ARTICLE AD BOX
ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ଦୁର୍ଗମ ଓ ହିଂସାପ୍ରଭାବିତ ଆଦିବାସୀ ଅଞ୍ଚଳର ୧୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ କାଉନ୍ସେଲିଂର ପ୍ରଥମ ପର୍ଯ୍ୟାୟରେ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଏମ୍ବିବିଏସ୍ ଓ ୨ ଜଣ ବିଡିଏସ୍ ସିଟ୍ ହାସଲ କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଏନ୍ଏମ୍ଡିସି ଓ ଦନ୍ତେୱାଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ଚାଲିଥିବା ‘ଛୁ ଲୋ ଆସମାନ’ ଆବାସିକ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରସ୍ତୁତି ନେଇଥିଲେ।
ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପରିବାରର ପ୍ରଥମ ପିଢ଼ିର ଶିକ୍ଷାର୍ଥୀ। ସେମାନଙ୍କ ପରିବାର ଦୁର୍ଗମ ଅଞ୍ଚଳରେ ରହୁଥିବା ବେଳେ ଅଧିକାଂଶଙ୍କ ବାପା-ମା’ କ୍ଷୁଦ୍ର ଚାଷୀ କିମ୍ବା ଦିନମଜୁରିଆ ଭାବେ କାମ କରନ୍ତି। ଜଣେ ସାଧାରଣ ବର୍ଗର ଛାତ୍ରୀଙ୍କୁ ବାଦ୍ ଦେଲେ ମେଡିକାଲ ସିଟ୍ ପାଇଥିବା ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ସଫଳ ଛାତ୍ରୀମାନଙ୍କ ମଧ୍ୟରେ ଦନ୍ତେୱାଡ଼ା ଜିଲ୍ଲାର ପୋତାଲି ଗାଁର ୨୧ ବର୍ଷୀୟା ଦୀପା ମାର୍କମ ଅଛନ୍ତି। ସେ ନିଟ୍ରେ ୪୧୨ ନମ୍ବର ରଖି ଛତିଶଗଡ଼ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ସିଆଇଏମ୍ଏସ୍), ବିଳାସପୁରରେ ଏମ୍ବିବିଏସ୍ ସିଟ୍ ପାଇଛନ୍ତି। ତାଙ୍କ ଗାଁରେ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ଅନେକ ଘଣ୍ଟା ଯାତ୍ରା କରିବାକୁ ପଡ଼ୁଥିଲା। ଡାକ୍ତରୀ ପାଠ ଶେଷ କରି ନିଜ ଅଞ୍ଚଳକୁ ଫେରି ସ୍ଥାନୀୟ ଲୋକଙ୍କ ଚିକିତ୍ସା ବ୍ୟବସ୍ଥାକୁ ମଜଭୁତ କରିବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
୨୦୧୧ରେ ଆରମ୍ଭ ହୋଇଥିବା ‘ଛୁ ଲୋ ଆସମାନ’ କାର୍ଯ୍ୟକ୍ରମରେ ଅଷ୍ଟମ ଶ୍ରେଣୀ ପରେ ଜିଲ୍ଲାସ୍ତରୀୟ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ବଛାଯାଏ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ରହିବା, ଖାଇବା, ପୋଷାକ, ପାଠ୍ୟସାମଗ୍ରୀ ଓ ଆବାସିକ କୋଚିଂ ଦିଆଯାଏ। କାର୍ଯ୍ୟକ୍ରମର ପ୍ରଧାନ ସୈନୀ ରବୀନ୍ଦ୍ରଙ୍କ ଅନୁସାରେ, ଚଳିତ ବର୍ଷ ୨୨ ଜଣ ଛାତ୍ରଛାତ୍ରୀ ନିଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେଥିରୁ ୧୩ ଜଣଙ୍କ କାଉନ୍ସେଲିଂ ଫଳ ପ୍ରକାଶ ପାଇଥିବା ବେଳେ ଆଗାମୀ ପର୍ଯ୍ୟାୟରେ ଆହୁରି ନାମଲେଖା ହେବାର ଆଶା ରହିଛି। ଏଥିସହ ଜେଇଇ ଉତ୍ତୀର୍ଣ୍ଣ ହୋଇଥିବା ଆଉ ୨ ଜଣ ଛାତ୍ରଛାତ୍ରୀ ରାୟପୁର ଏନ୍ଆଇଟିରେ ବିଟେକ୍ ପାଇଁ ନାମ ଲେଖାଇଛନ୍ତି। ଏନ୍ଏମ୍ଡିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅମିତାଭ ମୁଖାର୍ଜୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ନିରନ୍ତର ସୁଯୋଗ ମିଳିଲେ ସାମାଜିକ ଓ ଆର୍ଥିକ ପ୍ରତିବନ୍ଧକ ଦୂର କରି ଯୁବପିଢ଼ି ନିଜ ପରିବାର ଓ ସମାଜରେ ପରିବର୍ତ୍ତନ ଆଣିପାରିବେ।

1 hour ago
1


