ARTICLE AD BOX
ରାଇରଙ୍ଗପୁର ((ତୁଷାର କାନ୍ତ ମହାନ୍ତ)):ମୟୂରଭଞ୍ଜଜିଲ୍ଲା ସମେତ ସାରା ରାଜ୍ୟରେ ବହୁ ସମ୍ପ୍ରଦାୟର ଆଦିବାସୀ ଲୋକେ ବସବାସ କରନ୍ତି। ତେବେ ବର୍ତ୍ତମାନ ଦେଖିବାକୁ ଗଲେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ କହିଲେ ବିଶେଷ କରି ସାନ୍ତାଳ, କହ୍ଲ, ଭୁମିଜ ଓ ମୁଣ୍ଡାରୀଙ୍କ ସଂଖ୍ୟା ଅଧିକ। ମନର ଭାବନାକୁ ବୁଝିବାକୁ ହେଲେ ଭାଷାର ଆବଶ୍ୟକତା ରହିଛି। ଭାଷା ପାଇଁ ଲିପି ଆବଶ୍ୟକ ଏହି ଲିପି ସୃଷ୍ଟି କରିବାରେ ଯେଉଁ କେତେ ଜଣ ସ୍ରଷ୍ଟା ଆମ ସମ୍ମୁଖକୁ ଆସନ୍ତି। ତେବେ ଆଦିବାସୀଙ୍କ ସାନ୍ତାଳୀ ଭାଷାର ଲିପିର ସ୍ରଷ୍ଟା ହେଉଛନ୍ତି ରାଇରଙ୍ଗପୁର ଅଞ୍ଚଳର ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ, କଲହ ହୋ ଭାଷାର ଲିପି ‘ଓରାଙ୍ଗ ଚିତି’ର ସ୍ରଷ୍ଟା ହେଉଛନ୍ତି ଅତ୍ ଗୁରୁ କଲ୍ ଲାକୋ ବଦ୍ରା ଓ ଭୂମିଜ ଭାଷାର ଲିପି ‘ଅଲ୍ ଅନଲ’ର ସ୍ରଷ୍ଟା ହେଉଛନ୍ତି ଅଲ୍ ଗୁରୁ ମହେନ୍ଦ୍ର ନାଥ ସର୍ଦ୍ଦାର, ଉପରୋକ୍ତ ତିନିଜଣ ହେଉଛନ୍ତି ରାଇରଙ୍ଗପୁର ଅଞ୍ଚଳର।
ତେବେ ମୁଣ୍ଡାରୀ ଭାଷା ଲିପି ‘ମୁଣ୍ଡାରୀ ବାଣୀ"ର ସ୍ରଷ୍ଟା ହେଉଛନ୍ତି ବେତନଟି ଅଞ୍ଚଳର ରୋହିଦାସ ସିଂ ନାଗ। ବର୍ତମାନ କେବଳ ଭୂମିଜ ଲିପିର ସ୍ରଷ୍ଟା ମହେନ୍ଦ୍ର ନାଥ ସର୍ଦ୍ଦାରଙ୍କ ବ୍ୟତୀତ ଅନ୍ୟମାନଙ୍କ ସ୍ୱର୍ଗବାସ ହୋଇଛି। ଆଦିବାସୀ ସଂପ୍ରଦାୟ ଭୂମିଜମାନଙ୍କ ଲିପି ‘ଅଲ୍ ଅନଲ୍’ର ଉଦ୍ଭାବକ ମହେନ୍ଦ୍ର ସର୍ଦ୍ଦାର ଅନ୍ୟତମ ୧୯୫୬ ମସିହା ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳଡାଙ୍ଗରୀ ଗ୍ରାମ ପଞ୍ଚାୟତ ବଣପାହାଡ ଘେରା ମହାଦେବଡିହି ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ।
ବିଶ୍ୱ ରେକର୍ଡ କଲା ଆଦିବାସୀ ଧିମ୍ସା ନୃତ୍ୟ; ଗିନିଜ୍ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ
ପିତା ସ୍ୱର୍ଗତ ମଳକା ସର୍ଦ୍ଦାର ଓ ମାତା ସ୍ବର୍ଗତା କାନ୍ଦ୍ରୀ ସର୍ଦ୍ଦାରଙ୍କ ସେ ଏକ ମାତ୍ର ସନ୍ତାନ। ତୃତୀୟ ଶ୍ରେଣୀ ଯାଏ ଗାଁ ସ୍କୁଲରେ ପାଠ ପଢ଼ିବା ପରେ ଗୁହାଳଡାଙ୍ଗରୀ ଏମ୍ଇ ସ୍କୁଲରୁ ମାଇନର ପାସ୍ କରିଥିଲେ। ୧୯୭୫ ମସିହାରେ ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ। କିନ୍ତୁ ମା'ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଥିଲା। ଫଳରେ ସେ ମାଟ୍ରିକ୍ ପାସ କରିବା ପୂର୍ବରୁ ୧୯୭୪ ମସିହାରେ ରଙ୍ଗାମାଟିଆ ଗାଁର ଲଳିତା ସର୍ଦ୍ଦାରଙ୍କୁ ବିବାହ କରିଥିଲେ। ତାଙ୍କର ୫ଟି କନ୍ୟା ଓ ୨ଟି ପୁତ୍ର ଅଛନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମାଟ୍ରିକ ପରେ ସେ ଆଉ ଅଧିକ ପାଠ ପଢି ପାରିନଥିଲେ।
ମାସକୁ ୧୦୫ ଟଙ୍କା ଦରମାରେ ନନ୍ଫରମାଲ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କଲେ। ପରେ ଗୁହାଳଡାଙ୍ଗରୀ ଉଚ୍ଚ ବିଦ୍ୟାଳୟରେ ୧୯୮୪ ରୁ କିରାଣି ଭାବେ କାର୍ଯ୍ୟ କରି ୨୦୧୬ ମସିହାରେ ଅବସର ନେଇଥିଲେ। କମ୍ ପାଠ ପଢ଼ିଥିଲେ ହେଁ ନିଜ ଭାଷା ଓ ଜାତି ପାଇଁ ତାଙ୍କର ଥିଲା ଅସମ୍ଭବ ଦୁର୍ବଳତା। ଦେଶରେ ବସବାସ କରୁଥିବା ୧୫ ଲକ୍ଷରୁ ଅଧିକ ଭୂମିକମାନଙ୍କ ପାଇଁ ସେ ନିଜ ଭାଷାରେ ଲିଖନ ପ୍ରଣାଳୀ ପ୍ରସ୍ତୁତ କରିବାକୁ ଚିନ୍ତା କଲେ। ଏଥିପାଇଁ ୧୯୮୧ ମସିହାରୁ ସେ ଅନବରତ ସଂଘର୍ଷ ଆରମ୍ଭ କଲେ।
ଦୀର୍ଘଦିନର ପରିଶ୍ରମ ପରେ ୧୯୯୨ରେ ଶ୍ରୀ ସର୍ଦ୍ଦାର ଭୂମିଜ ସମାଜ ପାଇଁ ଅଲ୍ଅନଲ୍ ଲିପି ପ୍ରସ୍ତୁତ କରିଥିଲେ। ସେତେବେଳେକୁ ଭୂମିଜ ସମାଜର ଅନ୍ୟ ୧୩ ଜଣ ମଧ୍ୟ ଭୂମିଜ ଲିପି ପ୍ରସ୍ତୁତ କରିଥିଲେ। ତେଣୁ କେଉଁ ଲିପିକୁ କେନ୍ଦ୍ରୀୟ ଭୂମିଜ ସମାଜ ଗ୍ରହଣ କରିବ ତାହା ନେଇ ଦୃନ୍ଦ୍ବ ସୃଷ୍ଟି ହେଲା। ଏହାର ସମାଧାନ ନିମନ୍ତେ ଝାଡ଼ଖଣ୍ଡ ରାଜ୍ୟର ହରିଣାଠାରେ ଅବସ୍ଥିତ ଲିପି କାର୍ଯ୍ୟାଳୟରେ ଅନେକ ବୁଦ୍ଧିଜୀବୀ, ଅଧ୍ୟାପକ ପ୍ରମୁଖଙ୍କୁ ନେଇ ଗଠିତ କମିଟିରେ ୩ଟି ସର୍ଭ ରହିଲା।
ପ୍ରଥମ ସର୍ଭ ଥିଲା ସହଜ, ସୁନ୍ଦର ଓ ସରଳ ଲିପି, ଦ୍ବିତୀୟରେ ଉଚ୍ଚାରଣରେ ଶୁଦ୍ଧତା ଏବଂ ତୃତୀୟରେ ସରଳୀକରଣ ପଦ୍ଧତି ପୂରଣ କରିଥିବା ଲିପିକୁ ଭୂମିଜ ଲିପିର ମାନ୍ୟତା ପ୍ରଦାନ କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଗଲା। ଶେଷେର ୧୩ ଜଣ ଲିପି ସ୍ରଷ୍ଟାଙ୍କ ମଧ୍ୟରୁ ମହେନ୍ଦ୍ର ସର୍ଦ୍ଦାରଙ୍କ ‘ଅଲ୍ଅନଲ୍’ ଲିପିକୁ ୨୦୦୩ ମସିହାରେ ସ୍ଵୀକୃତି ମିଳିଲା। ଭାରତ ସରକାରଙ୍କଠାରୁ ୨୮ ଜାନୁଆରି ୨୦୧୬ରେ କପିରାଇଟ୍ ଅଧିକାର ପ୍ରାପ୍ତକଲା ‘ଅଲ୍ଅନଲ’ ଲିପି। ଏହାର ବହୁଳ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ପ୍ରଥମ ସୋପାନରେ ୩ଟି ବହି ରଚନା କଲେ।
ସେଗୁଡ଼ିକ ହେଲା ‘ଅଲ ଚେଦେନ୍ନ୍ତନଲ' (ଅକ୍ଷର ଶିଖିବା ବା ବର୍ଣ୍ଣବୋଧ), ‘ଆବୁ ପଳାୟ ଅନଲ୍' (ଆମ ପାଠ ବହି), ‘ଆକାଂ ତେଦେନ ତନଲ୍' (ଭାଷା ଶିଖିବା ବହି)। ଏବେ ଏହା ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ା ହେଉଛି। ଏହି ଲିପିରେ ୨୫୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଲେଣି।
ଓଡ଼ିଶାରେ ୬ଟି ବିଦ୍ୟାଳୟରେ ବି ପାଠ୍ୟଦାନ ଆରମ୍ଭ ହେଲାଣି। ଏହି ସବୁ ପୁସ୍ତକ ରଚନା କରିବା ପାଇଁ ତାଙ୍କ ସ୍ତ୍ରୀ ଲଳିତା ସର୍ଦ୍ଦାର ଅନେକ ସହଯୋଗ କରିଥିଲେ। ତାଙ୍କ ସହଯୋଗରେ ଶ୍ରୀ ସର୍ଦ୍ଦାର ୨୦୧୬ରେ 'ଆଲିଂ ବାନ୍ଧି’ ନାମକ ଓଡିଆ-ଭୂମିଜ ଅଭିଧାନର ରଚନା କରିଛନ୍ତି।ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଡ. ଲକ୍ଷ୍ମଣ କୁମାର ସାହୁ ଓ ଡ. କେସି ଶତପଥୀ ଭୁବନେଶ୍ଵରରୁ ଆସି ମହାଦେବଡିହିରୁ ଲିପିର ଗବେଷଣା ନିମନ୍ତେ ସମସ୍ତ ତଥ୍ୟ, ବହି ଓ କପିରାଇଟ୍ର ସାର୍ଟିଫିକେଟ ନକଲ ନେଇଥିଲେ।
୨୦୧୮ ମସିହାରେ ରାଜ୍ୟ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଅରୁଣ ସାହୁ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଭୁବନେଶ୍ଵରରେ ସେ ସମ୍ବନ୍ଧିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବୈଶିଙ୍ଗା ଗାନ୍ଧି ସ୍ମୃତି କଲେଜ ପଡିଆରେ ଶ୍ରୀସର୍ଦ୍ଦାରଙ୍କ ଲିଖିତ ପୁସ୍ତକ 'ଆଲିଂ ଚେଦନ୍ ତନଲ୍' (ଭାଷା ଶିଖିବା ବହି)ର ଉନ୍ମୋଚନ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଦ୍ବାରା କରାଯାଇଥିଲା। ଯେହେତୁ ଅଲଚିକି ଭାଷାର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁ, ୱରାଂଚିତି ଭାଷାର ଉଦ୍ଭାବକ ଲାକୋ ବଦ୍ରା ଓ ମୁଣ୍ଡାରୀ ବାଣୀ ହିସରର ଉଦ୍ଭାବକ ରୋହିଦାସ ସିଂ ନାଗ ସ୍ୱର୍ଗାରୋହଣ କଲେଣି, ତେଣୁ ଏବେ ଏକମାତ୍ର ଜୀବିତ ଭୂମିଜ ଭାଷାର ଉଦ୍ଭାବକ ମହେନ୍ଦ୍ର ସର୍ଦ୍ଦାରଙ୍କ ଭୂୟସୀ ପ୍ରଶଂସା କରାଯାଇଥିଲା।
ଆଦିମ ସିନ୍ଧୁବାସି ଭୂମିଜ ୯ ମାହାଲ ସଭାପତି ଗୋଲାପ ସିଂଙ୍କ ନେତୃତ୍ବରେ ମହେନ୍ଦ୍ର ସର୍ଦ୍ଦାର ଭୂମିଳ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ପାଇଁ ଉଦ୍ୟମ ଜାରି ରହିଛି। ବୟସର ଅପରାହ୍ନରେ ମଧ୍ୟ ଶ୍ରୀ ସର୍ଦ୍ଦାର ଓ ଶ୍ରୀମତୀ ସର୍ଦ୍ଦାର ଭାଷା ଓ ଲିପିର ଉନ୍ନତି ଲାଗି ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ଏହା ବ୍ୟତୀତ ତାଙ୍କ ପୁଅ ଓ ଝିଅଙ୍କ ସହୋଯଗରେ ବିଭିନ୍ନ ନୂତନ ପୁସ୍ତକ ଲେଖିବା ସହିତ ଭୁକିଜ ଭାଷା ଓ ଅଲ୍ ଅନଲ୍ ଲିପିର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଆଗାମୀ ଦିନରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଁ ଆବେଦନ କରିବେ ବୋଲି ସମ୍ବାଦକୁ କହିଛନ୍ତି।

2 hours ago
2


