ARTICLE AD BOX
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ନେଇ ସୁପ୍ରିମ୍କୋର୍ଟଙ୍କ ବିଭାଜିତ ରାୟକୁ ପ୍ରତ୍ୟାହାର କରିବା ପାଇଁ ଦାଖଲ ଆବେଦନ ଉପରେ ବିଚାର କରିବେ ବୋଲି ଶୀର୍ଷ ଅଦାଲତ ବୁଧବାର କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ପୀଠ ସମ୍ମୁଖରେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଏହି ଆବେଦନର ଉଲ୍ଲେଖ କରିଥିଲେ। ଏହା ଉପରେ ସିଜେଆଇ କହିଥିଲେ, ଆମେ ଏହାକୁ ଯାଞ୍ଚ କରିବୁ ଏବଂ ପରେ ନିଷ୍ପତ୍ତି ନେବୁ।
ବୁଧବାର ଏହି ଆବେଦନର ଉଲ୍ଲେଖ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କ ଖଣ୍ଡପୀଠ ସମ୍ମୁଖରେ କରାଯାଇଥିଲା। ଶଙ୍କରନାରାୟଣନ କହିଥିଲେ ଯେ ସେପ୍ଟେମ୍ବର ୨୩ର ରାୟକୁ ପ୍ରତ୍ୟାହାର କରିବା ପାଇଁ ଏହି ଇଣ୍ଟରଲୋକ୍ୟୁଟୋରି ଆବେଦନ (ଆଇଏ) ଦାଖଲ ହୋଇଛି। ସେପ୍ଟେମ୍ବର ୨୩ରେ ବିଚାରପତି ଦୀପଙ୍କର ଦତ୍ତ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଦୁଇଜଣିଆ ଖଣ୍ଡପୀଠ ୨୦୨୩ର ସିଇସି ଓ ନିର୍ବାଚନ କମିସନର ନିଯୁକ୍ତି ଆଇନକୁ ନେଇ ଦ୍ୱିମତ ପ୍ରକାଶ କରିଥିଲେ। ଏହି ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକୁ ବୃହତ୍ ସାମ୍ବିଧାନିକ ପୀଠକୁ ପଠାଯିବ କି ନାହିଁ, ସେ ନେଇ ଦୁଇ ବିଚାରପତିଙ୍କ ମତ ଭିନ୍ନ ଥିଲା। ବିଚାରପତି ଦତ୍ତ ଏହାର ଆବଶ୍ୟକତା ନାହିଁ ବୋଲି କହିଥିବାବେଳେ ବିଚାରପତି ଶର୍ମା ବୃହତ୍ତର ପୀଠରେ ଶୁଣାଣି ସପକ୍ଷରେ ମତ ଦେଇଥିଲେ।
ଏହି ରାୟ ପରେ ମାମଲାର ବିଚାର ପାଇଁ ଉପଯୁକ୍ତ ସଂଖ୍ୟକ ବିଚାରପତିଙ୍କ ପୀଠ ଗଠନ ଲାଗି ଏହାକୁ ସିଜେଆଇଙ୍କ ନିକଟକୁ ପଠାଯାଇଥିଲା। ନୂଆ ଆବେଦନରେ ବିଚାରପତି ଶର୍ମାଙ୍କ ପୁଅ ନିର୍ବାଚନ ଆୟୋଗର ସ୍ଥାୟୀ ଆଇନଜୀବୀ ଭାବେ ମଧ୍ୟପ୍ରଦେଶ ହାଇକୋର୍ଟରେ କାର୍ଯ୍ୟ କରୁଥିବାରୁ ନିରପେକ୍ଷତା ନେଇ ଆଶଙ୍କା ଥିବା ଦର୍ଶାଯାଇଛି। ୨୦୨୩ର ଆଇନରେ ସିଇସି ଓ ନିର୍ବାଚନ କମିସନରଙ୍କ ନିଯୁକ୍ତି ପାଇଁ ଥିବା କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ କେନ୍ଦ୍ରମନ୍ତ୍ରୀଙ୍କୁ କମିଟିରେ ସାମିଲ କରାଯାଇଛି। ଏହାକୁ ବିରୋଧୀମାନଙ୍କ ପକ୍ଷରୁ ବିରୋଧ କରାଯାଉଛି।
SIR Controversy: ଏସ୍ଆଇଆର୍ ବିବାଦ : ସିଇସିଙ୍କୁ ନିଲମ୍ବନ କରିବାକୁ ମନାକଲେ ସୁପ୍ରିମ୍କୋର୍ଟ

1 hour ago
1


