ARTICLE AD BOX
ପଶୁପାଳକଙ୍କ ପାଇଁ ଖୁସି ଖବର। ଦେଶୀ ଗାଈ ପାଳନକୁ ଉତ୍ସାହିତ କରିବା ସହ ଗୋପାଳକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଉତ୍ତରପ୍ରଦେଶ ସରକାର ଆରମ୍ଭ କରିଛନ୍ତି ‘ମୁଖ୍ୟମନ୍ତ୍ରୀ ପ୍ରଗତିଶୀଳ ପଶୁପାଳକ ପ୍ରୋତ୍ସାହନ ଯୋଜନା’। ଏହି ଯୋଜନା ଅଧୀନରେ ଯୋଗ୍ୟ ପଶୁପାଳକଙ୍କୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିପାରିବ।
ଉତ୍ତରପ୍ରଦେଶରେ ଦେଶୀ ଗାଈ ପାଳନକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଦେଶୀ ଗାଈର ସଂରକ୍ଷଣ, ଉନ୍ନତ ପ୍ରଜନନ ଏବଂ ଗୋପାଳକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ସହ ପଶୁପାଳନ କ୍ଷେତ୍ରକୁ ମଧ୍ୟ ମଜଭୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ନିର୍ଦ୍ଧାରଣ କରାଯାଇଛି ପ୍ରୋତ୍ସାହନ ରାଶି
ଏହି ଯୋଜନାରେ ମୋଟ ୫ଟି ଦେଶୀ ପ୍ରଜାତିର ଗାଈକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଗିର୍, ସାହିୱାଲ, ହରିୟାଣା, ଗଙ୍ଗାତିରୀ ଓ ଥାରପାରକର। ଗାଈର ଦୈନିକ କ୍ଷୀର ଉତ୍ପାଦନ ଅନୁସାରେ ପ୍ରୋତ୍ସାହନ ରାଶି ନିର୍ଦ୍ଧାରଣ କରାଯାଇଛି। ସାହିୱାଲ, ଗିର୍ ଓ ଥାରପାରକର ପ୍ରଜାତିର ଗାଈ ଦୈନିକ ୮ରୁ ୧୨ କିଲୋଗ୍ରାମ କ୍ଷୀର ଦେଲେ ୧୦ ହଜାର ଟଙ୍କା ଏବଂ ୧୨ କିଲୋଗ୍ରାମରୁ ଅଧିକ ଦେଲେ ୧୫ ହଜାର ଟଙ୍କା ମିଳିବ। ସେହିପରି ହରିୟାଣା ଓ ଗଙ୍ଗାତିରୀ ପ୍ରଜାତି ପାଇଁ ମଧ୍ୟ ଭିନ୍ନ କ୍ଷୀର ଉତ୍ପାଦନ ମାନଦଣ୍ଡ ରହିଛି।
ସର୍ବାଧିକ ଦୁଇଟି ଗାଈ
ଏହି ଯୋଜନାର ଲାଭ ପାଇବାକୁ ହେଲେ ଆବେଦନକାରୀ ଉତ୍ତରପ୍ରଦେଶର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ଏଥିସହ ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ସହ ଉପରୋକ୍ତ ପ୍ରଜାତିର ଗାଈ ପାଳନ କରୁଥିବା ଦରକାର। ଜଣେ ପଶୁପାଳକ ସର୍ବାଧିକ ଦୁଇଟି ଗାଈ ପାଇଁ ଏହି ଯୋଜନାର ଲାଭ ଉଠାଇପାରିବେ। ତେବେ ପ୍ରତ୍ୟେକ ଗାଈ ପାଇଁ ଜୀବନକାଳରେ ମାତ୍ର ଥରେ ହିଁ ପ୍ରୋତ୍ସାହନ ରାଶି ମିଳିବ।
ଏଥିପାଇଁ ଆଗ୍ରହୀ ପଶୁପାଳକମାନେ ନନ୍ଦ ବାବା ଦୁଗ୍ଧ ମିଶନର ଅଫିସିଆଲ୍ ପୋର୍ଟାଲ୍ରେ ଅନଲାଇନ୍ ଆବେଦନ କରିପାରିବେ। ଏହାବ୍ୟତୀତ ନିଜ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ କିମ୍ବା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଆବେଦନ କରିହେବ। ଆବେଦନ ସମୟରେ ଆଧାର କାର୍ଡ, ଗାଈର ମାଇକ୍ରୋଚିପ୍ କିମ୍ବା ଇୟର ଟ୍ୟାଗ୍ର ପ୍ରମାଣ, ଗାଈର ବୀମା ବିବରଣୀ, ବ୍ୟାଙ୍କ ପାସବୁକ୍ ଓ ଗାଈ ସହ ପଶୁପାଳକଙ୍କ ଫଟୋ ଦାଖଲ କରିବାକୁ ପଡ଼ିବ। ଏଥିସହ ଗାଈର ଜୀବନକାଳରେ ଥରେ ମାତ୍ର ଏହି ଅର୍ଥ ଗ୍ରହଣ କରୁଥିବା ନେଇ ଏକ ଶପଥପତ୍ର ଦେବାକୁ ହେବ।

2 days ago
3


