ARTICLE AD BOX
କାମାକ୍ଷାନଗର/ପଣ୍ଡୁଆ: ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରଣୀ ଫରେଷ୍ଟ ବିଟ୍ର ଗୋଦରବିଲି ଜଙ୍ଗଲ ନିକଟ ଚାଷଜମିରେ ଆଜି ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ଶନିବାର ସକାଳେ ପ୍ରାୟ ୫୦୦ ମିଟର ବ୍ୟବଧାନରେ ଦୁଇ ମୃତହାତୀଙ୍କ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଗୋଟିଏ ୧୨ ବର୍ଷର ମାଈହାତୀ ଥିବା ବେଳେ ଅନ୍ୟ ଶିଶୁ ମାଈହାତୀର ବୟସ ମାତ୍ର ୫ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ସୋଲାର୍ ବାଡ଼ରୁ ନିର୍ଗତ ବିଦ୍ୟୁତ୍ ଆଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଚାଷୀ ରାଜ ନାଏକ ଓ ତାଙ୍କ ପୁଅ କୁମର ନାଏକଙ୍କ ବିଲ ପାଖରେ ହାତୀଙ୍କ ମୃତ୍ୟୁ ହୋଇଥିବାରୁ ବାପପୁଅଙ୍କୁ ବନ ବିଭାଗ ଅଟକ ରଖିଛି।
Elephants: କାମାକ୍ଷାନଗର ଗୋଦରବିଲ୍ଲି ଜଙ୍ଗଲରୁ ମିଳିଲା ଶିଶୁ ହାତୀ ଓ ବୟସ୍କ ହାତୀର ମୃତଦେହ
ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଗୋଦରବିଲି ଓ ଆଖପାଖ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ହାତୀପଲ ଚଳପ୍ରଚଳ କରୁଛନ୍ତି। ପ୍ରତିଦିନ ରାତିରେ ହାତୀପଲ ଧାନଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଶୁକ୍ରବାର ରାତିରେ ହାତୀପଲଙ୍କ ପ୍ରବଳ ଗର୍ଜନ ଶୁଣିବାକୁ ମିଳିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ସକାଳୁ ଧାନକ୍ଷେତରେ ୨ଟି ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବା ପରେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଛି। ଘଟଣାସ୍ଥଳ ନିକଟରେ ବିଦ୍ୟୁତ୍ ତାର ଯାଇ ନଥିବାବେଳେ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ସୋଲାର ବାଡ଼ ଲଗାଯାଇଛି। ହାତୀପଲ ଧାନଜମିରେ ଚଳପ୍ରଚଳ କରିଥିବା ଚିହ୍ନ ମଧ୍ୟ ରହିଛି। ତେଣୁ ସୋଲାର ବାଡ଼ରୁ ବିଦ୍ୟୁତ୍ ଆଘାତ ହୋଇଛି ନା’ ଅନ୍ୟ କୌଣସି ସ୍ଥାନରୁ ବେଆଇନ ଭାବେ ସେଥିରେ ବିଦ୍ୟୁତ୍ ସଂଯୋଗ କରାଯାଇଛି, ନା ହାତୀଙ୍କ ମଧ୍ୟରେ ସଂଘର୍ଷ କିମ୍ବା ବିଷାକ୍ତ ପଦାର୍ଥ ଖାଇ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଢେଙ୍କାନାଳ ଡିଏଫ୍ଓ ଲଳିତ କୁମାର ପାତ୍ର, ରେଞ୍ଜର କୈଳାସ ସାହୁ, ସୁଶାନ୍ତ ପାତ୍ରଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ୨ଟି ହାତୀଙ୍କ ଏକକାଳୀନ ମୃତ୍ୟୁ ଏବଂ ମାତ୍ର ୫୦୦ ମିଟର ବ୍ୟବଧାନରେ ସେମାନଙ୍କ ମୃତଦେହ ଠାବ ହେବା ଘଟଣା ଅନେକ ପ୍ରଶ୍ନ ଛିଡ଼ା କରିଛି।

2 hours ago
2


