ARTICLE AD BOX
ଜାନକୀଶ ବଡ଼ପଣ୍ଡା
ଭୂପୃଷ୍ଠରେ ପାହାଡ଼ ଆକାରରେ ଜମାହୋଇ ରହିଥିବା ବକ୍ସାଇଟର ଜଳଧାରଣ କ୍ଷମତା ଅକଳ୍ପନୀୟ ଭାବେ ଅଧିକ। ସତେ ଯେମିତି ବର୍ଷା ଜଳକୁ ଧରିରଖି ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପ୍ରକୃତି ଏହାକୁ ସୃଷ୍ଟି କରିଛି। ପାହାଡ଼ର ଶିଖରଦେଶ ସମତଳ ହୋଇଥିବା କାରଣରୁ ବର୍ଷାଜଳ ତୁରନ୍ତ ଗଡ଼ିଯାଏ ନାହିଁ, ବର୍ଷା ଜଳକୁ ଧରି ରଖେ ଏବଂ ଧୀରେ ଧୀରେ ପାହାଡ଼ ଭିତରେ ତଳକୁ ତଳକୁ ଯାଇ ‘କୋଣ୍ଡାଲାଇଟ’ ପଥର ସ୍ତରରେ ଜମିରହେ। ତେଣୁ ବକ୍ସାଇଟ ପାହାଡ଼କୁ ପ୍ରକୃତିର ଜଳଭଣ୍ଡାର ବା ‘ଜଳ ସ୍ପଞ୍ଜ’ ବୋଲି କୁହାଯାଏ। ସେହି କାରଣରୁ ଏହିସବୁ ପାହାଡ଼ରୁ ବାହାରିଥିବା ଝରଣା ଚିରସ୍ରୋତା ଏବଂ ପାହାଡ଼ର ମଝାମଝି ଅଞ୍ଚଳରୁ ସୃଷ୍ଟ। ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହିପରି ୫୦ରୁ ଅଧିକ ପାହାଡ଼ରୁ ସୃଷ୍ଟ ପ୍ରାୟ ଦୁଇ ହଜାର ଚିରସ୍ରୋତା ଝରଣା ଦେଖିବାକୁ ମିଳେ। ସେଥିରୁ ସୃଷ୍ଟ ନାଗାବଳୀ, ବଂଶଧାରା, ସିଲେରୁ, ଶବେରୀ ଓ ଇନ୍ଦ୍ରାବତୀ ନଦୀର ଜଳ ପ୍ରବାହ ପବିତ୍ର ଗୋଦାବରୀ ନଦୀକୁ ସମୃଦ୍ଧ କରିଛି। ବକ୍ସାଇଟ ପାହାଡ଼ ନଥିଲେ, ସମଗ୍ର ଅଞ୍ଚଳ ସମ୍ଭବତଃ ମରୁଭୂମିରେ ପରିଣତ ହୋଇଥାଆନ୍ତା।
ଆଲୁମିନିଅମ ଧାତୁ ଆହରଣ କରିବା ପାଇଁ ସେହି ବକ୍ସାଇଟକୁ କଞ୍ଚା ମାଲ ରୂପେ ବ୍ୟବହାର କରାଯାଏ। ସମଗ୍ର ବିଶ୍ବରେ ପ୍ରାୟ ୭,୫୦୦ କୋଟି ଟନ୍ ବକ୍ସାଇଟ ଗଚ୍ଛିତ ରହିଛି, ଯାହା ମଧ୍ୟରୁ ମାତ୍ର ୩୨୦୦ କୋଟି ଟନ୍ ତତ୍କାଳ ବ୍ୟବହାରଯୋଗ୍ୟ। ଆଫ୍ରିକୀୟ ରାଷ୍ଟ୍ର ଗିନିରେ ସର୍ବାଧିକ ୭୪୦ କୋଟି ଟନ୍ ବକ୍ସାଇଟ ରହିଛି। ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆରେ ୩୭୦ କୋଟି ଟନ୍ ବକ୍ସାଇଟ ରହିଛି, ଯେଉଁଥିରୁ ସେମାନେ ବାର୍ଷିକ ୯.୭ ଲକ୍ଷ ଟନ୍ ନିଜେ ବ୍ୟବହାର କରନ୍ତି। ଭିଏତନାମ (୨ୟ) ଓ ଇଣ୍ଡୋନେସିଆ (୪ର୍ଥ)ରେ ଯଥାକ୍ରମେ ୫୮୦ ଓ ୨୯୦ କୋଟି ଟନ୍ ବକ୍ସାଇଟ ଥାଇ ବି କଡ଼ା ପରିବେଶ ଆଇନ କାରଣରୁ ସେମାନେ ସର୍ବନିମ୍ନ ପରିମାଣ ବ୍ୟବହାର କରନ୍ତି। ଅଥଚ ଭାରତରେ ଥିବା ୬୫ କୋଟି ଟନ୍ ତତ୍କାଳ ବ୍ୟବହାରଯୋଗ୍ୟ ବକ୍ସାଇଟ (ସମୁଦାୟ ୪୯୫ କୋଟି ଟନ)ରୁ ବାର୍ଷିକ ୨୫ ଲକ୍ଷ ଟନ୍ ଖନନ କରାଯାଏ। ଏହି ହାରରେ ବକ୍ସାଇଟ ଖନନ ହେଲେ, ଆଗାମୀ ୨୬ ବର୍ଷରେ ସବୁ ସରିଯିବ। ଦେଶରେ ଥିବା ବକ୍ସାଇଟର ୪୧ ପ୍ରତିଶତ ଓଡ଼ିଶାରେ ରହିଥିଲାବେଳେ, ଏହା ସମୁଦାୟ ଉତ୍ପାଦନର ୭୬ ପ୍ରତିଶତ ଯୋଗଦାନ ଦେଇଥାଏ।
‘ହ୍ୟୁମାନ ରାଇଟ୍ସ ୱାଚ’ର ସୂଚନା ଅନୁଯାୟୀ, ଆଫ୍ରିକାର ଗିନି, ଜାମାଇକା ଓ ଅଷ୍ଟ୍ରେଲିଆର ବକ୍ସାଇଟ ଖଣି ଅଞ୍ଚଳ ଆଜି ଚାଷଶୂନ୍ୟ ଓ ଜନବସତିଶୂନ୍ୟ ପାଲଟିଛି। କ୍ଷତି ଏତେ ଗଭୀର ଯେ ତାହା ପୂରଣ କରିବା ଅସମ୍ଭବ। ବକ୍ସାଇଟ ଉତ୍ତୋଳନ ପରେ ଚାଷଜମି ଓ ଚାଷୀଙ୍କ ଜୀବିକା ନଷ୍ଟ ହୋଇଛି, ଜଳ ଓ ବାୟୁ ପ୍ରଦୂଷଣ ବଢ଼ିଛି, ଶ୍ୱାସକ୍ରିୟା ତଥା ହୃଦ୍ରୋଗ ସମସ୍ୟା ଓ ଜଳାଭାବ ଦେଖାଦେଇଛି। ଆମ ରାଜ୍ୟରେ ‘ନାଲ୍କୋ’ର ପଞ୍ଚପଟମାଳୀ ବକ୍ସାଇଟ ଖଣି ଚତୁଃପାର୍ଶ୍ବ ଗ୍ରାମ ଆଜି ଶୁଷ୍କ ଓ ଚାଷପାଇଁ ଅନୁପଯୋଗୀ ହୋଇଯାଇଛି। ସେଠାକାର ଲୋକମାନେ ଦାଦନ ଖଟିବାକୁ ପଳାଉଛନ୍ତି।
ଖଣିରୁ ମିଳୁଥିବା ଆୟ ଯେତେ ଅଧିକ ଓ ଲୋଭନୀୟ ହୋଇଥିଲେ ମଧ୍ୟ ପରିବେଶଗତ କ୍ଷତି, ଜଳ ସଙ୍କଟ ଓ ଜନଜୀବନ ଉପରେ ପଡୁଥିବା ପ୍ରଭାବର ମୂଲ୍ୟ ତା’ଠାରୁ ବହୁ ଅଧିକ। କେବଳ ରାଜସ୍ୱ ବୃଦ୍ଧି ହେଲେ, ପ୍ରକଳ୍ପକୁ ଲାଭଦାୟକ କୁହାଯାଇପାରିବ ନାହିଁ। ସେଥିପାଇଁ ‘ନାଲ୍କୋ’, ବେଦାନ୍ତ ଓ ‘ହିଣ୍ଡାଲ୍କୋ’ର ବକ୍ସାଇଟ ଖଣି ଅଞ୍ଚଳରେ ପଡ଼ିଥିବା ପ୍ରଭାବର ନିରପେକ୍ଷ ମୂଲ୍ୟାୟନ ଆବଶ୍ୟକ। ରାଜ୍ୟର ବିଶ୍ବବିଦ୍ୟାଳୟମାନେ ଏ ଦିଗରେ ନିରବ ନରହି ଅଧ୍ୟୟନ କରିବା ସମୟ ଉପଗତ।
ଏଭଳି ଭୟଙ୍କର ପରିଣାମର ଆଶଙ୍କା ଥିବା ସତ୍ତ୍ବେ ନିର୍ବାଚିତ ସରକାରମାନେ ଗୋଟିଏ ପରେ ଗୋଟିଏ ବକ୍ସାଇଟ ଖଣି ବୃହତ୍ କମ୍ପାନିମାନଙ୍କୁ ଲିଜ ଦେଉଛନ୍ତି କାହିଁକି? ଏଭଳି ନିଷ୍ପତ୍ତି ପଛରେ ଅନେକ ଜଟିଳ ଅର୍ଥନୈତିକ, ଶିଳ୍ପଭିତ୍ତିକ ଓ ନିୟାମକ ସମ୍ପର୍କିତ କାରଣ ରହିଛି। ଭାରତର ଉଚ୍ଚମାନର ବକ୍ସାଇଟରୁ ‘ବାୟର-ହଲ-ହେରୋଲ୍ଟ’ ପଦ୍ଧତିରେ ଆଲୁମିନିଅମ ଉତ୍ପାଦନ କମ୍ ଖର୍ଚ୍ଚସାପେକ୍ଷ ହୋଇଥିବାରୁ ବିକଶିତ ଭାରତ ଓ ଭିତ୍ତିଭୂମି ବିକାଶ ଯୋଜନା ଅଧୀନରେ ଭାରତର ବିଶାଳ ଉତ୍ପାଦନ ଲକ୍ଷ୍ୟ ଓ ଶିଳ୍ପ ଚାହିଦା ପୂରଣ କରିବାକୁ ବକ୍ସାଇଟ ଖନନ ଜରୁରି ମନେ କରାଯାଉଛି। ଦେଶରେ ଉତ୍ପାଦିତ ଆଲୁମିନିଅମର ପ୍ରାୟ ୪୮ ପ୍ରତିଶତ ବିଦ୍ୟୁତ୍ ପରିବହନ ଓ ବଣ୍ଟନ କ୍ଷେତ୍ରରେ, ୧୫ ପ୍ରତିଶତ ଅଟୋମୋବାଇଲ ଉପକରଣ ନିର୍ମାଣ କ୍ଷେତ୍ରରେ ଏବଂ ୧୩ ପ୍ରତିଶତ ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଖାଦ୍ୟ ଓ ପାନୀୟ ଡବା, ଔଷଧ ଫଏଲ, ଗୃହ ନିର୍ମାଣ ସାମଗ୍ରୀଠାରୁ ଆରମ୍ଭ କରି ଡ୍ରୋନ, ଯୁଦ୍ଧ ବିମାନ, ରେଳଡବା, କ୍ଷେପଣାସ୍ତ୍ର ନିର୍ମାଣରେ ଆଲୁମିନିଅମ ଆବଶ୍ୟକତା ବଢୁଛି। ଭାରତରେ ମୁଣ୍ଡପିଛା ଆଲୁମିନିଅମ ବ୍ୟବହାର ମାତ୍ର ୨.୨ କିଲୋଗ୍ରାମ, ଯେତେବେଳେକି ବିଶ୍ୱର ହାରାହାରି ବ୍ୟବହାର ୮ କିଲୋଗ୍ରାମ। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆଲୁମିନିଅମ ବ୍ୟବହାର ଆବଶ୍ୟକ ମନେ କରାଯାଉଥିବାରୁ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ବକ୍ସାଇଟ ଖନନକୁ ଗୁରୁତ୍ବ ଦିଆଯାଉଛି। ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା କରିବାରେ ଶିଳ୍ପପତିମାନେ ବିପୁଳ ପୁଞ୍ଜିନିବେଶ କରିସାରିଥିବାରୁ ସେମାନଙ୍କୁ ବକ୍ସାଇଟ ଖଣି ଲିଜ୍ ଦିଆଯାଉଛି।
ଏ ସ୍ଥିତିରେ ଓଡ଼ିଶାର ଜନସାଧାରଣ ଖଣିଜ ସମ୍ପଦ, ଜଳ ସୁରକ୍ଷା ଓ ଆଦିବାସୀଙ୍କ ଜୀବନର ଭବିଷ୍ୟତକୁ ନେଇ ଘୋର ଦୁଶ୍ଚିନ୍ତା ଓ ଦ୍ବନ୍ଦ୍ବ ମଧ୍ୟରେ ରହୁଛନ୍ତି। ବିକାଶ ପାଇଁ ଶିଳ୍ପ ଆବଶ୍ୟକ, ଶିଳ୍ପ ପାଇଁ କଞ୍ଚାମାଲ ଆବଶ୍ୟକ। କିନ୍ତୁ ସେହି କଞ୍ଚାମାଲ ସଂଗ୍ରହ କରିବାକୁ ଯାଇ ଯଦି ମଣିଷର ଜୀବନଧାରା, ଜଳର ଉତ୍ସ ଓ ପ୍ରକୃତିର ଅମୂଲ୍ୟ ସମ୍ପଦ ନଷ୍ଟ ହୁଏ, ତେବେ ସେହି ବିକାଶର ମୂଲ୍ୟ କ’ଣ? ଏହି ଉତ୍ପୀଡ଼କ ପ୍ରଶ୍ନ ଆଜି ଓଡ଼ିଶାର ବକ୍ସାଇଟ ଖଣି ଖନନ ପ୍ରସଙ୍ଗରେ ଆଲୋଡ଼ନ ସୃଷ୍ଟି କରୁଛି। ବୈଷୟିକ ଓ ଅର୍ଥନୈତିକ ପ୍ରଗତି ସମ୍ମୁଖରେ ପରିବେଶର ଅଖଣ୍ଡତା ଓ ସୁରକ୍ଷାକୁ ଗୁରୁତ୍ବ ମିଳୁନି। ନିୟମଗିରି, ସିଜିମାଳି ଓ ମାଳି ପର୍ବତ ଭଳି ଅଞ୍ଚଳରେ ଖଣି ଖନନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଜଳ, ଜଙ୍ଗଲ, ଜୈବବିବିଧତା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିଲେ ହେଁ ଶିଳ୍ପ ପ୍ରତିଷ୍ଠାରେ ସୀମିତ ହୋଇଯାଇଛି। ତେବେ ବଣ ଜଙ୍ଗଲରେ ବାସ କରିଆସୁଥିବା ଆଦିବାସୀ ସମାଜ ପାଇଁ ପାହାଡ଼ ପର୍ବତରେ ଗଚ୍ଛିତ ଖଣିଜ ସମ୍ପଦ ବିଶେଷ ମହତ୍ତ୍ବପୂର୍ଣ୍ଣ ନୁହେଁ। ପର୍ବତକୁ ସେମାନଙ୍କର ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଂଶ କୁହାଯାଉଥିଲେ ବି ତାହା ମୂଳତଃ ତାଙ୍କ ଜୀବନ ଓ ଜୀବିକାର ପ୍ରଶ୍ନ।
ଖଣି ଖନନ ପ୍ରକଳ୍ପକୁ ମଞ୍ଜୁରି ମିଳିବା ପୂର୍ବରୁ ଭୂତାତ୍ତ୍ୱିକ ଓ ଜଳବୈଜ୍ଞାନିକ ଅଧ୍ୟୟନ କରି ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ଆକଳନ କରାଯାଇଥାଏ। ହେଲେ ପରବର୍ତ୍ତୀ କାଳରେ ସ୍ୱାଧୀନ ସଂସ୍ଥା ଦ୍ବାରା ପ୍ରଭାବର ସାମାଜିକ ମୂଲ୍ୟାୟନ କରାଯାଏ ନାହିଁ। େସପରି ହେଉଥିଲେ ଦାମନଯୋଡ଼ି ନିକଟସ୍ଥ ପଞ୍ଚପଟମାଳୀରେ ବୃକ୍ଷରୋପଣ ଯୋଜନାର ସଫଳତା ସ୍ପଷ୍ଟ ହୋଇଥାଆନ୍ତା। ଆଉ ଗୋଟିଏ କଥା ହେଲା ଖଣିରୁ ମିଳୁଥିବା ଆୟ ଯେତେ ଅଧିକ ଓ ଲୋଭନୀୟ ହୋଇଥିଲେ ମଧ୍ୟ ପରିବେଶଗତ କ୍ଷତି, ଜଳ ସଙ୍କଟ ଓ ଜନଜୀବନ ଉପରେ ପଡୁଥିବା ପ୍ରଭାବର ମୂଲ୍ୟ ତା’ଠାରୁ ବହୁ ଅଧିକ। କେବଳ ରାଜସ୍ୱ ବୃଦ୍ଧି ହେଲେ, ପ୍ରକଳ୍ପକୁ ଲାଭଦାୟକ କୁହାଯାଇପାରିବ ନାହିଁ। ସେଥିପାଇଁ ‘ନାଲ୍କୋ’, ବେଦାନ୍ତ ଓ ‘ହିଣ୍ଡାଲ୍କୋ’ର ବକ୍ସାଇଟ ଖଣି ଅଞ୍ଚଳରେ ପଡ଼ିଥିବା ପ୍ରଭାବର ନିରପେକ୍ଷ ମୂଲ୍ୟାୟନ ଆବଶ୍ୟକ। ରାଜ୍ୟର ବିଶ୍ବବିଦ୍ୟାଳୟମାନେ ଏ ଦିଗରେ ନିରବ ନରହି ଅଧ୍ୟୟନ କରିବା ସମୟ ଉପଗତ।
ବକ୍ସାଇଟ ଖଣି ଖନନ ହ୍ରାସ କରିବାକୁ ହେଲେ ଅନ୍ୟାନ୍ୟ ସୂତ୍ରରୁ ଆଲୁମିନିଅମ ଆହରଣ କରିବା ଓ ଏହାର ବିକଳ୍ପ ସନ୍ଧାନ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ। ବକ୍ସାଇଟ ବ୍ୟତୀତ କାଓଲିନ, ନେଫେଲିନ ସାଏନାଇଟ, ଆନୋର୍ଥୋସାଇଟ ଓ କୋଇଲାଭିତ୍ତିକ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ଫ୍ଲାଏ ଆସ୍ ଭଳି ପଦାର୍ଥରୁ ଆଲୁମିନା ନିଷ୍କାସନ କରିବା ପାଇଁ ବୈଷୟିକ ପ୍ରଯୁକ୍ତି ଏବେ ଉପଲବ୍ଧ ହେଉଛି। ଶିଳ୍ପଜାତ ବର୍ଜ୍ୟବସ୍ତୁରୁ ଶୁଦ୍ଧ ଆଲୁମିନା ଉତ୍ପାଦନ ପାଇଁ ନୂତନ ପ୍ରଯୁକ୍ତିର ବିକାଶ ଓ ଗବେଷଣା ହେବା ଆବଶ୍ୟକ। ‘ରେଡ୍ ମଡ୍’ରେ ରହିଯାଇଥିବା ଆଲୁମିନା, ଜିରକନ ଓ ଜିରକୋନିୟମ ଭଳି ଉପଯୋଗୀ ଧାତୁକୁ ପୁନର୍ବାର ନିଷ୍କାସନ କରିହେବ। ଫଳରେ ନୂତନ ବକ୍ସାଇଟ ଖନନର ଆବଶ୍ୟକତା ହ୍ରାସ ପାଇବ। ଆଲୁମିନିଅମର ବିକଳ୍ପ ଭାବେ ମ୍ୟାଗ୍ନେସିଅମ ଓ ଟାଇଟାନିଅମ ଭଳି ଧାତୁ ବ୍ୟବହାର କରାଯାଇପାରିବ। ଆଧୁନିକ ଯାନଗୁଡ଼ିକରେ ଆଲୁମିନିଅମ ବଦଳରେ କାର୍ବନ ଫାଇବର ଦ୍ୱାରା ସୁଦୃଢ଼ କରାଯାଇଥିବା ପଲିମର୍ର ବ୍ୟବହାର ବୃଦ୍ଧି ପାଉଛି। କୁହାଯାଉଛି ଯେ, ଆଗାମୀ ଦିନରେ କାର୍ବନ ଫାଇବର ପଲିମର ବ୍ୟବହାର ବଢ଼ିବ। ଏଭଳି ବିକଳ୍ପଗୁଡ଼ିକୁ ପ୍ରାଧାନ୍ୟ ଦେଇ ଗବେଷଣା କରାଗଲେ, ବକ୍ସାଇଟ ପାହାଡ଼ ବଞ୍ଚିଯିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭

16 minutes ago
1


