ARTICLE AD BOX
ଜାନକୀଶ ବଡ଼ପଣ୍ଡା
ପୁରାତନ ପ୍ରାଚୀ ସଭ୍ୟତାର ମୂକସାକ୍ଷୀ ‘ନିଆଳି’ ତଥା ଆଖପାଖ ଗ୍ରାମାଞ୍ଚଳରେ ଦୈନିକ ପ୍ରାୟ ୩ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିବାରୁ ଏହା ଏକ ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ କେନ୍ଦ୍ର ଭାବେ ଜଣାଶୁଣା। ସେଠାରେ ବହୁ ପରିମାଣର ଛେନା ଓ ପନିର ପ୍ରସ୍ତୁତ କରାଯାଏ, ଯାହା କଟକ, ଭୁବନେଶ୍ୱର ଓ ଆଖପାଖ ସହରଗୁଡ଼ିକର ଚାହିଦା ମେଣ୍ଟାଇଥାଏ।
‘ଓମଫେଡ’ ଏହି ଅଞ୍ଚଳରୁ ବହୁ ପରିମାଣରେ କ୍ଷୀର ସଂଗ୍ରହ କରିଥାଏ। ନିଆଳି ବ୍ଲକର ଶତାଧିକ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ଦୁଇବେଳା କ୍ଷୀର ସଂଗ୍ରହ କରାଯାଏ। ସଂଗୃହିତ କ୍ଷୀରକୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ପଠାଯାଏ। କିଛି ଘରୋଇ କ୍ଷୀର ପ୍ରକ୍ରିୟାକରଣ ସଂସ୍ଥା ମଧ୍ୟ ଏଠାରୁ କ୍ଷୀର ସଂଗ୍ରହ କରନ୍ତି। ଏହି ସମସ୍ତ ସଂସ୍ଥା ଦୁଗ୍ଧଚାଷୀଙ୍କୁ ଲିଟର ପିଛା ମୂଲ୍ୟ ପ୍ରାୟ ୪୦ ଟଙ୍କା ଦେଉଥିଲାବେଳେ, ଦୁଗ୍ଧଚାଷୀମାନେ ଅଧିକ ମୂଲ୍ୟ ପାଇବାକୁ ସ୍ଥାନୀୟ ଦୁଧ ବେପାରୀ, ମିଠା ଦୋକାନୀ ଓ ଖାଉଟିମାନଙ୍କୁ ସିଧାସଳଖ କ୍ଷୀର ବିକ୍ରି କରନ୍ତି। ବେପାରୀମାନେ ନରମ ଛେନା ଓ ପନିର ପ୍ରସ୍ତୁତ କରି ନିକଟସ୍ଥ ସହରମାନଙ୍କୁ ପଠାନ୍ତି। ଏହା ପ୍ରତିଦିନ କଟକ, ଭୁବନେଶ୍ୱର ଓ ପାହାଳ ମିଠା ବଜାରକୁ ଆସେ।
ନିଆଳିରେ ଗୋପାଳନ ପ୍ରମୁଖ ଜୀବିକା ହେବାର ଅନେକ ପ୍ରାକୃତିକ ଓ ଭୌଗୋଳିକ କାରଣ ରହିଛି। ଏହି ଅଞ୍ଚଳଟି ପ୍ରାଚୀନ ପ୍ରାଚୀ ଅବବାହିକାରେ ଅବସ୍ଥିତ। ଉର୍ବର ମାଟିରେ ଘାସ ଓ ପ୍ରାକୃତିକ ଖଣିଜଲବଣ ସମୃଦ୍ଧ ସବୁଜ ଚାରା ଭଲ ବଢ଼େ; ଯାହା ସ୍ଥାନୀୟ ଗୋମହିଷାଦିଙ୍କ ମୁଖ୍ୟ ଖାଦ୍ୟ। ଏହି ଅଞ୍ଚଳରେ ପାରମ୍ପରିକ ଭାବେ ଗୋପାଳ ସଂପ୍ରଦାୟର ଦୁଗ୍ଧଚାଷୀ ଅଧିକ ସଂଖ୍ୟାରେ ବସବାସ କରନ୍ତି। ନିଆଳି କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟାପ୍ତ ପୁଷ୍ଟିକର ପଶୁଖାଦ୍ୟ ଉପଲବ୍ଧ ହୋଇଥାଏ। ସେଥିପାଇଁ ଏଠାରେ ଉତ୍ପାଦିତ କ୍ଷୀର, ପନିର ଓ ଛେନା ସ୍ବାଦିଷ୍ଠ ତଥା ଉଚ୍ଚମାନର। ବିକ୍ରିବଟା ପାଇଁ ନିକଟରେ ବଜାର ବ୍ୟବସ୍ଥା ଉପଲବ୍ଧ।
‘ଓମଫେଡ’ ଓଡ଼ିଶା କ୍ଷୀର ବଜାରର ଏକ ପ୍ରମୁଖ ଅଂଶୀଦାର ହୋଇଥିଲେ ବି ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଦୈନିକ ୫.୧୪ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରିଥିଲା। ସମଗ୍ର ଓଡ଼ିଶାରେ ଏହି ସମୟରେ ଉତ୍ପାଦନ ହୋଇଥିଲା ସର୍ବମୋଟ ୭୪.୨୫ ଲକ୍ଷ ଲିଟର କ୍ଷୀର; ଯାହାର ୬.୯୨ ପ୍ରତିଶତ ‘ଓମଫେଡ’ ସଂଗ୍ରହ କରିଥିଲା। ଅନ୍ୟାନ୍ୟ ଘରୋଇ ସଂସ୍ଥା ମଧ୍ୟ ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ କରିଥିଲେ। ଦୁଗ୍ଧଚାଷୀମାନେ ସଂଗଠିତ ସଂସ୍ଥା ମାଧ୍ୟମରେ ମାତ୍ର ୧୨ ପ୍ରତିଶତ କ୍ଷୀର ବିକ୍ରି କରୁଥିଲାବେଳେ ବଳକା ୮୮ ପ୍ରତିଶତ କ୍ଷୀରର ବିକ୍ରିବଟା ଅଣସଂଗଠିତ ଭାବରେ ହୋଇଥାଏ।
ଏବେ ନିଆଳିରୁ ନୟାଗଡ଼ ଯିବା। ଛେନାପୋଡ଼ ପାଇଁ ନୟାଗଡ଼ ପ୍ରସିଦ୍ଧି ଅର୍ଜନ କରିଥିବାରୁ, ଜିଲ୍ଲାର କ୍ଷୀର ଉତ୍ପାଦନ ବିଷୟରେ ଆଲୋଚନା ଆବଶ୍ୟକ ମନେହୁଏ। ‘ନାବାର୍ଡ’ ପକ୍ଷରୁ ପ୍ରକାଶିତ ନୟାଗଡ଼ ଜିଲ୍ଲା ପ୍ରୋଫାଇଲରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ଦୁଗ୍ଧ ଉତ୍ପାଦନ, ଚାହିଦା ପୂରଣ ପାଇଁ ଅପର୍ଯ୍ୟାପ୍ତ ଏବଂ ଛେନାପୋଡ଼ ପାଇଁ ଅତିରିକ୍ତ ଦୁଗ୍ଧର ଆବଶ୍ୟକତା ରହିଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ତଥ୍ୟ ଅନୁସାରେ, ୨୦୧୨ ମସିହାରେ ଦୁଧିଆଳୀ ଗାଈ ଓ ମଇଁଷି ସଂଖ୍ୟା ଥିଲା ୩୯ ହଜାର; ଯାହା ୨୦୨୫ ବେଳକୁ ୧୭ ହଜାରକୁ କମିଯାଇଛି। ଜିଲ୍ଲାର ବାର୍ଷିକ ଦୁଗ୍ଧ ଉତ୍ପାଦନ ୧୪.୬୧ ହଜାର ମେଟ୍ରିକ ଟନ ବା ଦୈନିକ ପ୍ରାୟ ୪୦ ହଜାର ଲିଟର। ଏଥିମଧ୍ୟରୁ ଦୈନିକ ୧୦-୧୫ ହଜାର ଲିଟର କ୍ଷୀର ପୁରୀ ଜିଲ୍ଲା ସମବାୟ ସଂଗଠନ (ପୁମୁଲ) ସଂଗ୍ରହ କରିଥାଏ।
ଓଡ଼ିଶାରେ ଦୈନିକ ମୁଣ୍ଡପିଛା ୧୫୯ ଗ୍ରାମ କ୍ଷୀର ଉପଲବ୍ଧ ହେଲାବେଳେ, ସମଗ୍ର ଦେଶରେ ଏହାର ପରିମାଣ ୪୮୫ ଗ୍ରାମ୍। ମୁଣ୍ଡପିଛା କ୍ଷୀର ଉପଲବ୍ଧତା ଦୃଷ୍ଟିରୁ ପଞ୍ଜାବ (୧୩୧୮ ଗ୍ରାମ୍), ରାଜସ୍ଥାନ (୧୨୨୯ ଗ୍ରାମ୍), ହରିୟାଣା (୧୧୨୮ ଗ୍ରାମ୍), ମଧ୍ୟପ୍ରଦେଶ (୭୦୭ ଗ୍ରାମ୍) ହେଉଛନ୍ତି ଅଗ୍ରଣୀ। ନୟାଗଡ଼ ଜିଲ୍ଲାରେ ଦୈନିକ ମୁଣ୍ଡପିଛା ୭୦ ଗ୍ରାମ୍ କ୍ଷୀର ଉପଲବ୍ଧ ହୋଇଥାଏ।
ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, କ୍ଷୀର ଅଭାବ ଥିବା ଜିଲ୍ଲାରେ ଛେନାପୋଡ଼ ପାଇଁ ଛେନା ଆସେ କେଉଁଠୁ? ଭାପୁର ବ୍ଲକର ଛେନାପୋଡ଼ ଉତ୍ପାଦନ ସମ୍ପର୍କିତ ଏକ ବିବରଣୀରେ ପ୍ରତିଦିନ ସେଠାରେ ୨ରୁ ୩ ହଜାର ଲିଟର କ୍ଷୀର ସଂଗ୍ରହ କରାଯାଇ ସେଥିରୁ ପ୍ରାୟ ୧୫ କ୍ୱିଣ୍ଟାଲ ଛେନାପୋଡ଼ ତିଆରି ହେଉଥିବାର ଉଲ୍ଲେଖ ରହିଛି। ଉପଯୁକ୍ତ ମାନ ରକ୍ଷା କଲେ, ଏଥିରୁ ୪-୬ କ୍ୱିଣ୍ଟାଲ ଛେନାପୋଡ଼ ପ୍ରସ୍ତୁତି ସମ୍ଭବ। ଯଦି ନୟାଗଡ଼ର ଦୈନିକ ୪୦ ହଜାର ଲିଟର ଦୁଗ୍ଧରୁ ‘ଓମଫେଡ’କୁ ବିକ୍ରି ପରେ ବଳକା ୩୦ ହଜାର ଲିଟର କ୍ଷୀରକୁ କେବଳ ଛେନା କରାଯାଏ, ତେବେ ପ୍ରାୟ ୫୦ କ୍ୱିଣ୍ଟାଲ ଛେନା ମିଳିବ। ଏତିକି ଛେନାରେ ସୁଜି, ଚିନି ଓ ମସଲା ମିଶାଇ ପ୍ରସ୍ତୁତ ହେଉଥିବା ପ୍ରସିଦ୍ଧ ଛେନାପୋଡ଼ ପରିମାଣ ୬୦ କ୍ୱିଣ୍ଟାଲରୁ ଅଧିକ ହେବା ଅସମ୍ଭବ। ତେବେ, ଭାପୁର ସମେତ ନୟାଗଡ଼ ଜିଲ୍ଲାରୁ ଦୈନିକ ୫୦-୭୦ ହଜାର କିଲୋଗ୍ରାମ ଛେନାପୋଡ଼ ଉତ୍ପାଦନ ହେଉଛି କିପରି?
ନିଆଳି ହେଉ କି ନୟାଗଡ଼, ଛେନାର ମୂଳ ଉପାଦାନ କ୍ଷୀର। ତେଣୁ ପନିର ଓ ଛେନାପୋଡ଼ ଶୁଦ୍ଧତାର ପ୍ରଥମ ଆବଶ୍ୟକତା ହେଲା ଉଚ୍ଚମାନର କ୍ଷୀର। ନକଲି ଛେନା, ପନିର ଓ ଅପମିଶ୍ରଣ ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଏହି ଦୁଇ ସ୍ଥାନର ସମସ୍ୟା ନୁହେଁ; ସମଗ୍ର ରାଜ୍ୟର ଖାଦ୍ୟ ନିରାପତ୍ତା ସହିତ ଜଡ଼ିତ ଏକ ପ୍ରଶ୍ନ। ଅନେକ ଚାଷୀ ଓ ବ୍ୟବସାୟୀ ପାରମ୍ପରିକ ପଦ୍ଧତିରେ ଉଚ୍ଚମାନର କ୍ଷୀରରୁ ଛେନା ଓ ପନିର ତିଆରି କରନ୍ତି। ସେମାନଙ୍କର ପରିଶ୍ରମ ଓ ପାରମ୍ପରିକତାକୁ ସମ୍ମାନ ମିଳିବା ଆବଶ୍ୟକ।
ଦୁଗ୍ଧଜାତ ଖାଦ୍ୟରେ ଅପମିଶ୍ରଣର ଏକ ବଡ଼ କାରଣ ହେଉଛି ମୂଳ କଞ୍ଚାମାଲର ମୂଲ୍ୟ ଓ ବଜାର ଚାହିଦା। ଶୁଦ୍ଧ ଛେନା ତିଆରି କରିବାପାଇଁ ଆବଶ୍ୟକ ହୁଏ ଶୁଦ୍ଧ କ୍ଷୀର, ସମୟ, ଶ୍ରମ ଓ ଶୀତଳ ସଂରକ୍ଷଣ ବ୍ୟବସ୍ଥା। ଅନ୍ୟପକ୍ଷରେ ଗ୍ରାହକ ସବୁବେଳେ ଚାହାନ୍ତି ଯେ ଦର ଶସ୍ତା ହେଉ। ଏହି ଦୁଇଟି ଚାପର ମଧ୍ୟରେ ଯେତେବେଳେ ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇଁ ଚେଷ୍ଟା କରେ, ସେତେବେଳେ ଖାଦ୍ୟର ମାନ ହ୍ରାସ ପାଇବାର ଆଶଙ୍କା ବଢ଼ିଥାଏ।
ଅସଲି ଛେନା ଓ ପନିର ପାଇଁ ଅସଲି କ୍ଷୀର ଦରକାର। ଅସଲି କ୍ଷୀର ପାଇବାପାଇଁ ସୁସ୍ଥ ଜାତିଆ ଗୋମହିଷାଦି ଦରକାର। ଏହି ଶୃଙ୍ଖଳାର ପ୍ରଥମ ପର୍ବ ଦୁର୍ବଳ ହେଲେ ଶେଷ ପର୍ବର ଶୁଦ୍ଧତା ବିପର୍ଯ୍ୟସ୍ତ ହୋଇଥାଏ। ନିଆଳି ପନିର ଓ ନୟାଗଡ଼ ଛେନାପୋଡ଼ ଦୁଇ ଭୌଗୋଳିକ ଓ ସାଂସ୍କୃତିକ ପରିଚୟର ଅଂଶ। ଏହି ପରିଚୟକୁ ଅକ୍ଷୁଣ୍ଣ ରଖିବାକୁ ପ୍ରଥମେ ସ୍ଥିରୀକୃତ ମାନଦଣ୍ଡ ନିର୍ଦ୍ଧାରଣ ଆବଶ୍ୟକ। ଆମକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରକୁ ଯିବାକୁ ହେଲେ, କେବଳ ବ୍ୟବସାୟୀଙ୍କ ଉପରେ ଦାୟିତ୍ୱ ଲଦିପାରିବା ନାହିଁ। ଆମର ଦୁଗ୍ଧ ଉତ୍ପାଦନ ଓ ଉତ୍ପାଦକତା ବଢ଼ିବା ଦରକାର। ଉନ୍ନତ ଜାତିର ଦୁଧିଆଳି ଗାଈ, ଉନ୍ନତ ପଶୁଖାଦ୍ୟ, ଚାରା ଉତ୍ପାଦନ, ପଶୁଚିକିତ୍ସା, କୃତ୍ରିମ ପ୍ରଜନନ, ଦୁଧ ଶୀତଳୀକରଣ କେନ୍ଦ୍ର ଓ ଗ୍ରାମୀଣ ଦୁଗ୍ଧ ସମବାୟ- ଏସବୁକୁ ସମନ୍ବିତ କରିବାକୁ ହେବ। ଦୁଗ୍ଧ ଚାଷୀଙ୍କୁ ନିଶ୍ଚିତ, ନ୍ୟାୟସଙ୍ଗତ ଓ ଆକର୍ଷଣୀୟ ମୂଲ୍ୟ ମିଳିଲେ, ଉତ୍ପାଦନ ବଢ଼ିବ। ଫଳରେ ଶୁଦ୍ଧତାର ଭିତ୍ତି ମଜଭୁତ ହେବ। ଅତୀତରେ ଶୁଦ୍ଧତା କୌଣସି ପରୀକ୍ଷାଗାରରେ ମପାଯାଉ ନଥିଲା; ଶୁଦ୍ଧତା ଥିଲା ବିଶ୍ୱାସରେ। ଆଜି ସମୟ ବଦଳିଛି। ବଜାର ଓ ଚାହିଦା ବଢ଼ିଛି। ବ୍ୟବସାୟର ଆକାର ଓ ବ୍ୟାପ୍ତି ବଢ଼ିଛି। ତେଣୁ ଶୁଦ୍ଧତାକୁ ଏବେ ପରମ୍ପରା ସହିତ ବିଜ୍ଞାନ, ଗୁଣମାନ ଯାଞ୍ଚ, ଦାୟିତ୍ୱବୋଧ ଓ ଆଇନ ସହିତ ଯୋଡ଼ିବାକୁ ହେବ। ଦୁଗ୍ଧ ଉତ୍ପାଦନକୁ ଗ୍ରାମୀଣ ଅର୍ଥନୀତିର ବିକାଶ ତଥା ପୁଷ୍ଟିସାଧନ ସହ ଯୋଡ଼ିବାକୁ ହେବ। ଏହାର ପ୍ରଥମ ଭାଗୀଦାର ହେବେ ଦୁଗ୍ଧ ଚାଷୀ। ପନିର ଓ ଛେନା ପ୍ରସ୍ତୁତକାରୀ ହେବେ ଦ୍ୱିତୀୟ, ମିଠା କାରିଗର ହେବେ ତୃତୀୟ, ଗୁଣମାନ ପରୀକ୍ଷାଗାର ଓ କର୍ମଚାରୀ ହେବେ ଚତୁର୍ଥ ଏବଂ ବଜାର ହେବ ପଞ୍ଚମ ଭାଗୀଦାର। ଏହି ପାଞ୍ଚଟିକୁ ଏକାଠି କରିପାରିଲେ ଏହା ଓଡ଼ିଶାର ଏକ ବ୍ରାଣ୍ଡ୍ ତଥା ଅର୍ଥନୈତିକ ପରିଚୟ ହୋଇପାରିବ ଏବଂ ହଜାର ହଜାର ପରିବାରକୁ ସ୍ଥାୟୀ ଜୀବିକା ମିଳିବ।
କ୍ଷୀରରେ ଅପମିଶ୍ରଣ ରୋକିବାକୁ ଅଣସଂଗଠିତ କ୍ଷେତ୍ରର ପ୍ରତିଟି ସୋପାନରେ ଗୁଣବତ୍ତା ପରୀକ୍ଷା ଅତ୍ୟାବଶ୍ୟକ। ଦୁଗ୍ଧ ଚାଷୀ ଦେଉଥିବା କ୍ଷୀରକୁ ‘ଅପମିଶ୍ରଣମୁକ୍ତ’ ଭାବେ ଚିହ୍ନଟ କରାଗଲା ପରେ କିଣାଯିବା ଏବଂ ପ୍ରକ୍ରିୟାକରଣ ପୂର୍ବରୁ ଓ ପରେ ଯଥାକ୍ରମେ କ୍ଷୀର ଓ ଛେନାର ଗୁଣବତ୍ତା ପରୀକ୍ଷା କରାଯିବା ମଧ୍ୟ ଆବଶ୍ୟକ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ଓଡ଼ିଶାରେ ଅତ୍ୟାଧୁନିକ ପରୀକ୍ଷାଗାର ଓ ଭ୍ରାମ୍ୟମାଣ ପରୀକ୍ଷାଗାର ବ୍ୟବସ୍ଥା କରାଗଲେ, ଆବଶ୍ୟକ ସଂଖ୍ୟକ ଖାଦ୍ୟ ନିରୀକ୍ଷକ ନିଯୁକ୍ତି ଓ ନିୟମିତ ନମୁନା ଯାଞ୍ଚ ଚାଲୁ ରହିବ। ନିଆଳି ପନିର ଓ ନୟାଗଡ଼ ଛେନାପୋଡ଼ ପୂର୍ବ ଗୌରବ ଫେରି ପାଇବେ। ଏହା ସହିତ ଓଡ଼ିଶାର କ୍ଷୀର ଉତ୍ପାଦନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଶ୍ବାସନୀୟତା ମଧ୍ୟ ବଢ଼ିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭

1 hour ago
1


