ARTICLE AD BOX
୨୦୨୪ ମସିହାରେ, ଦିଲ୍ଲୀ ବାୟୁ ପ୍ରଦୂଷଣ ଲାଗି, ଦିଲ୍ଲୀର ତତ୍କାଳୀନ ଆମ ଆଦମୀ ପାର୍ଟି ସରକାରଙ୍କ ଦ୍ବାରା ନଡ଼ା ପୋଡୁଥିବା ହରିୟାଣୀ ଚାଷୀଙ୍କୁ ଦୋଷଯୁକ୍ତ କରାଯାଇଥିଲା, କାରଣ ହରିୟାଣା ହେଉଛି ବିଜେପି ଶାସିତ ରାଜ୍ୟ। ତା’ର ଦୁଇ ବର୍ଷ ପରେ, ଏବେ ଯେତେବେଳେ ଦିଲ୍ଲୀରେ ବିଜେପି ସରକାର କ୍ଷମତାସୀନ, ପଞ୍ଜାବ ଚାଷୀମାନଙ୍କ ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରାଯାଉଛି; କାରଣ, ସେଠାରେ ସଂପ୍ରତି ଆମ ଆଦମୀ ସରକାରଙ୍କ ଶାସନ ଚାଲିଛି।
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଦୀପାବଳି ପରେ ଦିଲ୍ଲୀ ଏନ.ସି. ଅଞ୍ଚଳକୁ ଘୋଟି ରହିଥିବା ଉତ୍କଟ ଭାବେ ପ୍ରଦୂଷିତ ବାୟୁମଣ୍ଡଳକୁ ନେଇ ଉଦ୍ବେଗ, ଆଲୋଚନା ଓ ଆକ୍ଷେପ ଉଚ୍ଚାଟିତ ହେଉଛି, ଯହିଁରେ ପଞ୍ଜାବ ଓ ହରିୟାଣାର ଚାଷୀମାନଙ୍କ ଦ୍ବାରା ଶୀତଦିନିଆ ନଡ଼ା ଓ ଧାନ ରୁଢ଼ ପୋଡ଼ି ଏବଂ ଦୀପାବଳିର ବାଣ ଫୁଟାକୁ ଏହି ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ଭାବେ ଦର୍ଶାଯାଇଥାଏ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ଏକ ଚିନ୍ତାଜନକ ବାସ୍ତବତା, କିନ୍ତୁ ଏହି ପରିପ୍ରେକ୍ଷୀରେ ଯାହା ଅଧିକ ଚିନ୍ତାର କାରଣ ହେଲାଣି, ତାହା ହେଉଛି ଏହାକୁ କେନ୍ଦ୍ର କରି ହେଉଥିବା କ୍ଳାନ୍ତିହୀନ ରାଜନୀତି, ଯହିଁରେ ସମାଧାନର ସୂତ୍ର ଖୋଜାଯିବା ତ ଦୂରର କଥା, ବରଂ ପରସ୍ପର ଉପରକୁ ଉଠୁଥିବା ଦୋଷାରୋପର ଅଙ୍ଗୁଳିମାନ କେବଳ ଦୃଶ୍ୟମାନ ହୋଇଥାଏ।
ଇତିମଧ୍ୟରେ, ପାକିସ୍ତାନର ପରିବେଶ ସୁରକ୍ଷା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ଅଭିଯୋଗ ଶୁଣିବାକୁ ମିଳିଛି ଯେ ଦୀପାବଳି ବାଣଫୁଟାଜନିତ ପ୍ରଦୂଷିତ ପବନ କୁଆଡ଼େ ଭାରତ ପଟୁ ବହି ଆସି ଲାହୋରକୁ ଶ୍ବାସରୁଦ୍ଧ କରି ପକାଉଛି। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୪ ମସିହାରେ ପାକିସ୍ତାନ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟାମ ନୱାଜ, ଏହି ସମାନ ଆକ୍ଷେପ କରିବା ସହିତ ଏ ସଂକ୍ରାନ୍ତରେ ଭାରତ ଅନ୍ତର୍ଗତ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର ଇଚ୍ଛା ପ୍ରକଟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଭଳି ଲାହୋର ମଧ୍ୟ ହେଉଛି ସର୍ବାଧିକ ବାୟୁ ପ୍ରଦୂଷଣ ଦ୍ବାରା ଆକ୍ରାନ୍ତ ବୃହତ୍ ସହର ମଧ୍ୟରୁ ଅନ୍ୟତମ। ‘ଲାନସେଟ’ ଭଳି ଏକାଧିକ ବିଶ୍ବ ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା କହିଥାଆନ୍ତି ଯେ ଉତ୍କଟ ବାୟୁ ପ୍ରଦୂଷଣ ଦ୍ବାରା ଦିଲ୍ଲୀରେ ବସବାସ କରୁଥିବା ଲୋକଙ୍କ ହାରାହାରି ଆୟୁଷରୁ ପାଞ୍ଚ ବର୍ଷ କମି ଯାଉଥିବାବେଳେ ଲାହୋରବାସୀ ସେମାନଙ୍କ ଆକାଂକ୍ଷିତ ଆୟୁରୁ ପ୍ରାୟ ସାତ ବର୍ଷ ଲେଖାଏଁ ହରାଇଥାଆନ୍ତି। ତେବେ, ସେ ଯାହା ହେଉ, ପାକିସ୍ତାନ ପକ୍ଷରୁ ଉଠୁଥିବା ଅଭିଯୋଗର ପାଲଟା ଉତ୍ତର ଯଦିଓ ଭାରତ ପକ୍ଷରୁ ଦିଆଯାଉଛି, କିନ୍ତୁ ସତ କଥାଟି ହେଲା, ଆରୋପ-ପ୍ରତ୍ୟାରୋପ ଜନିତ ପରିସ୍ଥିତିରେ ବାସ୍ତବତା ପରଖିବାର ସୂକ୍ଷ୍ମ ଦୃଷ୍ଟି ଖୋଲି ନ ଥାଏ। କହିବା ଅନାବଶ୍ୟକ ଯେ ଦେଶ ବିଭାଜନ ସହିତ ମାନଚିତ୍ରରେ ରେଖାଟିଏ ଟଣାଯାଇ ପଞ୍ଜାବକୁ ଦ୍ବିଧା ବିଭକ୍ତ କରି ସାରିଥିଲେ ହେଁ ଶାରୀରିକ ଭରାବ ସଂଯୁକ୍ତ ‘ସିଆମିଜ’ ଯମଜଙ୍କ ଭଳି ସ୍ଥିତି ଉତ୍ପନ୍ନ ହୋଇଛି, ଯହିଁରେ ଉଭୟ ପଟରେ ଥିବା ପଞ୍ଜାବର ଚାଷୀଙ୍କ ଦ୍ବାରା ହେଉଥିବା ନଡ଼ା ପୋଡ଼ିଜନିତ ଧୂଆଁ ଉଭୟ ସହରର ବାୟୁକୁ ପ୍ରଦୂଷିତ କରୁଛି। କିନ୍ତୁ, ‘ଟ୍ରାନ୍ସ ବାଉଣ୍ଡାରି ଏନଭାଇରନମେଣ୍ଟାଲ ଷ୍ଟ୍ରେସର୍ସ ଅନ ଇଣ୍ଡିଆ ପାକିସ୍ତାନ ରିଲେସନ୍ସ’ ଶୀର୍ଷକ ରିପୋର୍ଟ ଭଳି ଅନେକ ଗବେଷଣାମୂଳକ ନିଷ୍କର୍ଷ କହିସାରିଲେଣି ଯେ ବାୟୁ ପ୍ରବାହର ପ୍ରାକୃତିିକ ନିୟମ ଅନୁସାରେ ଶୀତ ଦିନେ ଆଫଗାନିସ୍ତାନ ଓ ପାକିସ୍ତାନରୁ ପ୍ରବାହିତ ଉତ୍ତର-ପଶ୍ଚିମା ପବନ ଦ୍ବାରା ଧୂଆଁର ବହୁଳାଂଶ, ବରଂ, ପାକିସ୍ତାନ ପଟୁ ଆସି ଭାରତର ସୈନ୍ଧବ ଗାଙ୍ଗେୟ ସମତଳ ଭୂମିକୁ ଖେଳାଇ ହୋଇଯାଇଥାଏ। ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡନ୍’ରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ କହିଥାଏ ଯେ ଲାହୋରର ସ୍ଥିତି ଲାଗି ଭାରତକୁ ଦାୟୀ କରାଯିବା ଅଯୌକ୍ତିକ; କାରଣ ଲାହୋର ପ୍ରଦୂଷଣର ଏକ ବଡ଼ ଭାଗ ସ୍ଥାନୀୟ କାରଣରୁ ସୃଷ୍ଟ। କହିବାର ତାତ୍ପର୍ଯ୍ୟ ହେଲା, ରାଜନୈତିକ ଫାଇଦା ସକାଶେ ପାକିସ୍ତାନର ରାଜନେତାମାନେ ପୋଷଣ କରୁଥିବା ଆଭିମୁଖ୍ୟ ହେତୁ ଉତ୍କଟ ବାୟୁ ପ୍ରଦୂଷଣ ଭଳି ସାଂଘାତିକ ସମସ୍ୟାର ସମାଧାନ ଲାଗି ବାଟ ଫିଟି ନ ଥାଏ। ଏହା ଅବଶ୍ୟ ସତ ଯେ ସଂପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ଦ୍ବି-ପାକ୍ଷିକ ଆଲୋଚନା ସକାଶେ କୌଣସି ଅବକାଶ ନାହିଁ, ତେବେ ‘ଏସ.ସି.ଓ.’ ହେଉ ବା ରାଜ୍ୟ ଗୋଷ୍ଠୀ ସମ୍ମିଳନୀ ବା ‘ଚୋଗମ’ ହେଉ ଅଥବା ପରିବେଶ ସଂକ୍ରାନ୍ତ ବିଶ୍ବ ସମ୍ମିଳନୀ ‘କପ୍’ ହେଉ; ଉଭୟ ପକ୍ଷ ସେହି ସବୁ ସମ୍ମିଳନୀରେ ଉପସ୍ଥିତ ରହୁଥିବାରୁ ଅନୌପଚାରିକ ପାର୍ଶ୍ବ-ଆଲୋଚନା ଲାଗି ଭୂମି ପ୍ରସ୍ତୁତ କରାଯାଇପାରନ୍ତା; କାରଣ, ବାୟୁ ପ୍ରଦୂଷଣ ଭଳି ସମସ୍ୟା ଭୌଗୋଳିକ ବିଭାଜନ ବା ରାଜନୈତିକ ବିବାଦକୁ ଭ୍ରୂକ୍ଷେପ ନ କରି ଉଭୟ ପକ୍ଷକୁ ସମାନେ ଭାବେ ଶିକାର କରିଥାଏ।
ଏବେ ଆସିବା ଅଭ୍ୟନ୍ତର ରାଜନୀତିକୁ। ସ୍ମରଣଯୋଗ୍ୟ ଯେ ୨୦୨୪ ମସିହାରେ, ଦିଲ୍ଲୀ ବାୟୁ ପ୍ରଦୂଷଣ ଲାଗି, ଦିଲ୍ଲୀର ତତ୍କାଳୀନ ଆମ ଆଦମୀ ପାର୍ଟି ସରକାରଙ୍କ ଦ୍ବାରା ନଡ଼ା ପୋଡୁଥିବା ହରିୟାଣୀ ଚାଷୀଙ୍କୁ ଦୋଷଯୁକ୍ତ କରାଯାଇଥିଲା, କାରଣ ହରିୟାଣା ହେଉଛି ବିଜେପି ଶାସିତ ରାଜ୍ୟ। ତା’ର ଦୁଇ ବର୍ଷ ପରେ, ଏବେ ଯେତେବେଳେ ଦିଲ୍ଲୀରେ ବିଜେପି ସରକାର କ୍ଷମତାସୀନ, ପଞ୍ଜାବ ଚାଷୀମାନଙ୍କ ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରାଯାଉଛି; କାରଣ, ସେଠାରେ ସଂପ୍ରତି ଆମ ଆଦମୀ ସରକାରଙ୍କ ଶାସନ ଚାଲିଛି। ତେବେ, ଏ କଥା ପ୍ରାୟ ସମସ୍ତେ ଜାଣନ୍ତି ଯେ ପଞ୍ଜାବ ଓ ହରିୟାଣାର ଧାନ ଚାଷୀମାନେ, ଅମଳର ଦୁଇ ବା ତିନି ସପ୍ତାହ ମଧ୍ୟରେ ପୁନର୍ବାର ଚାଷ ଆରମ୍ଭ କରିବା ଲାଗି, ଜମି ପ୍ରସ୍ତୁତି ସକାଶେ କ୍ଷେତରେ ରହିଯାଇଥିବା ନଡ଼ା ଇତ୍ୟାଦିକୁ ଜାଳି ଦିଅନ୍ତି; କାରଣ ତାହା ହେଉଛି ଏକ ସହଜସାଧ୍ୟ ଓ ବ୍ୟୟଶୂନ୍ୟ ପଦ୍ଧତି। ସୁତରାଂ, ଚାଷୀମାନଙ୍କୁ ଏଥିରୁ ନିବୃତ୍ତ କରିବା ସକାଶେ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ, ନଡ଼ା ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଓ ଜ୍ଞାନ କୌଶଳର ସହଯୋଗ ସହିତ ଆବଶ୍ୟକ ସ୍ଥଳେ ଦଣ୍ଡର ପ୍ରାବଧାନ ଆଦି କରାଗଲାଣି। ତା’ ସତ୍ତ୍ବେ ସ୍ଥିତି କ’ଣ ତା’ର ଧାରଣା ପାଇବା ଲାଗି ସଦ୍ୟ ପ୍ରାପ୍ତ ସରକାରୀ ପରିସଂଖ୍ୟାନ ଉପରେ ସାମାନ୍ୟ ଦୃଷ୍ଟିପାତ କରାଯାଉ। ତା’ ଅନୁସାରେ ପଞ୍ଜାବରେ ଏ ବର୍ଷ ୬,୫୧୬ଟି ନଡ଼ା ପୋଡ଼ି ଘଟଣା ଘଟିଥିବା ବେଳେ ହରିୟାଣାରେ ତାହା ହେଉଛି ମାତ୍ର ୨୦୬। ସେହି ଦୃଷ୍ଟିରୁ ହରିୟାଣାର ସ୍ଥିତି ଯେ ଆଦର୍ଶସ୍ଥାନୀୟ ଏବଂ ଏହା ସେଠାକାର ସରକାରଙ୍କ ଏକ ଉପଲବ୍ଧି, ତହିଁରେ ଦ୍ବିରୁକ୍ତି ନାହିଁ। କିନ୍ତୁ, ପଞ୍ଜାବର ବିଫଳତା କଥା କୁହାଗଲାବେଳେ ସେହି ତୁଳନାତ୍ମକ ଚିତ୍ରଟି ଦିଆଯାଏନାହିଁ, ଯାହା ଦର୍ଶାଇଥାଏ ଯେ ୨୦୨୦ ମସିହାରେ ପଞ୍ଜାବରେ ହୋଇଥିଲା ପ୍ରାୟ ୮୦ ହଜାର ୩୪୫ଟି ନଡ଼ା ପୋଡ଼ି, ଅର୍ଥାତ୍ ଏବେ ତହିଁରେ ୯୦% ସଂକୋଚନ ଘଟିଲାଣି। ଏହି ଆଲୋଚନାର ଉଦ୍ଦେଶ୍ୟ ହେଲା, ବାୟୁ ପ୍ରଦୂଷଣକୁ ନେଇ ଚାଲିଥିବା ସଂକୀର୍ଣ୍ଣ ରାଜନୀତିକୁ ଦର୍ଶାଇବା। କହିବା ବାହୁଲ୍ୟ ଯେ ବାୟୁ ପ୍ରଦୂଷଣ ଭଳି ଏକ ସର୍ବ-ବ୍ୟାପୀ ସମସ୍ୟାର ସମାଧାନ ଲାଗି ସଂକୀର୍ଣ୍ଣ-ମନସ୍କତା ପରିତ୍ୟାଗ କରି ସମନ୍ବିତ ପଦକ୍ଷେପ ନେବା ଅଧିକ ଜରୁରି।
ଗୋଟିଏ ଗଳ୍ପ ଏହି ଭଳି ଯେ ତାର ବାଡ଼ର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ, ମୁହଁକୁ ମୁହଁ ଯୋଡ଼ି ଉଚ୍ଚ ସ୍ବରରେ କଳହ ଲିପ୍ତ ଦୁଇ ପଡ଼ୋଶୀଙ୍କୁ ଦେଖି ସେହି ବାଟରେ ଯାଉଥିବା ପିଲାଟିଏ ତା’ ପିତାଙ୍କୁ ପଚାରେ- ‘ଏମାନେ ବଧିର ନା କ’ଣ? ପରସ୍ପରର ଏତେ ପାଖରେ ଥାଇ ଏତେ ଜୋରରେ ଚିତ୍କାର କରୁଛନ୍ତି କାହିଁକି?’ ପିତା ଉତ୍ତର ଦିଅନ୍ତି- ‘ଏମାନେ ଶୁଣି ପାରନ୍ତି ନିଶ୍ଚୟ, କିନ୍ତୁ ହୃଦୟ ବନ୍ଦ ରଖିଥିବାରୁ କାହା କଥା କଥା କାହାକୁ ଭେଦି ପାରୁନାହିଁ। ତେଣୁ ଏଭଳି ଚିତ୍କାର!’ ବାୟୁ ପ୍ରଦୂଷଣ ସଂକ୍ରାନ୍ତରେ ଦୋଷାରୋପର ରାଜନୀତିରେ ପ୍ରାୟ ସେହିଭଳି ଦୃଶ୍ୟ ଦିଶିଥାଏ! ବିଡ଼ମ୍ବନାଟି ହେଲା, ସମସ୍ତେ ହୃଦ୍ବୋଧ କରନ୍ତି ଯେ ସମାଧାନଟିଏ ଲୋଡ଼ା; କିନ୍ତୁ ରାଜନୀତି ସେମାନଙ୍କୁ ଏକାଠି କରି ଦିଏନାହିଁ। ଏଣେ, ଉତ୍ତର ପିଢ଼ିର ପ୍ରତିନିଧିତ୍ବ କରିବାକୁ ଜନ୍ମ ନେଇଥିବା ସଦ୍ୟ ଜାତ ଶିଶୁଟି ତା’ର ପ୍ରଥମ ପ୍ରଶ୍ବାସରେ ହିଁ ଦୁଇ ପ୍ୟାକେଟ ସିଗାରେଟରୁ ଉତ୍ପନ୍ନ ହେଉଥିବା ଧୂଆଁ ସମତୁଲ ପ୍ରଦୂଷିତ ବାୟୁ ଶୋଷି ନେଇଥାଏ!

1 hour ago
1


