ARTICLE AD BOX
କ୍ରିକେଟ୍ ଫିଲ୍ଡରୁ ରାଜନୀତି ମଇଦାନ । ଆରମ୍ଭ ହେଲା ଟିମ୍ ଇଣ୍ତିଆର ଷ୍ଟାର ସ୍ପିନରଙ୍କ ନୂଆ ଇନିଂସ । ବିଜେପିରେ ଯୋଗ ଦେଇଛନ୍ତି ଯୁଜଭେନ୍ଦ୍ର ଚହଲ । ପଡ଼ିଆରେ ବ୍ୟାଟରଙ୍କୁ ନିଜ ଗୁଗ୍ଲିରେ ଚକ୍ମା ଦେଉଥିବା ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ ରାଜନୀତିକୁ ନେଇ । ବିଜେପିର ଓବିସି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ଚହଲଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ମିଳିଛି । ଏହି ଖବର ପରେ କ୍ରିକେଟ୍ ଓ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଚହଲଙ୍କ କ୍ରିକେଟ୍ ଯାତ୍ରା ଯେତିକି ଚର୍ଚ୍ଚିତ, ତାଙ୍କର ଏହି ନୂଆ ଭୂମିକା ମଧ୍ୟ ସେତିକି ଚର୍ଚ୍ଚା ସୃଷ୍ଟି କରିଛି ।
ବିଜେପି ଶନିବାର ଓବିସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ପାଇଁ ନୂଆ ନିଯୁକ୍ତି ଘୋଷଣା କରିଛି । ଏଥିରେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ କରାଯାଇଛି । ତାଙ୍କ ନାମ ଦିଲ୍ଲୀ ତାଲିକାରେ ରହିଛି । ଏହା ପୂର୍ବରୁ ଚହଲ ଓବିସି ମୋର୍ଚ୍ଚାର ଜାତୀୟ ସଭାପତି ତଥା ରାଜ୍ୟସଭା ସାଂସଦ ଅମର ପାଲ ମୌର୍ଯ୍ୟଙ୍କୁ ଭେଟିଥିଲେ ।
ବିଜେପି ଓବିସି ମୋର୍ଚ୍ଚାର ଏହି ନୂତନ ତାଲିକାରେ ଦିଲ୍ଲୀ କୋଟାରୁ ଚହଲଙ୍କୁ ସାମିଲ କରାଯାଇଥିବା ବେଳେ, ଅନ୍ୟ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ ମୂର୍ତ୍ତିଶିଳ୍ପୀ ପ୍ରଫେସର ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ ଉତ୍ତରପ୍ରଦେଶର ବରିଷ୍ଠ ଆଇନଜୀବୀ ସୀମା ସମୃଦ୍ଧି କୁଶୱାହା ସ୍ଥାନ ପାଇଛନ୍ତି । ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପସଭାନେତ୍ରୀ ଭାବେ ମନୋନୀତ କରାଯାଇଛି ।
୧୪ ବର୍ଷରେ ସାଇବର ଅପରାଧ! ଚୋରି କଲା ୪ ହଜାର ଅଗ୍ନିବୀରଙ୍କ ତଥ୍ୟ
କ୍ରିକେଟ୍ କ୍ୟାରିୟରରେ ଚହଲଙ୍କ ସଫଳତା ମଧ୍ୟ କିଛି କମ୍ ନୁହେଁ । ୨୦୧୬ରେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ଏହି ଲେଗ୍ ସ୍ପିନର ୭୨ଟି ଦିନିକିଆରୁ ୧୨୧ ଓ ୮୦ଟି ଟି-୨୦ ମ୍ୟାଚ୍ରୁ ୯୬ଟି ୱିକେଟ୍ ନେଇଛନ୍ତି । ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୫ ରନ୍ ଦେଇ ୬ଟି ୱିକେଟ୍ ନେଇ ଇତିହାସ ରଚିଥିଲେ । ୨୦୨୪ରେ ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ମଧ୍ୟ ସେ ସଦସ୍ୟ ଥିଲେ । ଆଇପିଏଲ୍ରେ ୨୦୨୩ରେ ସର୍ବାଧିକ ୱିକେଟ୍ ନେବାରେ ଡ୍ୱେନ୍ ବ୍ରାଭୋଙ୍କୁ ପଛରେ ପକାଇଥିଲେ । ୨୦୨୪ରେ ପ୍ରଥମ ବୋଲର ଭାବେ ଆଇପିଏଲ୍ରେ ୨୦୦ ୱିକେଟ୍ ପୂରଣ କରିଥିଲେ ।
ଅକ୍ଟୋବର ୨୦୨୬ରେ ଚହଲ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ଅବସର ନେଇଥିଲେ । ତେବେ ଦିନିକିଆ ଓ ଟି-୨୦ରେ ଭାରତ ପାଇଁ ପୁଣି ଖେଳିବାର ଆଶା ରଖିଥିବା କହିଥିଲେ । ଏବେ ବିଜେପିର ଓବିସି ମୋର୍ଚ୍ଚାରେ ନୂଆ ଦାୟିତ୍ୱ । ତେବେ ଚହଲଙ୍କ ଏହି ନୂଆ ଇନିଂସ୍ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ।

3 hours ago
1


