ARTICLE AD BOX
ଭୁବନେଶ୍ୱର: ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମାର୍ଗଦର୍ଶକ କମିଟି ( ଷ୍ଟିଅରିଂ କମିଟି) ଆଜିର ଏହି ସମୀକ୍ଷା ବୈଠକରେ ହୀରାକୁଦ ଅଞ୍ଚଳକୁ ଏକ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବା ଲକ୍ଷ୍ୟରେ ସମୀକ୍ଷା ହୋଇଥିଲା। ପ୍ରତ୍ୟେକ କାର୍ଯ୍ୟରେ ଗୁଣାତ୍ମକତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ନିର୍ମାଣକାରୀ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ କମିସନର ତଥା ଶାସନ ସଚିବ ବଲଓ୍ୱନ୍ତ ସିଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ଓ ଆଗାମୀ ପଦକ୍ଷେପ ସଂପର୍କରେ ସ୍ଥିତି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ହୀରାକୁଦ ଜଳଭଣ୍ଡାର ଓ ଏହାର ପ୍ରସ୍ତାବିତ କର୍ତ୍ତୃପକ୍ଷ କ୍ଷେତ୍ରକୁ ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ସହିତ ମା' ସମଲେଶ୍ୱରୀ ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବିକାଶ, ହୁମା ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିରର ବିକାଶ, ପାୱାର ଚ୍ୟାନେଲ୍ ୱାଟରଫ୍ରଣ୍ଟ ପ୍ରୋମେନାଡ୍, ମହାନଦୀ ଆଇକନିକ୍ ବ୍ରିଜ୍ ଏବଂ ମହାନଦୀ ଦ୍ୱୀପ ପ୍ରକୃତି ଉଦ୍ୟାନ ଓ ପ୍ରୋମେନାଡ୍ ଆଦି ପ୍ରକଳ୍ପର ସ୍ଥିତି ଉପସ୍ଥାପନ କରାଯାଇଥିଲା।
ସାଗରମାଳା ଯୋଜନା ଓ ଇନଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ ସହଯୋଗରେ ହୀରାକୁଦ ଜଳଭଣ୍ଡାର ଠାରେ କ୍ରୁଜ୍ ପର୍ଯ୍ୟଟନ ପାଇଁ ନାଭିଗେସନ୍ ରୁଟ୍ ଓ ଟର୍ମିନାଲ୍ ବିକାଶ ଯୋଜନା ସମୀକ୍ଷା କରାଯାଇଥିଲା। ସମ୍ବଲପୁରର କାଇଁସର ସ୍କୋୟାର, ଝାରସୁଗୁଡ଼ାର ରାମ୍ପା ଲୁଙ୍ଗା ଏବଂ ବରଗଡ଼ ଜିଲ୍ଲାରେ ଚାରୋଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରି କ୍ରୁଜ୍ ଟର୍ମିନାଲ୍ ବିକାଶ କରିବାର ଯୋଜନା ରହିଛି । ପ୍ରକଳ୍ପଗୁଡ଼ିକର ଅଧ୍ୟୟନ, ଡିପିଆର୍ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ପାଇଁ ସମୟସୀମା ଉପସ୍ଥାପନ କରାଯାଇଥିଲା । ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ମାଇନ୍ ମ୍ୟୁଜିୟମ୍, ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପିରିଏନ୍ସ ସେଣ୍ଟର୍ ଓ ଇକୋ ପାର୍କ ବିକାଶ ପ୍ରକଳ୍ପର ଉପସ୍ଥାପନା କରାଯାଇଥିଲା । ଏନଟିପିସି ପକ୍ଷରୁ ଏନର୍ଜି ଏକ୍ସପିରିଏନ୍ସ ସେଣ୍ଟର୍ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । ଉନ୍ନୟନ ନିଗମ ପକ୍ଷରୁ କର୍ଡୋଲା ଓ ସିଙ୍ଗପାଲିରେ ବୁଣାକାର ଗ୍ରାମ, ଜବାହର ଉଦ୍ୟାନ, ଫ୍ଲୋଟେଲ୍ସ ଓ ଟେଣ୍ଟ ସିଟି ଭଳି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା

23 minutes ago
1


