ARTICLE AD BOX
ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲୁଥିବା ପରୋକ୍ଷ ଶାନ୍ତି ଆଲୋଚନା ସମୟରେ ଇସ୍ରାଏଲ୍ ଦ୍ୱାରା ଇରାନର ଦୁଇ ଶୀର୍ଷ ନେତାଙ୍କୁ ଟାର୍ଗେଟ୍ କରି ହତ୍ୟା ଯୋଜନା ହୋଇପାରେ ବୋଲି ଆମେରିକୀୟ ଅଧିକାରୀମାନେ ଆଶଙ୍କା କରିଥିଲେ। ଏହି ଖବର ‘ଦ ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଆଧାରରେ ପ୍ରକାଶିତ ହୋଇଛି। ଏହା ଅନୁଯାୟୀ, ଆମେରିକା ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡିକୁ ଅନୁରୋଧ କରିଥିଲା ଯେ ସେମାନେ ଇରାନକୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ସତର୍କ କରାନ୍ତୁ।
ରିପୋର୍ଟରେ କୁହାଯାଇଛି ଯେ, ଆଶଙ୍କାର କେନ୍ଦ୍ରବିନ୍ଦୁ ଥିଲେ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଏବଂ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ। ଏହି ଦୁଇଜଣ ଆମେରିକା ସହ ପରୋକ୍ଷ ଆଲୋଚନା ଓ ଯୁଦ୍ଧବିରତି ସଂପର୍କିତ ଆଲୋଚନାରେ ମୁଖ୍ୟ ଭୂମିକା ନେଉଥିଲେ।
ଆମେରିକୀୟ ଅଧିକାରୀମାନେ ମନେ କରୁଥିଲେ ଯେ ଯଦି ଆଲୋଚନା ଚାଲୁଥିବା ସମୟରେ କୌଣସି ହତ୍ୟା ଘଟେ, ତେବେ ଏହା ସମ୍ପୂର୍ଣ୍ଣ ଶାନ୍ତି ପ୍ରକ୍ରିୟାକୁ ଭଙ୍ଗ କରି ନୂଆ ଯୁଦ୍ଧ ସ୍ଥିତି ସୃଷ୍ଟି କରିପାରେ। ଅନ୍ୟପଟେ, ଆମେରିକା ମନେ କରୁଥିଲା ଯେ ସକ୍ରିୟ ଯୁଦ୍ଧ ପରିସ୍ଥିତିରେ ଏହି ଦୁଇ ନେତା ସାଧାରଣ ସାମରିକ ଟାର୍ଗେଟ୍ ଭାବେ ଗଣ୍ୟ ହୋଇପାରନ୍ତି, କିନ୍ତୁ ଆଲୋଚନା ଚାଲୁଥିବା ସମୟରେ ଆକ୍ରମଣ ହେଲେ ରାଜନୈତିକ ବିଶ୍ବାସ ଭାଙ୍ଗିଯିବ।
ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଶାସନ ଜାଣିଥିଲା ଯେ ଆରାଘଚି ଓ ଗାଲିବାଫ ଇସ୍ରାଏଲ୍ର ଟାର୍ଗେଟ୍ ତାଲିକାରେ ଅଛନ୍ତି। ତେଣୁ ଇସ୍ରାଏଲ୍କୁ ଏହି ଧରଣର ଆକ୍ରମଣ ନ କରିବାକୁ ଆମେରିକା ଅନୁରୋଧ କରିଥିଲା। ପୂର୍ବରୁ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ମଧ୍ୟ ଏହି ଦୁଇ ନେତା ଟାର୍ଗେଟ୍ ତାଲିକାରେ ଥିବା ଖବର ଦେଇଥିଲା।
America:ଦୋହାରେ ଆମେରିକା-ଇରାନ ପରୋକ୍ଷ ଆଲୋଚନାରେ ‘ସକାରାତ୍ମକ ଅଗ୍ରଗତି’
ଅନ୍ୟ ଏକ ଘଟଣାରେ, ଗାଲିବାଫଙ୍କ ଇସଲାମାବାଦ ଯାତ୍ରା ସମୟରେ ଇରାନ ସରକାର ପାକିସ୍ତାନ ଓ କତର ମାଧ୍ୟମରେ ଆମେରିକାଠାରୁ ନିରାପତ୍ତା ନିଶ୍ଚିତତା ଚାହିଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଯୁଦ୍ଧବିମାନ ଇରାନୀ ଡେଲିଗେସନ୍ ବିମାନକୁ ସୁରକ୍ଷା ଦେଇଥିଲା। ଫେରିବା ସମୟରେ ଇରାନୀ ସୁରକ୍ଷା ଅଧିକାରୀମାନେ ସୂଚନା ଦେଇଥିଲେ ଯେ ଇସ୍ରାଏଲ୍ ଆକ୍ରମଣ ଯୋଜନା କରୁଛି ଏବଂ ଦୁଇଟି ଇସ୍ରାଏଲୀ ଯୁଦ୍ଧବିମାନ ଇରାନ ଆକାଶସୀମାରେ ପ୍ରବେଶ କରିଥିବା ଆଶଙ୍କା ରହିଛି। ଏହି ସମୟରେ ବିମାନଟି ମଶହଦ୍ରେ ଜରୁରିକାଳୀନ ଅବତରଣ କରିଥିଲା ଏବଂ ପରେ ଦଳ ସଡକ ପଥରେ ତେହେରାନ ଫେରିଥିଲା।
ସମ୍ପ୍ରତି ଆମେରିକା ଓ ଇରାନ ମଧ୍ୟରେ କତରର ଦୋହାରେ ଆଉ ଏକ ପରୋକ୍ଷ ଆଲୋଚନା ସମାପ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ଆଗାମୀ ଆଲୋଚନା ଇରାନର ପୂର୍ବ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତ୍ୟେଷ୍ଟି (ଜୁଲାଇ ୯) ପରେ ହେବାର ସମ୍ଭାବନା ରହିଛି।

1 hour ago
1


