ARTICLE AD BOX
ଭୁବନେଶ୍ବର: ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ଅକ୍ଭାନ୍’ ସୃଷ୍ଟି ହୋଇଛି। ଘଣ୍ଟାପ୍ରତି ୧୦ କିମି ବେଗରେ ଆଗକୁ ବଢ଼ୁଥିବା ‘ଅକ୍ଭାନ୍’ ରାତି ୯ଟା ସୁଦ୍ଧା ଚେନ୍ନାଇଠାରୁ ୬୧୦ କିମି ପୂର୍ବ, ମଚ୍ଛଲିପଟନମ୍ଠାରୁ ୬୬୦ କିମି ଦକ୍ଷିଣ-ପୂର୍ବ, ବିଶାଖାପାଟଣାଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଓ ଗୋପାଳପୁରଠାରୁ ୭୯୦ କିମି ଦକ୍ଷିଣରେ ରହିଛି। ଏହା ଅଧିକ ଘନୀଭୂତ ହୋଇ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଅତିଭୀଷଣ ବାତ୍ୟାରେ ପରିଣତ ହେବା ସହ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିବା ସହ ଝଟକା ପବନର ବେଗ ୧୪୫ କିମି ପର୍ଯ୍ୟନ୍ତ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି।
ରିପୋର୍ଟ ଲେଖାଯିବା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେଉଛି। ମଝିରେ ମଝିରେ ଝଟକା ପବନର ବେଗ ୯୦ କିମି ପହଞ୍ଚୁଛି। ‘ଅକ୍ଭାନ୍’ ପ୍ରଭାବରେ ୧୮ ତାରିଖଠାରୁ ଓଡ଼ିଶା ପାଗରେ ପରିବର୍ତ୍ତନ ଆସିବ। ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ୬୦ କିମି ବେଗରେ ଝଟକା ପବନ ହୋଇପାରେ। ୧୯ ଓ ୨୦ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଝଟକା ପବନର ବେଗ ୭୦ କିମି ହେବାର ସମ୍ଭାବନା ରହିଛି। ସେହିପରି ୧୮ ଓ ୧୯ ତାରିଖରେ ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ତେବେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାତ୍ୟାକୁ ନଜରରେ ରଖି ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ନେଲୋର-ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁବ
ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ଆଶଙ୍କା
୧୮ ରୁ ଉପକୂଳରେ ପାଗ ବଦଳିବ
୧୯ରୁ ୨୧ ଯାଏଁ ବର୍ଷା ପବନ
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ୨୦ ତାରିଖ ଅପରାହ୍ଣରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୀଷଣ ବାତ୍ୟା ସହ ପବନର ବେଗ ଘଣ୍ଟାକୁ ୧୨୦ରୁ ୧୩୦ କିମି ଓ ଝଟକା ପବନର ବେଗ ୧୪୫ କିମି ପର୍ଯ୍ୟନ୍ତ ହୋଇପାରେ। ଏହାପରେ ବାତ୍ୟା ଦୁର୍ବଳ ହେବ। ଗତ ୨୪ ଘଣ୍ଟାରେ ଆଇଏମ୍ଡିର ଗତିପଥ ପୂର୍ବାନୁମାନ ଦୁଇ ଥର ବଦଳିଛି। ୧୫ ତାରିଖ ପୂର୍ବାନୁମାନ ତୁଳନାରେ ୧୬ ତାରିଖ ସକାଳ ଓ ପରବର୍ତ୍ତୀ ପୂର୍ବାନୁମାନରେ ବାତ୍ୟାର ଗତିପଥ କ୍ରମାଗତ ଭାବେ ଦକ୍ଷିଣ-ପଶ୍ଚିମକୁ ଘୁଞ୍ଚିଛି। ୧୮ ତାରିଖଠାରୁ ବାତ୍ୟାର ପଶ୍ଚିମ ଦିଗକୁ ଗତି ବଢ଼ିବ। କାକିନାଡ଼ା ଓ ମଛଲିପଟ୍ଟନମ୍ ମଧ୍ୟରେ ଉପକୂଳରେ ସ୍ଥଳଭାଗ ଛୁଇଁଲେ ଏହାର ମୁଖ୍ୟ ବର୍ଷା ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ରହିପାରେ। ବାତ୍ୟାର କେନ୍ଦ୍ରଠାରୁ ଉତ୍ତର ଦିଗକୁ ବର୍ଷା ସୃଷ୍ଟିକାରୀ ମେଘମାଳା ପ୍ରାୟ ୩୫୦ରୁ ୪୫୦ କିମି ପର୍ଯ୍ୟନ୍ତ ବିସ୍ତାର ହେବାକୁ ଥିବାରୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବାତ୍ୟାର ବାହାର ମେଘମାଳା ଗଞ୍ଜାମ ଓ ଗଜପତିରେ ପହଞ୍ଚିଲେ ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟାର ବାହାର ମେଘମାଳା ସ୍ଥଳଭାଗ ଭିତରକୁ ବିସ୍ତାର ହେଲେ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

16 minutes ago
1


