ARTICLE AD BOX
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗତିବିଧି ହ୍ରାସ ପାଇଥିବା ଦାବି ମଧ୍ୟରେ ଲଗାତାର ଦୁଇଟି ଆକ୍ରମଣ ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି। ନଭେମ୍ବର ୧୧ରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ୍)ର ୪୬ତମ ବାଟାଲିୟନର ତିନିଜଣ ଯବାନ ଆହତ ହୋଇଥିଲେ। ସେହିଦିନ କିସ୍ତୱାଡ଼ରେ ଦୁଇଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍ପିଓ) ନିଖୋଜ ହୋଇଥିଲେ। ପରଦିନ ନଭେମ୍ବର ୧୨ରେ ଦଚ୍ଛନ-ମରୱାହ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ଉଭୟ ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।
କୁଲଗାମ ଜିଲ୍ଲାର ଅଖରାନ ଅଞ୍ଚଳରେ ରାଜପଥ ନିକଟରେ ଥିବା ଏକ ସୁରକ୍ଷା ଯାଞ୍ଚ କେନ୍ଦ୍ରକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ହଠାତ୍ ଗୁଳି ଚଳାଇଥିଲେ। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ। ଏହି ଦୁଇ ଆକ୍ରମଣ ଏପରି ସମୟରେ ହୋଇଛି, ଯେତେବେଳେ ନଭେମ୍ବର ୫ରେ କାଶ୍ମୀର ଜୋନ୍ ପୁଲିସ ମହାନିରୀକ୍ଷକ ସୁଜିତ କୁମାର ଉପତ୍ୟକାରେ ମାତ୍ର ଜଣେ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଥିବା କହିଥିଲେ।
Shooting in Manipur: ମଣିପୁରରେ ଦୁଇଟି କାର୍ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ମୃତ
ନଭେମ୍ବର ୧୧ ଘଟଣାରେ ଲସ୍କର-ଏ-ତୋଇବା ସହ ଜଡ଼ିତ ମହମ୍ମଦ ଲତିଫ ଭଟ୍ଟର ସମ୍ପୃକ୍ତି ଥିବା ସୁରକ୍ଷା ସଂସ୍ଥା ସନ୍ଦେହ କରୁଛି। ତା’ ସହ ଜଣେ କିମ୍ବା ଦୁଇଜଣ ବିଦେଶୀ ଆତଙ୍କବାଦୀ ଥିବା ମଧ୍ୟ ଆଶଙ୍କା କରାଯାଉଛି। ତେବେ ୨୦୧୯ ପରଠାରୁ ସ୍ଥାନୀୟ ଯୁବକଙ୍କ ଆତଙ୍କବାଦୀ ସଂଗଠନରେ ଯୋଗଦାନ ହ୍ରାସ, ସଂଘର୍ଷର ସଂଖ୍ୟା କମିବା ଓ ସୁରକ୍ଷା ବାହିନୀର ଉନ୍ନତ ପ୍ରସ୍ତୁତି ଭଳି ସଫଳତା ଜାରି ରହିଛି। ସିଆର୍ପିଏଫ୍ ଲଗାତାର ୧୨ ମାସ ଧରି କୌଣସି ଯବାନଙ୍କୁ ଅଭିଯାନରେ ହରାଇ ନଥିବା ମଧ୍ୟ ଏହାର ଏକ ଉଦାହରଣ। କିନ୍ତୁ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା କମିବା ସତ୍ତ୍ୱେ ବିଦେଶୀ ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ସ୍ଥାନୀୟ ନେଟୱର୍କର ଉପସ୍ଥିତି ସୁରକ୍ଷା ପାଇଁ ଚିନ୍ତାର କାରଣ ହୋଇଛି।

24 minutes ago
1


