ARTICLE AD BOX
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତିସ୍ତା ବ୍ୟାରେଜ୍ ପ୍ରକଳ୍ପର ପୁନରୁଦ୍ଧାର ଓ ଭବିଷ୍ୟତ ପରିଚାଳନା ନେଇ ଭାରତ ସରକାର ଏକ ୧୨ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତିସ୍ତା ନଦୀ ପରିଚାଳନା ପାଇଁ ବାଂଲାଦେଶର ଯୋଜନାରେ ଚୀନ୍ର ସହଯୋଗ ବଢ଼ୁଥିବା ସମୟରେ ଭାରତର ଏହି ପଦକ୍ଷେପ ସାମ୍ନାକୁ ଆସିଛି। ଜୁଲାଇ ୧୦ରେ ଗଠିତ ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ। କମିଟିକୁ ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
କମିଟି ତିସ୍ତା ବ୍ୟାରେଜ୍ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଜଳ ବ୍ୟବହାର, ଭବିଷ୍ୟତର ଜଳ ଚାହିଦା ଓ ନଦୀ ଅବବାହିକାର ପରିଚାଳନା ଉପରେ ଅଧ୍ୟୟନ କରିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମଧ୍ୟ ଅନୁଧ୍ୟାନ କରାଯିବ। ଏହାସହ ବ୍ୟାରେଜ୍ ଓ ଏହା ସହ ଜଡ଼ିତ ଭିତ୍ତିଭୂମିକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ପ୍ରସ୍ତାବ ଦେବ କମିଟି। ସିକିମ୍ ଓ ପଶ୍ଚିମବଙ୍ଗର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।
ତିସ୍ତା ନଦୀକୁ ନେଇ ଭାରତର ପଦକ୍ଷେପର ସମୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜୁନ୍ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ୍ଙ୍କ ଚୀନ୍ ଗସ୍ତ ସମୟରେ ବେଜିଂ ତିସ୍ତା ନଦୀର ପରିଚାଳନା ଓ ପୁନରୁଦ୍ଧାର ଯୋଜନାରେ ଢାକାକୁ ବୈଷୟିକ ସହଯୋଗ ଦେବାକୁ ରାଜି ହୋଇଥିଲା। ବାଂଲାଦେଶ ତିସ୍ତା ପ୍ରକଳ୍ପରେ ଚୀନ୍ର ସହଯୋଗ ଚାହୁଛି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନଦୀରେ ନୌଚଳାଚଳ ଓ ଶୁଖିଲା ଋତୁରେ ଜଳ ଉପଲବ୍ଧତା ବଢ଼ାଇବା। ତେବେ ଚୀନ୍ କହିଛି ଯେ ବାଂଲାଦେଶ ସହ ତାହାର ନଦୀ ସହଯୋଗ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ।
ଆହୁରି ପଢନ୍ତୁ: Senior Journalist Pension Scheme ବରିଷ୍ଠ ସାମ୍ବାଦିକ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି
ତାରିକ୍ ରହମାନ୍ ତିସ୍ତା ବ୍ୟାରେଜ୍ ମାଷ୍ଟରପ୍ଲାନ୍କୁ ନିଜ ଦେଶର ଜାତୀୟ ପ୍ରାଥମିକତା ବୋଲି କହିବା ସହ ଏହାକୁ ‘ଯେକୌଣସି ମୂଲ୍ୟରେ’ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ତିସ୍ତା ହିମାଳୟରୁ ବାହାରି ସିକିମ୍ ଓ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ପ୍ରବେଶ କରୁଥିବାରୁ ଏହା କେବଳ ଜଳ ପରିଚାଳନା ନୁହେଁ, ଏବେ ଭୌଗୋଳିକ-ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ବ ବହନ କରୁଛି। ଭାରତୀୟ କମିଟି ତିସ୍ତାରେ ପଟୁମାଟି ଜମା, ଜଳ ଉପଲବ୍ଧତା, ଜଳର ବର୍ତ୍ତମାନ ବ୍ୟବହାର, ଭବିଷ୍ୟତ ଚାହିଦା ଓ ଜଳବାୟୁ ସହନଶୀଳ ରଣନୀତି ଉପରେ ମଧ୍ୟ ଅଧ୍ୟୟନ କରିବ। ଉପରମୁଣ୍ଡର ବନ୍ଧ ଓ ଜଳ ସଂରକ୍ଷଣ ବ୍ୟବସ୍ଥାରୁ ଜଳ ଛାଡ଼ିବା ସମ୍ପର୍କିତ ନିୟମ, ଗଜଲଡୋବା ବ୍ୟାରେଜ୍ ସମେତ ବିଭିନ୍ନ ବ୍ୟବସ୍ଥା ଏବଂ ତିସ୍ତା ଓ ଏହାର ଜଳନିଷ୍କାସନ ପଥର ଜଳଧାରଣ କ୍ଷମତା ବଢ଼ାଇବାର ଉପାୟ ମଧ୍ୟ ଯାଞ୍ଚ କରାଯିବ।

1 hour ago
2


