ARTICLE AD BOX
ଚେନ୍ନାଇ: ଭାରତର ପ୍ରତିଷ୍ଠିତ ଶିଳ୍ପପତି ପରିବାର ଟିଭିଏସ୍ରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ତୀବ୍ର ହୋଇଛି। ପରିବାରର ସଦସ୍ୟ ଲକ୍ଷ୍ମୀ ବେଣୁ ସମ୍ପତ୍ତି ଭାଗବଣ୍ଟା ପାଇଁ ଦାବି କରି ଆଇନଗତ ନୋଟିସ୍ ପଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପରିବାରର ସମ୍ପତ୍ତିରେ ତାଙ୍କ ଭାଇ ସୁଦର୍ଶନ ବେଣୁଙ୍କୁ ଅଧିକ ଅଧିକାର ଦିଆଯାଇଛି। ତାଙ୍କୁ ନିଜର ଆଇନଗତ ଅଧିକାରରୁ ବଞ୍ଚିତ କରାଯାଇଛି। ତେଣୁ ସେ ୧୯୫୬ର ହିନ୍ଦୁ ଉତ୍ତରାଧିକାର ଆଇନର ୨୦୦୫ରେ ସଂଶୋଧିତ ଧାରା ୬ ଅନୁଯାୟୀ ସମ୍ପତ୍ତିରେ ପୁଅଙ୍କ ସହ ଝିଅମାନଙ୍କ ସମାନ ଅଧିକାର ଥିବା ଦର୍ଶାଇଛନ୍ତି। ଏହି ବିବାଦର ମୁଖ୍ୟ କାରଣ ୨୦୨୪ ମାର୍ଚ୍ଚ ୨୧ରେ ପରିବାରରେ ହୋଇଥିବା ଏକ ଚୁକ୍ତି। ଏଥିରେ ବେଣୁ ଶ୍ରୀନିବାସନ, ତାଙ୍କ ପତ୍ନୀ ମଲ୍ଲିକା ଶ୍ରୀନିବାସନ ଓ ଦୁଇ ସନ୍ତାନ ଲକ୍ଷ୍ମୀ ଓ ସୁଦର୍ଶନ ସ୍ୱାକ୍ଷର କରିଥିଲେ। ତେବେ ଏହି ଚୁକ୍ତିରେ ପରିବାରର ସମ୍ପତ୍ତି ଭାଗବଣ୍ଟା ହୋଇ ନଥିବା ଲକ୍ଷ୍ମୀଙ୍କ ପକ୍ଷରୁ କୁହାଯାଇଛି।
ଆହୁରି ପଢନ୍ତୁ: Priyanka Gandhi: ୟୁପିରେ ଆସନ ବଣ୍ଟନ ଆଲୋଚନାର ନେତୃତ୍ୱ ନେବେ ପ୍ରିୟଙ୍କା
ଏହି ବିବାଦରେ ଲକ୍ଷ୍ମୀଙ୍କ ମା’ ମଲ୍ଲିକା ଶ୍ରୀନିବାସନ ଝିଅଙ୍କୁ ସମର୍ଥନ କରିଛନ୍ତି। ପୁଅ ଓ ଝିଅଙ୍କ ପରିବାର ସମ୍ପତ୍ତିରେ ସମାନ ଅଧିକାର ରହିଛି ଏବଂ ଲକ୍ଷ୍ମୀଙ୍କୁ ମଧ୍ୟ ସୁଦର୍ଶନଙ୍କ ଭଳି ସମାନ ଭାଗ ମିଳିବା ଉଚିତ ବୋଲି ସେ କହିଛନ୍ତି। ପରିବାର ମଧ୍ୟରେ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଟିଭିଏସ୍ ହୋଲ୍ଡିଂସ୍, ଟିଭିଏସ୍ ମୋଟର କମ୍ପାନି, ଟିଭିଏସ୍ କ୍ରେଡିଟ୍ ସର୍ଭିସେସ୍ ଓ ସୁନ୍ଦରମ୍-କ୍ଲେଟନ୍ ଭଳି କମ୍ପାନିରେ ପରିବାରର ଅଂଶଧନ ଓ ଭିଏସ୍ ଟ୍ରଷ୍ଟ ଜରିଆରେ ରହିଥିବା ସମ୍ପତ୍ତିର ଭାଗବଣ୍ଟା ପାଇଁ ଦାବି ହୋଇଛି।
ପୂର୍ବରୁ ଅକ୍ଟୋବର ୧୨ ଓ ୧୩ରେ ପରିବାରର ଚାରିଜଣ ସଦସ୍ୟ ଚେନ୍ନାଇର ବିଭିନ୍ନ ଅଦାଲତରେ କ୍ୟାଭିଏଟ୍ ଦାଖଲ କରିଥିଲେ। ଏହା ଆଗକୁ ଆଇନଗତ ଲଢ଼େଇର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ମାମଲାର ରାୟ ଏପର୍ଯ୍ୟନ୍ତ ଆସିନାହିଁ। ପରିବାରର ଏହି ବିବାଦ ଏବେ କେବଳ ସମ୍ପତ୍ତି ଭାଗବଣ୍ଟାରେ ସୀମିତ ନାହିଁ। ପରିବାରରେ ପୁଅ ଓ ଝିଅଙ୍କ ସମାନ ଅଧିକାର, କମ୍ପାନିର ମାଲିକାନା ଏବଂ ପରିଚାଳନା ନିୟନ୍ତ୍ରଣକୁ ନେଇ ବିବାଦ ଜଟିଳ ହୋଇଛି।

8 hours ago
1


