବିଧାୟକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୨୦୨୪ ଅଗଷ୍ଟ ମାସରେ ‘ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ’ ଏବଂ ଆଜିର ଏହି ଦ୍ୱିତୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆସନ୍ତା ଶୀତକାଳୀନ ଅଧିବେଶନ ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାରେ ସହାୟକ ହେବ। ଜଣେ ବିଧାୟକଙ୍କ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ‘ବିଧେୟକ’ ବା ଆଇନ ପ୍ରସ୍ତୁତ କରିବା। ଏହା ବ୍ୟତୀତ ଦଳମତ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରୁଥିବା ବିଧାନସଭାର ସ୍ଥାୟୀ କମିଟିଗୁଡ଼ିକରେ ବିଧାୟକମାନେ ସକ୍ରିୟ ଅଂଶଗ୍ରହଣ କରି ସରକାରଙ୍କୁ ନିଜ ମତାମତ ଦେବାକୁ ସେ ପରାମର୍ଶ ଦେଇଥିଲେ। ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସଂସଦୀୟ ନିୟମ, ବିଧାନ ପ୍ରକ୍ରିୟା ଓ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଦକ୍ଷ ଓ ସଚେତନ କରିବା। ଏକ ସୁସ୍ଥ ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ଦଳ ଉଭୟଙ୍କର ଗଠନମୂଳକ ଭୂମିକା ଅପରିହାର୍ଯ୍ୟ। ଜଣେ ବିଧାୟକ କେବଳ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି ନୁହନ୍ତି, ବରଂ ସେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ବାହକ ଏବଂ ରାଜ୍ୟର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି। ଏହା ସହିତ ବିଧାନସଭାର ଅଭିଜ୍ଞତା ସହିତ ପ୍ରଶାସନିକ ଦାୟିତ୍ୱର ସମନ୍ୱୟ ଜଣେ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମଞ୍ଚାସୀନ ଥିଲେ। ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ବିଧାୟକ ଓ ସାଂସଦମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଜେଡି ଓ କଂଗ୍ରେସ ବିଧାୟକମାନେ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.