ARTICLE AD BOX
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦକୁ ନେଇ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସୁପ୍ରିମ୍କୋର୍ଟ ରବିବାର ସ୍ୱତନ୍ତ୍ର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଆଇନଗତ ପ୍ରକ୍ରିୟା ବିନା କୌଣସି ସ୍ୱାଭାବିକ ଓ ନିରସ୍ତ୍ର ଆନ୍ଦୋଳନକାରୀଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ। ବିଶେଷ କରି କଟକଣା ଜାରି ହୋଇନଥିବା ଅଞ୍ଚଳରେ ଏକତ୍ରିତ ହେଉଥିବା ଲୋକଙ୍କ ଉପରେ ପୁଲିସ ମନମୁଖୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଏହାସହ ସୁପ୍ରିମ୍କୋର୍ଟ ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ବିଏନ୍ଏସ୍ଏସ୍ର ଧାରା ୧୬୩ ସମ୍ପର୍କିତ ସୂଚନା ବୋର୍ଡକୁ ତୁରନ୍ତ ହଟାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟ ପାଇବା କ୍ଷେତ୍ରରେ ନାଗରିକଙ୍କ ମନରେ କୌଣସି ଆଶଙ୍କା ଯେଭଳି ନହେବ ତାହାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୋର୍ଟ କହିଛନ୍ତି।
CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା
ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ସମଗ୍ର ରାଜଧାନୀରେ ମେଟ୍ରୋ ଏବଂ ଟ୍ରେନ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ ଚାଲିବ ଏବଂ ଜନସାଧାରଣଙ୍କ ମୁକ୍ତ ଚଳପ୍ରଚଳ ଉପରେ କୌଣସି ବାଧା ସୃଷ୍ଟି କରାଯାଇପାରିବ ନାହିଁ। ଏହାସହ ସହରରେ ଲଗାଯାଇଥିବା ବାରିକେଡ୍ଗୁଡ଼ିକ ରହିବ କି ହଟିବ, ସେ ନେଇ ତୁରନ୍ତ ସମୀକ୍ଷା କରି ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ମୋବାଇଲ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଅବାଧ ରଖିବାକୁ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ କହିଥିଲେ ଯେ ଗତରାତି ୧୦ଟାରୁ ହିଁ ସମସ୍ତ ୫୭ଟି ମେଟ୍ରୋ ଷ୍ଟେସନ ଖୋଲିବା ସହ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ଏବଂ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ କରାଯାଇଛି। କୋର୍ଟ ଏହି ମାମଲାରେ ଅଦାଲତ ଅବମାନନା ଆବେଦନ ଉପରେ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ୍ ଜାରି କରି ମଙ୍ଗଳବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, ପୁଲିସ ୪ କିଲୋମିଟର ଦୂରରୁ ଲୋକଙ୍କୁ ଟ୍ରେନ୍ରୁ ଉଠାଇ ନେଉଛି। ବରିଷ୍ଠ ଆଇନଜୀବୀ ସାଦନ ଫରାସତ ଅଭିଯୋଗ କରିଥିଲେ ଯେ ଗତକାଲି ସହରର ସ୍ଥିତି ଏକ ପୁଲିସ ରାଷ୍ଟ୍ର ଭଳି ଥିଲା ଏବଂ ସାଧାରଣ ନାଗରିକଙ୍କ ପ୍ରତିବାଦ କରିବାର ଅଧିକାରକୁ ଉଲ୍ଲଂଘନ କରାଯାଇଥିଲା।
ଟ୍ରେନ୍,ଇଣ୍ଟରନେଟ୍ ସେବା ସ୍ୱାଭାବିକ କର
ଆଇନଗତ ପ୍ରକ୍ରିୟା ବିନା ଗିରଫଦାରୀ ମନା
ଅଦାଲତ ଅବମାନନା ମାମଲାରେ ନୋଟିସ୍ ଜାରି
ସେହିପରି ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଭିଡିଓ ତଥ୍ୟ ଉପସ୍ଥାପନ କରି କହିଥିଲେ, ବିନା ବ୍ୟାଜ୍ ଥିବା ପୁଲିସ କର୍ମଚାରୀମାନେ ନିରସ୍ତ୍ର ଯୁବ ଆନ୍ଦୋଳନକାରୀଙ୍କୁ ନିର୍ଦ୍ଦୟ ଭାବେ ପିଟିଛନ୍ତି। ଆଇନଜୀବୀ ସଞ୍ଜୟ ହେଗଡେ ଥାନା ଭିତରେ ଓକିଲମାନଙ୍କୁ ମାଡ଼ ମରାଯିବା ଏବଂ ମାମଲା ଦାୟର କରିବାର ଧମକ ଦିଆଯିବା ପ୍ରସଙ୍ଗ ଉଠାଇ କୋର୍ଟଙ୍କ ଗରିମା ରକ୍ଷା ପାଇଁ ଅନୁରୋଧ କରିଥିଲେ। ଜଣେ ମହିଳା ଆଇନଜୀବୀ ମଧ୍ୟ ବିନା ବ୍ୟାଜ୍ ଥିବା ମହିଳା ପୁଲିସ ତାଙ୍କୁ ଜୋରଜବରଦସ୍ତ ଜେଲ୍ ଭ୍ୟାନ୍ରେ ପୂରାଇଥିବା ଅଭିଯୋଗ କରିଛନ୍ତି।
DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର
ଆବେନକାରୀଙ୍କ ଓକିଲ ମେନକା ଗୁରୁସ୍ୱାମୀ ଯୁକ୍ତି ବାଢ଼ିଥିଲେ ଯେ ରାଜଧାନୀରେ ପ୍ରାୟ ୪୫ଟି ଅସ୍ଥାୟୀ ଜେଲ୍ ଗଠନ କରାଯାଇ ୭,୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା। କେନ୍ଦ୍ର ସରକାର ଦେଶରେ ଏକ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ୫୦ ବର୍ଷ ତଳର ଜରୁରିକାଳୀନ ପରିସ୍ଥିତିକୁ ମନେ ପକାଇ ଦେଉଛି। ଏହାର ଜବାବରେ ସଲିସିଟର ଜେନେରାଲ କହିଥିଲେ, ଅଟକଥିବା ସମସ୍ତ ଲୋକଙ୍କୁ ଛାଡ଼ି ଦିଆଯାଇଛି। ଶୁଣାଣି ସମୟରେ ବିଚାରପତି ବାଗଚି ମନ୍ତବ୍ୟ ରଖି କହିଥିଲେ, ସମ୍ବିଧାନର ଧାରା ୧୯(୨) କେବଳ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ, ସମ୍ପୂର୍ଣ୍ଣ ନିଷେଧାଦେଶ ପାଇଁ ନୁହେଁ। ଅଦାଲତ ଏହି ସମଗ୍ର ଘଟଣା ଉପରେ କେନ୍ଦ୍ର ଗୃହ ସଚିବ ଏବଂ ରେଳ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ଜବାବ ତଲବ କରିଛନ୍ତି।

1 hour ago
1


