TB Deaths: ଭାରତରେ ଟିବି ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ

3 days ago 4
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ଯକ୍ଷ୍ମା (ଟିବି) ବିରୋଧରେ ଚାଲିଥିବା ଲଢ଼େଇରେ ଏକ ବଡ଼ ସଫଳତା ମିଳିଛି। ୨୦୧୫ ମସିହା ପରଠାରୁ ଦେଶରେ ଟିବି ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଏହି ହ୍ରାସ ବିଶ୍ୱସ୍ତରରେ ରେକର୍ଡହୋଇଥିବା ୩୫ ପ୍ରତିଶତ ହ୍ରାସଠାରୁ ମଧ୍ୟ ଅଧିକ।

ଔଷଧ-ସମ୍ବେଦନଶୀଳ ଟିବି ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସାର ସଫଳତା ହାର ୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ନଭେମ୍ବର ୧୨ ତାରିଖରେ ପ୍ରକାଶିତ ବିଶ୍ୱ ଟିବି ରିପୋର୍ଟ ୨୦୨୬ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରତିଫଳିତ କରୁଛି।

ଜାତୀୟ ଯକ୍ଷ୍ମା ଉନ୍ମୂଳନ କାର୍ଯ୍ୟକ୍ରମ ଅଧୀନରେ ରୋଗର ଶୀଘ୍ର ଚିହ୍ନଟ, ଠିକ୍ ସମୟରେ ଚିକିତ୍ସା ଏବଂ ରୋଗୀଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଏଆଇ (AI) ସହାୟତାରେ ଛାତିର ଏକ୍ସ-ରେ ଯାଞ୍ଚ, ଦ୍ରୁତ ମଲିକ୍ୟୁଲାର୍ ପରୀକ୍ଷା ଏବଂ ସକ୍ରିୟ ଟିବି ଚିହ୍ନଟ ଅଭିଯାନ ଚଳାଯାଉଛି। ନି-କ୍ଷୟ ପୋଷଣ ଯୋଜନା ଏବଂ ନି-କ୍ଷୟ ମିତ୍ର ପଦକ୍ଷେପ ଜରିଆରେ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ସହ ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି।

୨୫ କୋଟିରୁ ଅଧିକ ଲୋକ ଯାଞ୍ଚ ପରିସରଭୁକ୍ତ

ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ୭ ଡିସେମ୍ବର ୨୦୨୪ରୁ ୮ ନଭେମ୍ବର ୨୦୨୬ ମଧ୍ୟରେ ୨୫ କୋଟିରୁ ଅଧିକ ଲୋକଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ଏହି ସମୟ ମଧ୍ୟରେ ରୋଗର ଶୀଘ୍ର ଚିହ୍ନଟ ପାଇଁ ୧୧ କୋଟିରୁ ଅଧିକ ଛାତି ଏକ୍ସ-ରେ କରାଯାଇଥିବା ବେଳେ ରୋଗ ନିଶ୍ଚିତ କରିବା ପାଇଁ ୩ କୋଟିରୁ ଅଧିକ ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (NAAT) କରାଯାଇଛି। ଏହି ଯାଞ୍ଚରୁ ଟିବିର ୪୮.୬୪ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୧୪.୯୭ ଲକ୍ଷ ରୋଗୀଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଉନଥିଲା।

୯୬ ପ୍ରତିଶତ ଅର୍ଥ ଘରୋଇ ସମ୍ବଳରୁ ପୂରଣ କରାଯାଉଛି

ଏହି ଅଭିଯାନରେ ଟିବି ପ୍ରବଣ ଅଞ୍ଚଳ ଚିହ୍ନଟ କରିବା ଏବଂ ବିପଦ ଥିବା ଲୋକଙ୍କୁ ଖୋଜିବା ପାଇଁ ଏଆଇ ଆଧାରିତ ଉପକରଣର ମଧ୍ୟ ବ୍ୟବହାର କରାଯାଇଛି। ଖୁସି ଏଆଇ ଚାଟ୍‌ବଟ୍‌ ଏବଂ ଅଭତାର ଭିଡିଓବଟ୍‌ ମାଧ୍ୟମରେ ଲୋକଙ୍କୁ ଟିବି ସମ୍ପର୍କିତ ସୂଚନା ଦିଆଯାଇଛି।ସରକାରଙ୍କ ପକ୍ଷରୁ ବିଶେଷ କରି ଦୁର୍ବଳ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ସମ୍ପ୍ରଦାୟଙ୍କ ନିକଟରେ ଯାଞ୍ଚ ଓ ଚିକିତ୍ସା ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମର ମୋଟ ଆର୍ଥିକ ଆବଶ୍ୟକତାର ୯୬ ପ୍ରତିଶତ ଅର୍ଥ ଘରୋଇ ସମ୍ବଳରୁ ପୂରଣ କରାଯାଉଛି।

Home Ministry: ଜାକିର ନାଏକଙ୍କ ସଂଗଠନ ''ଆଇଆରଏଫ୍''କୁ ଆଉ ୫ ବର୍ଷ ପାଇଁ ନିଷିଦ୍ଧ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.