ARTICLE AD BOX
ଅରବିନ୍ଦ ମିଶ୍ର
ଏବେ ତୁର୍କୀର ଆଣ୍ଟାଲିଆ ସହରରେ ପ୍ରାୟ ୨୦୦ ଦେଶ ଜାତିସଂଘ ଜଳବାୟୁ ସମ୍ମିଳନୀ ବା ‘କପ୍-୩୧’ ପାଇଁ ଏକାଠି ହୋଇଛନ୍ତି। ଏହି ସମ୍ମିଳନୀ ନଭେମ୍ବର ୨୦ରେ ଶେଷ ହେବ। ଦୁଇ ଆୟୋଜକ ଦେଶ ତୁର୍କୀ ଓ ଅଷ୍ଟ୍ରେଲିଆ ମିଶି ଏହାକୁ ‘ରୂପାୟନର କପ୍’ ନାମ ଦେଇଛନ୍ତି; ଅର୍ଥାତ୍ ପୂର୍ବରୁ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟକାରୀ କରିବାର ବେଳ। ତେବେ, ସମସ୍ୟା ହେଉଛି, ଆବଶ୍ୟକତା ବଢ଼ି ଚାଲିଥିବାବେଳେ ରୂପାୟନର ସାଧନ, ସର୍ବୋପରି ଅର୍ଥ, ସଙ୍କୁଚିତ ହେଉଛି।
ଅକ୍ଟୋବରରେ ପ୍ରକାଶିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ ଏନଭିରନମେଣ୍ଟ ପ୍ରୋଗ୍ରାମ)ର ‘ନିର୍ଗମନ ବ୍ୟବଧାନ ରିପୋର୍ଟ’ କହିଛି ଯେ ଉଷ୍ମତା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍ ସୀମା ଟପିବାକୁ ଆଉ ଅଟକାଯିବା ସମ୍ଭବ ନୁହେଁ। ବର୍ତ୍ତମାନର ସ୍ଥିତି ଜାରି ରହିଲେ ଚଳିତ ଶତାବ୍ଦୀରେ ପୃଥିବୀ ପ୍ରାୟ ୨.୮ ଡିଗ୍ରି ଅଧିକ ଉଷ୍ମ ହେବ। ସମ୍ମିଳନୀର ପ୍ରଥମ ଦିନ ‘ବିଶ୍ୱ ପାଣିପାଗ ସଂଗଠନ’ ଜଣାଇଲା ଯେ ବିଗତ ୧୨ ବର୍ଷ ହିଁ ଇତିହାସର ସବୁଠୁ ଉଷ୍ମ ୧୨ ବର୍ଷ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ଭାଷାରେ, ପୃଥିବୀ ଏବେ ‘ଜଳବାୟୁ ଚରମତାର ଏକ ନୂଆ ଯୁଗରେ ପ୍ରବେଶ କରିଛି।’
ରାଜନୀତିର ଚିତ୍ର ବି ଉତ୍ସାହପ୍ରଦ ନୁହେଁ। ଆମେରିକା, ଇସ୍ରାଏଲ ଓ ଇରାନକୁ ନେଇ ଚାଲିଥିବା ଯୁଦ୍ଧ ନବମ ମାସରେ ପାଦ ଦେଇଛି; ୟୁକ୍ରେନରେ ରୁଷିଆର ଯୁଦ୍ଧ ଜାରି ରହିଛି। ପ୍ୟାରିସ୍ ଚୁକ୍ତିରୁ ଆମେରିକା ଓହରିଯିବା ସହିତ ସମ୍ମିଳନୀକୁ କୌଣସି ସରକାରୀ ପ୍ରତିନିଧି ଦଳ ମଧ୍ୟ ପଠାଇନାହିଁ। ସମ୍ମିଳନୀ ପୂର୍ବରୁ ୟୁରୋପୀୟ ୟୁନିଅନର ଜଳବାୟୁ କମିସନର ୱୋପ୍କେ ହୋକ୍ଷ୍ଟ୍ରା କହିଥିଲେ ଯେ ଯେଉଁଠି ୟୁରୋପକୁ ଅର୍ଥ ଦେବାକୁ ପଡ଼ିବ, ସେଠି ଅର୍ଥ ସମ୍ପର୍କିତ ଯେକୌଣସି ନୂଆ ଆଲୋଚନା ‘ଆରମ୍ଭରୁ ହିଁ ମୃତ’ ଭଳି ଲାଗୁଛି।
ଗତ ବର୍ଷ ବେଲେମରେ ଅନୁଷ୍ଠିତ ‘କପ୍’ରେ ଦେଶମାନେ ରାଜି ହୋଇଥିଲେ ଯେ ‘ପରିସ୍ଥିତି ସହିତ ଖାପ ଖୁଆଇବା (ଅନୁକୂଳନ) ସକାଶେ ଅର୍ଥ’ (ଆଡାପ୍ଟେସନ ଫାଇନାନ୍ସ)ର ପରିମାଣକୁ, ୨୦୩୫ ସୁଦ୍ଧା, ‘ଅତି କମ୍ରେ ତିନିଗୁଣ’ କରାଯିବ। କିନ୍ତୁ ପ୍ରାରମ୍ଭିକ ପରିମାଣ କେତେ, କିଏ ଦେବ, କିପରି ଦେବ- ସେ ବିଷୟରେ କିଛି କୁହାଯାଇ ନଥିଲା। ନଭେମ୍ବର ୪ରେ ପ୍ରକାଶିତ ‘ୟୁଏନ୍ଇପି’ର ‘ଅନୁକୂଳନ ବ୍ୟବଧାନ ରିପୋର୍ଟ’ ଆକଳନ କରିଛି ଯେ ବନ୍ଧ, ବାତ୍ୟା ଆଶ୍ରୟସ୍ଥଳୀ, ଗ୍ରୀଷ୍ମ ପ୍ରବାହ କାର୍ଯ୍ୟଯୋଜନା, ମରୁଡ଼ି-ସହନଶୀଳ ବିହନ ଓ ଆଗୁଆ ଚେତାବନୀ ପାଇଁ ୨୦୩୫ ସୁଦ୍ଧା ବିକାଶଶୀଳ ଦେଶମାନଙ୍କୁ ବର୍ଷକୁ ପ୍ରାୟ ୩୦୫ ବିଲିଅନ ଡଲାର ଦରକାର ହେବ। ୨୦୨୪ରେ ଧନୀ ଦେଶମାନେ ଏ ବାବଦକୁ ଦେଇଥିଲେ ମାତ୍ର ୨୮ରୁ ୩୨ ବିଲିଅନ ଡଲାର। ଏବେ ‘ଅନୁକୂଳନ ପାଇଁ ବିଶ୍ୱ ଲକ୍ଷ୍ୟ’ ନେଇ ଆଲୋଚନା ଚାଲିଛି; ୟୁରୋପୀୟ ୟୁନିଅନ, ବ୍ରିଟେନ, କାନାଡା ଓ ନରୱେ ଚାହୁଁଛନ୍ତି ଯେ ଏହି ଆଲୋଚନାରୁ ଅର୍ଥ ପ୍ରସଙ୍ଗକୁ ଦୂରରେ ରଖାଯାଉ। ତେଣୁ, ‘ଅନୁକୂଳନ’ ପାଇଁ ଆବଶ୍ୟକ ଅର୍ଥକୁ ନେଇ ଉଠୁଛି ପ୍ରଥମ ପ୍ରଶ୍ନ।
ଦ୍ୱିତୀୟ ପ୍ରଶ୍ନ ହେଲା, ଜଳବାୟୁ ଅର୍ଥ ସହାୟତା (‘କ୍ଲାଇମେଟ ଫାଇନାନ୍ସ’)ର ଦାୟିତ୍ୱ କାହାର? ଭାରତ ଓ ଅନ୍ୟ ବିକାଶଶୀଳ ଦେଶମାନଙ୍କ ଯୁକ୍ତି ହେଲା, ପ୍ୟାରିସ୍ ଚୁକ୍ତିର ଧାରା ୯.୧ ଅନୁସାରେ ଅର୍ଥ ଯୋଗାଇବା ବିକଶିତ ଦେଶମାନଙ୍କର ଦାୟ ଏବଂ ଏହି ଅର୍ଥ ସରକାରୀ ଓ ରିହାତିମୂଳକ ହେବା ଉଚିତ; ଅର୍ଥାତ୍ ଏହା କରଜ ହେବା ଉଚିତ ନୁହେଁ। ଯାହା ହେଉ, ସେମାନଙ୍କର ମୁଖ୍ୟ ଦାବି, ଏକ ସ୍ୱତନ୍ତ୍ର ‘ଜଳବାୟୁ ଫାଇନାନ୍ସ କାର୍ଯ୍ୟକ୍ରମ’ (‘କ୍ଲାଇମେଟ ଫାଇନାନ୍ସ ୱର୍କ ପ୍ରୋଗ୍ରାମ’), କାର୍ଯ୍ୟସୂଚିରେ ସ୍ଥାନ ପାଇଛି। ତେବେ, ଆଲୋଚନା ଧାରା ୯.୧ ଉପରେ କେନ୍ଦ୍ରିତ ରହୁ ବୋଲି ବିକାଶଶୀଳ ଦେଶଗୁଡ଼ିକ ଚାହୁଁଥିବା ବେଳେ ଜାପାନ, କାନାଡା, ବ୍ରିଟେନ ଆଦି ଚାହୁଁଛନ୍ତି ଯେ ଏଥିରେ ଘରୋଇ ଓ ଅନ୍ୟାନ୍ୟ ଉତ୍ସକୁ ମଧ୍ୟ ସାମିଲ କରାଯାଉ।
ତୃତୀୟ ପ୍ରଶ୍ନ ଶକ୍ତିକୁ ନେଇ। ୨୦୨୩ରେ ଦୁବାଇରେ ଦେଶମାନେ ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବାକୁ ରାଜି ହୋଇଥିଲେ। ତୁର୍କୀ ଏକ ‘୩୫-ସୁଦ୍ଧା-୩୫’ ପ୍ରତିଶ୍ରୁତିକୁ ଆଗେଇ ନେଉଛି, ଯାହାର ଲକ୍ଷ୍ୟ ବିଶ୍ୱର ଚୂଡ଼ାନ୍ତ ଶକ୍ତି ବ୍ୟବହାରରେ ବିଦ୍ୟୁତ୍ର ଅଂଶକୁ ଆଜିର ପ୍ରାୟ ୨୩%ରୁ ୨୦୩୫ ସୁଦ୍ଧା ୩୫%କୁ ନେବା। ଜର୍ମାନୀ, ଦକ୍ଷିଣ କୋରିଆ ଓ ପରବର୍ତ୍ତୀ ‘କପ୍’ର ଆୟୋଜକ ଇଥିଓପିଆ ସମେତ ପ୍ରାୟ ୧୪ଟି ଦେଶ ଖୋଲାଖୋଲି ଏହାକୁ ସମର୍ଥନ କରିଛନ୍ତି। ଅନେକ ଦ୍ୱୀପ ରାଷ୍ଟ୍ର ଜୋର ଦେଉଛନ୍ତି ଯେ ଏହି ବିଦ୍ୟୁତ୍ ନିର୍ମଳ ଉତ୍ସରୁ ଆସିବା ଦରକାର। କିନ୍ତୁ ପ୍ରତିଶ୍ରୁତ ବିଦ୍ୟୁତ୍ କିପରି ଉତ୍ପାଦିତ ହେବ ତାହା କୁହାଯାଇନାହିଁ। ଭାରତ ସ୍ପଷ୍ଟ କରିଦେଇଛି ଯେ ସେ ଏଥିରେ ଦସ୍ତଖତ କରିବ ନାହିଁ।
ଚତୁର୍ଥ ପ୍ରଶ୍ନ ବାଣିଜ୍ୟ ସମ୍ବନ୍ଧିତ। ଜାନୁଆରି ୧ରୁ ୟୁରୋପୀୟ ୟୁନିଅନ ପକ୍ଷରୁ ଲୁହା ଓ ଇସ୍ପାତ, ଆଲୁମିନିଅମ, ସିମେଣ୍ଟ, ସାର, ବିଦ୍ୟୁତ୍ ଓ ହାଇଡ୍ରୋଜେନ ଆମଦାନି ଉପରେ ‘କାର୍ବନ ସୀମା ସମନ୍ୱୟ ବ୍ୟବସ୍ଥା’ (ସି.ବି.ଏ.ଏମ.) ଲାଗୁ କରାଯାଇଛି। ଭାରତ, ଚୀନ ଓ ଅନ୍ୟ ‘ବ୍ରିକ୍ସ’ ଦେଶ ଏହାକୁ ଏକପାଖିଆ ଓ ଭେଦଭାବମୂଳକ ବାଣିଜ୍ୟିକ ପଦକ୍ଷେପ ବୋଲି କହୁଛନ୍ତି। ସୁତରାଂ, ଜଳବାୟୁ ଓ ବାଣିଜ୍ୟ ଉପରେ ଏକ ଆନୁଷ୍ଠାନିକ କାର୍ଯ୍ୟସୂଚି ପ୍ରସ୍ତାବ ପ୍ରସଙ୍ଗରୁ ବାଦ ପଡ଼ିଗଲା।
ବେଲେମରେ ଅନୁଷ୍ଠିତ ‘କପ୍’ରେ ଜୀବାଶ୍ମ ଇନ୍ଧନରୁ ଦୂରେଇଯିବା ପ୍ରକ୍ରିୟାରେ ପ୍ରଭାବିତ ଶ୍ରମିକ ଓ ସମୁଦାୟଙ୍କ ପାଇଁ ଏକ ‘ନ୍ୟାୟସଙ୍ଗତ ପରିବର୍ତ୍ତନ’କୁ ସମର୍ଥନ କରାଯାଇଥିଲା। ସେମିତି କ୍ଷୟକ୍ଷତି ପାଇଁ ସହାୟତା କଥା କୁହାଯାଇଥିଲା। ଗଲା ଅଗଷ୍ଟରେ ହୋଇଥିବା ନେପାଳ ବନ୍ୟା ପରେ ‘କ୍ଷୟକ୍ଷତି ପାଣ୍ଠି’ରୁ ଅସ୍ଥାୟୀ ଭାବେ ୨୧.୬ ମିଲିଅନ ଡଲାର ଅଲଗା କରି ରଖାଯାଇଥିବା ବେଳେ ନେପାଳ ନିଜର ପୁନରୁଦ୍ଧାର ଆବଶ୍ୟକତା ପ୍ରାୟ ୪.୭୭ ବିଲିଅନ ଡଲାର ବୋଲି ଆକଳନ କରିଛି। ଏହି ବ୍ୟବଧାନ ଦର୍ଶାଇଥାଏ ଯେ କ୍ଷୟକ୍ଷତି ଭରଣା ଲାଗି ଉଦ୍ଦିଷ୍ଟ ବ୍ୟବସ୍ଥାକୁ ଆହୁରି ଅନେକ ବାଟ ଯିବାକୁ ବାକି ଅଛି।
ଏହି ସଂଦର୍ଭରେ ଦେଶଗୁଡ଼ିକ ମଧ୍ୟେର ଥିବା ମତ ବିଭାଜନ ମଧ୍ୟ ସାମନାକୁ ଆସିଥାଏ। ବିକାଶଶୀଳ ଦେଶମାନେ ଚାହାନ୍ତି ଯେ ବିକଶିତ ଦେଶଙ୍କ ଅର୍ଥ ସହାୟତାକୁ, ନିର୍ଦ୍ଦିଷ୍ଟ ଅଙ୍କ ଓ ସମୟ ସୀମା ସହିତ ଏକ ବାଧ୍ୟବାଧକତା ଭାବେ ଦେଖାଯାଉ। କିନ୍ତୁ, ବିକଶିତ ଦେଶମାନେ ସବୁ ଉତ୍ସରୁ ଅର୍ଥ ‘ସଂଗ୍ରହ’ କରିବା ଏବଂ ଧନୀ ଉଦୀୟମାନ ଅର୍ଥନୀତି ସହ ‘ବୋଝ ବଣ୍ଟନ’ କରିବା କଥା କହନ୍ତି। ନୂଆ ସରକାରୀ ପାଣ୍ଠିର ପ୍ରତିଶ୍ରୁତି ଦେବାକୁ ସେମାନେ କୁଣ୍ଠିତ। ଦ୍ୱିତୀୟରେ, କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଓ ଅନେକ ୟୁରୋପୀୟ ଦେଶ ଚାହାନ୍ତି ଯେ ସମ୍ମିଳନୀ ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବାର ସଂକଳ୍ପକୁ ଜୀବନ୍ତ ରଖୁ। କିନ୍ତୁ ପ୍ରମୁଖ ତେଲ ଉତ୍ପାଦକ ଦେଶ ଏହାର ବିରୋଧ କରନ୍ତି। ଭାରତ ସମେତ ବଡ଼ ବିକାଶଶୀଳ ଦେଶମାନଙ୍କ ଯୁକ୍ତି ହେଲା, ପ୍ରତ୍ୟେକ ଦେଶ ନିଜ ପଥ ଓ ଗତି ନିଜେ ବାଛିବ ଏବଂ ଯେଉଁମାନେ କୋଇଲା ଓ ତେଲରେ ଧନୀ ହୋଇଛନ୍ତି, ସେମାନେ ହିଁ ଆଗ ପାଦ ବଢ଼ାନ୍ତୁ। ଆଣ୍ଟାଲିଆରେ ଅଧିକାଂଶ ଧ୍ୟାନ ଯାଉଛି ସ୍ୱେଚ୍ଛାମୂଳକ ଘୋଷଣାନାମା (ଭଲ୍ୟୁଣ୍ଟାରି ଡିକ୍ଲେରେସନ) ଉପରେ। କିନ୍ତୁ ସ୍ବେଚ୍ଛାକୃତ ଘୋଷଣାରେ ପ୍ରତିଶ୍ରୁତି ପୂରଣର ବାଧ୍ୟବାଧକତା ନ ଥାଏ। ବିପଦାପନ୍ନ ଦେଶମାନଙ୍କର ଯାହା ଦରକାର, ତାହା ହେଲା ବୁଝାମଣା ମାଧ୍ୟମରେ ସ୍ଥିର ହେଉଥିବା ବିଷୟ ନଥିରେ ସ୍ଥାନ ପାଇବା ଦରକାର।
ଆଣ୍ଟାଲିଆରେ ଭାରତ ଏକ କାର୍ଯ୍ୟକ୍ଷମ ଜଳବାୟୁ ‘ଫାଇନାନ୍ସ’ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଛି। ଭାରତ ଚାହେଁ, ବିଶ୍ୱ ଲକ୍ଷ୍ୟ ଅଧୀନରେ, ଅନୁକୂଳନ ପାଇଁ ଥିବା ‘ଇଣ୍ଡିକେଟର’ ବା ସୂଚକଗୁଡ଼ିକ ଇଚ୍ଛାଧୀନ ରହୁ, ଅର୍ଥ ପାଇବା ପାଇଁ ଯେମିତି ସେ ସବୁ ସର୍ତ୍ତରେ ପରିଣତ ନ ହୁଏ। ନ୍ୟାୟସଙ୍ଗତ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନାରେ ଭାରତ ଖାଦ୍ୟ ବ୍ୟବସ୍ଥାର ଉଲ୍ଲେଖକୁ ବିରୋଧ କରିଛି; କାରଣ ଭାରତ କୃଷି, ଖାଦ୍ୟ ସୁରକ୍ଷା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବିକା ନେଇ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେ ନାହିଁ। ୟୁରୋପୀୟ ୟୁନିଅନର କାର୍ବନ ଶୁଳ୍କକୁ ମଧ୍ୟ ଭାରତ ଦୃଢ଼ ବିରୋଧ କରୁଛି।
ବିକାଶଶୀଳ ଦେଶମାନଙ୍କ ଦାବି ଓ ବିଜ୍ଞାନର ଆବଶ୍ୟକତାକୁ ମାପକାଠି କଲେ ପାଞ୍ଚଟି ଆହ୍ବାନ ସ୍ପଷ୍ଟ ଭାବେ ଉଭା ହୁଏ। ପ୍ରଥମତଃ, ଅନୁକୂଳନ ଅର୍ଥ ପାଇଁ ଏକ ଆଧାର ଅଙ୍କ ଏବଂ ତିନି ଗୁଣ କରିବାର ଏକ ସ୍ପଷ୍ଟ ପଥ। ପ୍ରାରମ୍ଭିକ ଅର୍ଥ ରାଶିର ଏକ ସଙ୍କେତ ବିନା, ‘ତିନିଗୁଣ’ କରିବା କଥା କେବଳ ଏକ ସ୍ଲୋଗାନ ହୋଇ ରହିଯିବ। ଦ୍ୱିତୀୟତଃ, ‘ଫାଇନାନ୍ସ’ କାର୍ଯ୍ୟକ୍ରମର ଏକ ସ୍ପଷ୍ଟ ଉଦ୍ଦେଶ୍ୟ ଥିବା ଦରକାର। ଏହା ବିକଶିତ ଦେଶମାନଙ୍କ ଦାୟବୋଧ ଓ ବିତ୍ତୀୟ ସହାୟତାର ଗୁଣମାନକୁ ସଂବୋଧିତ କରିବା ଉଚିତ; ଯେମିତି ତାହା ଋଣ ନ ହୋଇ ରିହାତିମୂଳକ ଅନୁଦାନ ହୁଏ। ତୃତୀୟତଃ, ଅନୁକୂଳନର ‘ଇଣ୍ଡିକେଟର’ ବା ସୂଚକ ଦେଶମାନଙ୍କୁ ସାହାଯ୍ୟ କରୁ, ବାଧା ନ ଦେଉ। ଚତୁର୍ଥତଃ, ବିପର୍ଯ୍ୟସ୍ତମାନଙ୍କ ସହାୟତା ସକାଶେ ଯଥୋଚିତ କ୍ଷୟକ୍ଷତି ପାଣ୍ଠି କାର୍ଯ୍ୟକ୍ଷମ ହେବା ଦରକାର। ଏଥିପାଇଁ ଯଥେଷ୍ଟ ଅର୍ଥ ଓ ସରଳ ପ୍ରକ୍ରିୟା ଆବଶ୍ୟକ। ପଞ୍ଚମତଃ, ଶକ୍ତି ଓ ବାଣିଜ୍ୟ ପ୍ରସଙ୍ଗରେ ଏକ ନ୍ୟାୟପୂର୍ଣ୍ଣ ଉପସଂହାର ଲୋଡ଼ା। ଅର୍ଥାତ୍ ପ୍ରକୃତ କାର୍ଯ୍ୟଭାର ଓ ସମ୍ବଳ ଇତ୍ୟାଦିକୁ ନେଇ ନ୍ୟାୟସଙ୍ଗତ ପରିବର୍ତ୍ତନର ବ୍ୟବସ୍ଥା ହେଉ।
ପୂର୍ବବର୍ତ୍ତୀ ଦୁଇଟି ସମ୍ମିଳନୀରେ ଦିଆଯାଇଥିବା ପ୍ରତିଶ୍ରୁତି ସକାଶେ ଏହା ହେଉଛି ପ୍ରଥମ ପରୀକ୍ଷା। ୨୦୨୪ରେ ବାକୁରେ ସ୍ଥିର ହୋଇଥିବା ନୂଆ ‘ଫାଇନାନ୍ସ’ର ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ବର୍ଷକୁ ୩୦୦ ବିଲିଅନ ଡଲାର, ଏବଂ ବେଲେମରେ ଦିଆଯାଇଥିବା ପ୍ରତିଶ୍ରୁତି ହେଉଛି ଅନୁକୂଳନ ଅର୍ଥକୁ ତିନି ଗୁଣ କରିବା। କିନ୍ତୁ ଅସଂଗତିଟି ହେଲା, ଐତିହାସିକ ଭାବେ ସର୍ବାଧିକ ନିର୍ଗମନକାରୀ ଏବଂ ସର୍ବାଧିକ ବିତ୍ତଶାଳୀ ଦେଶ ଆମେରିକାର ସରକାରୀ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଅନୁପସ୍ଥିତ। ଏଭଳି ଏକ ବର୍ଷରେ ପ୍ରମାଣ କରିବାକୁ ହେବ ଯେ ଏହା କେବଳ କଥାରୁ ଅଧିକ କିଛି ଦେଇପାରେ। ପ୍ରଶ୍ନ ଏହା ନୁହେଁ ଯେ ସହମତ ହୋଇପାରିବେ କି ନାହିଁ; ପ୍ରଶ୍ନ ହେଉଛି ସହମତି ସହ କାର୍ଯ୍ୟ କରିବା ଲାଗି ସାଧନ ଉପଲବ୍ଧ ହେବ ତ?
(ମତାମତ ଲେଖକଙ୍କ ନିଜସ୍ବ)
ଇଥୋସ୍ ଇକୋ ସଲ୍ୟୁସନ୍ସ

2 hours ago
1


