ARTICLE AD BOX
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭୋଟର ତାଲିକାରୁ ପ୍ରାୟ ୧.୨୭ କୋଟି ହିନ୍ଦୁ ଭୋଟର ବାଦ୍ ପଡ଼ିଛନ୍ତି ବୋଲି ନିକଟରେ ଏକ ସାକ୍ଷାତ୍କାରରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାଜ୍ୟର ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ନାଁ ଥିବା ପ୍ରାୟ ୧.୨୭ କୋଟି ଭୋଟର ନିର୍ବାଚନ କମିସନଙ୍କ ତାଲିକାରେ ନାହାନ୍ତି ବୋଲି ସେ କହିଥିଲେ। ଏଥିସହ ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଥିବା ୫୫ ଲକ୍ଷ ହିନ୍ଦୁଙ୍କ ନାଁ ମଧ୍ୟ ଭୋଟର ତାଲିକାରେ ନ ଥିବା ସେ ଦାବି କରିଥିଲେ। ଯୋଗୀଙ୍କ ଏହି ଦାବି ଉପରେ ଜବାବ ରଖିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା। ସେ କହିଛନ୍ତି ଯେ ନିର୍ବାଚନ ବିଭାଗ ଭୋଟରଙ୍କ ଧର୍ମ ଓ ଜାତି ସମ୍ପର୍କିତ କୌଣସି ତଥ୍ୟ ରଖେ ନାହିଁ। ଏହି ଆଧାରରେ କୌଣସି ଆନୁଷ୍ଠାନିକ ଅନୁଶୀଳନ ମଧ୍ୟ କରାଯାଇନାହିଁ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ଭୋଟର ତାଲିକାରେ ଭୋଟରଙ୍କ ନାଁ, ବାପା କିମ୍ବା ପତ୍ନୀ/ସ୍ୱାମୀଙ୍କ ନାଁ, ବୟସ ଓ ଘର ନମ୍ବର ଭଳି ତଥ୍ୟ ରହିଥାଏ। କିନ୍ତୁ ସେମାନଙ୍କ ଧର୍ମ ଓ ଜାତି ସମ୍ପର୍କରେ କୌଣସି ସୂଚନା ରଖାଯାଏ ନାହିଁ। ଏହି ଭୋଟର ତାଲିକାଗୁଡ଼ିକ ସାର୍ବଜନୀନ ଦସ୍ତାବିଜ ହୋଇଥିବାରୁ ଗଣମାଧ୍ୟମ ସଂସ୍ଥା ଓ ସ୍ୱାଧୀନ ବିଶ୍ଳେଷକମାନେ ଅନେକ ସମୟରେ ନାମ ଏବଂ ଉପଲବ୍ଧ ତଥ୍ୟ ଆଧାରରେ ନିଜସ୍ୱ ଅନୁଶୀଳନ କରିଥାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ଚିଠା ଭୋଟର ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୬.୨୦ କୋଟି ମହିଳାଙ୍କ ସମେତ ମୋଟ ୧୩.୫୮ କୋଟି ଭୋଟର ଅଛନ୍ତି।

21 minutes ago
1


