ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ମାଟି ତଳେ ପ୍ରଚୁର ଖଣିଜ ସମ୍ପଦ, ହେଲେ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷାର ଅଭାବ ବଡ଼ ପ୍ରତିବନ୍ଧକ। ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ବିଶେଷକରି ମାଟ୍ରିକ୍ ପାସ୍ ପରେ ଅନେକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ୁଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣ (ଓଏସ୍ଏସ୍) ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ଶିକ୍ଷାରୁ ଦୂରେଇ ଯାଇଥିବା ୧୧,୭୬୪ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬,୧୭୩ ଜଣଙ୍କୁ ପୁନର୍ବାର ଶିକ୍ଷା ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇଥିବାବେଳେ ଏବେ ବି ୫,୫୯୧ ଜଣ ପାଠପଢ଼ାରୁ ବଞ୍ଚିତ। ବିଶ୍ରା, ଲହୁଣିପଡ଼ା ଭଳି ଦୁର୍ଗମ ତଥା ଆଦିବାସୀବହୁଳ ବ୍ଲକରେ ସମସ୍ୟା ଅଧିକ ଗମ୍ଭୀର।
Farmers: ଚାଷୀଙ୍କ ନିକଟରେ ନାହିଁ ଖଳା, ଜମିରେ ପଡିଛି ଶହ ଶହ କ୍ବିଣ୍ଟାଲ ଧାନ
ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଶିକ୍ଷାରୁ ବଞ୍ଚିତ ଏହି ୫,୫୯୧ ଜଣ ପିଲାଙ୍କ ପଛରେ ରହିଛି ଅଭିଭାବକଙ୍କ ଅନିଚ୍ଛା, ଆର୍ଥିକ ଅନଟନ ଓ ଶିକ୍ଷା ପ୍ରତି ସଚେତନତାର ଅଭାବ ଭଳି ପ୍ରମୁଖ କାରଣ।ଅଭିଭାବକଙ୍କ ଅନିଚ୍ଛା ଯୋଗୁଁ ୨,୬୦୪ ଜଣ ପିଲା ପୁନର୍ବାର ଶିକ୍ଷାନୁଷ୍ଠାନକୁ ଫେରିନାହାନ୍ତି। ଗ୍ରାମାଞ୍ଚଳର ଅନେକ ଅଭିଭାବକ ଉଚ୍ଚଶିକ୍ଷାର ଗୁରୁତ୍ୱ ବୁଝି ନ ପାରି ପିଲାଙ୍କୁ ଘରୋଇ କାମ ଓ ଚାଷବାସରେ ନିୟୋଜିତ କରୁଛନ୍ତି। ଅନ୍ୟପଟେ ପରିବାରର ରୋଜଗାର ବୋଝ ମୁଣ୍ଡାଇ ୧,୮୭୩ ଜଣ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି କାମଧନ୍ଦା କରିବା ସହ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି। ଏହାବ୍ୟତୀତ ଶିକ୍ଷା ପ୍ରତି ସଚେତନତାର ଅଭାବ ଯୋଗୁଁ ୧,୧୧୪ ଜଣ ପିଲା ପାଠପଢ଼ାରୁ ଦୂରେଇ ରହିଛନ୍ତି। ଏପରିକି ମାଟ୍ରିକ୍ ପାସ୍ କରିବା ପରେ ଅନେକ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରୁ ସ୍ଥାନାନ୍ତର ପ୍ରମାଣପତ୍ର (ଟିସି) ମଧ୍ୟ ସଂଗ୍ରହ କରୁନାହାନ୍ତି।
Climate Change: ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ୧୦ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ
ଜିଲ୍ଲାରେ ପ୍ରତିବର୍ଷ ମାଟ୍ରିକ୍ ପରେ ପ୍ରାୟ ୧,୫୦୦ରୁ ୨,୦୦୦ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି। ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରର ଚିତ୍ର ମଧ୍ୟ ଉତ୍ସାହଜନକ ନୁହେଁ। ଜିଲ୍ଲାର ୩ଟି ସରକାରୀ ଓ ୩୩ଟି ବେସରକାରୀ ଆଇଟିଆଇରେ ମୋଟ ୫,୦୦୦ ସିଟ୍ ରହିଥିବାବେଳେ ପ୍ରତିବର୍ଷ ପ୍ରାୟ ୧,୫୦୦ ସିଟ୍ ଖାଲି ପଡ଼ୁଛି। ଡ୍ରପ୍ଆଉଟ୍ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆସ ସ୍କୁଲ ଯିବା’ ଅଭିଯାନ ଚାଲିଛି। ଏଥିସହ ପ୍ରତି ବ୍ଲକରେ ଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଆଇଓଏସ୍) ମାଧ୍ୟମରେ ବୟସ ଅତିକ୍ରାନ୍ତ କରିଥିବା ଡ୍ରପ୍ଆଉଟ୍ ପିଲାଙ୍କୁ ପୁଣି ପାଠପଢ଼ାର ସୁଯୋଗ ଦେବାକୁ ଉଦ୍ୟମ ହେଉଛି। ତଥାପି ଆଶାନୁରୂପ ସଫଳତା ମିଳିପାରିନାହିଁ। ଅଭିଭାବକଙ୍କ ମାନସିକତାରେ ପରିବର୍ତ୍ତନ, ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ଗରିବ ପରିବାରକୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଉପରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

2 hours ago
2


