village: ଅବହେଳିତ ସଂଗ୍ରାମୀଙ୍କ ଗାଁ ଥୁଆବାରି: ପାଣିକାଦୁଅରେ ବୁଡ଼ି ରହିଛି ସହିଦଙ୍କ ସ୍ମୃତିସ୍ତମ୍ଭ

50 minutes ago 2
ARTICLE AD BOX

ନୟାଗଡ଼( ସନ୍ଦୀପ ଲେଙ୍କା): ୧୯୩୮ରେ ନୟାଗଡ଼ ପ୍ରଜା ଆନ୍ଦୋଳନର ଏମାନେ ଥିଲେ ପୁରୋଧା। ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଏମାନେ ଗୁଳି ଖାଇଥିଲେ। କିଏ କାରାବରଣ କଲେ ତ, ଆଉ କିଏ ପାଇଲେ ବେତସଜା। କିଏ ପାଗଳ ହୋଇଯାଇଥିଲେ ତ ଆଉ କାହାକୁ ଆଖି ହରାଇବାକୁ ପଡ଼ିଥିଲା। ଆଉ ଆଜି ପର୍ଯ୍ୟନ୍ତ କିଏ ନିଖୋଜ ବି ଅଛି। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ଗୋରା ସରକାରଙ୍କଠାରୁ କେତେ ଯେ ନିର୍ଯାତନା ପାଇଛନ୍ତି, ଏହାକୁ ବର୍ଣ୍ଣନା କରିବା ବେଳେ ସେମାନଙ୍କ ଦାୟାଦମାନଙ୍କ କଣ୍ଠରୁଦ୍ଧ ହୋଇଯାଉଥିଲା। ମାତ୍ର ସେମାନଙ୍କୁ ସରକାର ଆଡ଼ ଆଖିରେ ନ ଅନାଇବା, ଏହି ଦାୟାଦମାନଙ୍କୁ ବେଶ୍ କଷ୍ଟ ଦେଉଛି। ସଂଗ୍ରାମୀମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ଦିଆଯାଉଥିବା ପେନସନ୍‌ ବନ୍ଦ ହୋଇଯାଇଛି। ଫଳରେ ଏହି ସଂଗ୍ରାମୀମାନଙ୍କ ଦାୟାଦମା‌ନେ ବାଉଁଶ ଓ ବେତ ତିଆରି ସାମଗ୍ରୀ ତିଆରି କରିବା ସହ ଚାଷ କରି ନିଜ ପେଟ ପୋଷୁଥିବା ଜଣାପଡ଼ିଛି। ଏହା ହେଉଛି ନୂଆଗାଁ ବ୍ଲକ୍ ଥୁଆବାରି ଗାଁର କାହାଣୀ। 

Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍‌ଡେଟ୍

ଏହି ସଂଗ୍ରାମୀଙ୍କର ଦାୟାଦମାନଙ୍କଠାରୁ ସ୍ବାଧୀନତା ଆନ୍ଦୋଳନ ସମ୍ପର୍କରେ ସାଉଁଟା ଯାଇଥିବା କିଛି ସ୍ମୃତିକୁ ଶୁଣିଲେ ‌ଲୋମ ଟାଙ୍କୁରି ଉଠେ। ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଥୁଆବାରି ଗାଁର ଭୂମିକା ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ଆନନ୍ଦ ଚନ୍ଦ୍ର ସ୍ବାଇଁ। ପିପିଲି ଡେଲାଙ୍ଗରେ ମହାତ୍ମା ଗାନ୍ଧୀଙ୍କ ବୈଠକରେ ଯୋଗ ଦେବା ପରେ ଆନନ୍ଦ ଗାଁକୁ ଫେରି ସମସ୍ତଙ୍କୁ ସଂଗ୍ରାମୀ ହେବା ପାଇଁ ପ୍ରବର୍ତ୍ତାଇଥିଲେ। ଏହାପରେ ପୂରା ଗାଁର ଲୋକ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନରେ ସାମିଲ ହୋଇଥିଲେ। ମାତ୍ର ଆଜି ଏହିପରି ଏକ ଗାଁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି। ଅକ୍ଟୋବର ୧୦ରେ ଗାଁ ପକ୍ଷରୁ ସହିଦ ସ୍ମୃତିସଭା ଆୟୋଜନ କରାଯାଏ। ଏଥିରେ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ପହଞ୍ଚି କେବଳ ତୋପ ସଲାମି ଦେଇ ନିଜ ଦାୟିତ୍ବ ଶେଷ କରି ଦିଅନ୍ତି। ଏହି ସଭା ଆୟୋଜନ କରିବା ପାଇଁ ଗ୍ରାମବାସୀ ମଧ୍ୟ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି। 

BMC: ବିଏମ୍‌ସି କର୍ପୋରେସନ ବୈଠକ: ଦୋକାନ ପାଇଁ ହଙ୍ଗାମା, କର୍ପୋରେଟର ମୁହାଁମୁହିଁ

ଗାଁ ସଭାପତି ନବ କିଶୋର ସାହୁଙ୍କ ସୂଚନା ମୁତାବକ, ଗାଁକୁ ନେଇ ‌ତାଙ୍କୁ ଯେତିକି ଗର୍ବ ଲାଗୁଛି, ତା’ଠାରୁ ବେଶି ଦୁଃଖ ବି ଲାଗୁଛି। ଗାଁରେ ଲୋକଙ୍କ କାରବାର ପାଇଁ ଗୋଟିଏ ପୋଖରୀ ପାଇଁ ବହୁବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରୁଛୁ। ମାତ୍ର ଏ ଦିଗରେ କିଛି ବି ପଦକ୍ଷେପ ନିଆଯାଉ ନାହିଁ। ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ପରେ ସେମାନଙ୍କୁ ମିଳୁଥିବା ପେନସନକୁ ବନ୍ଦ କରି ଦିଆଗଲା। ଯିଏ ମାଟି ପାଇଁ ସର୍ବସ୍ବ ବଳିଦାନ କରି ଦେଲା, ସେମାନଙ୍କ ଦାୟଦମାନେ ଏବେ ଚଳିବା ପାଇଁ ସଂଘର୍ଷ କରୁଛନ୍ତି। ସେହିପରି ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟଦ ବିନୋଦ କୁମାର ସ୍ବାଇଁଙ୍କ କହିବା ମୁତାବକ, ଆଜି ପର୍ଯ୍ୟନ୍ତ ସହିଦମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ସ୍ମୃତିସ୍ତମ୍ଭଟି ପାଣି କାଦୁଅରେ ବୁଡ଼ି ରହିଛି। କିଛି ଦିନ ତଳେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିବାରୁ, ତାହା ଭାଙ୍ଗି ଯାଇଥିଲା। ଆଉ ଏକ ଜାଗାରେ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ପାଇଁ ଦାବି କରୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ କିଛି ବି ପଦକ୍ଷେପ ନେଉ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.