Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା

2 hours ago 1
ARTICLE AD BOX

ମୁମ୍ବାଇ: ଚଳିତବର୍ଷ ସେପ୍ଟେମ୍ବର ୧୭ରେ ହୋଇଥିବା ଟାଟା ସନ୍ସ ବୋର୍ଡ ବୈଠକର ଅଡିଓ ଓ ଭିଡିଓ ରେକର୍ଡିଂ ଟାଟା ଟ୍ରଷ୍ଟ୍‌ସର ଅଧ୍ୟକ୍ଷ ନୋଏଲ ଟାଟା ପୁଣି ଥରେ ମାଗିଛନ୍ତି। ନଭେମ୍ବର ୨୦ ତାରିଖରେ ସେ ଟାଟା ସନ୍ସର କମ୍ପାନି ସେକ୍ରେଟାରି ସୁପ୍ରକାଶ ମୁଖୋପାଧ୍ୟାୟଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିର ନକଲ ମଧ୍ୟ ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନଙ୍କ ସମେତ ଅନ୍ୟ ନିର୍ଦ୍ଦେଶକମାନଙ୍କ ନିକଟକୁ ପଠାଯାଇଛି। ପୂର୍ବରୁ ନୋଏଲ ମାଗିଥିବା ରେକର୍ଡିଂ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଉପରେ କମ୍ପାନି ଦେଇଥିବା ଉତ୍ତରରେ ନୋଏଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନୋଏଲ କହିଛନ୍ତି ଯେ ଗତ ଅକ୍ଟୋବର ୨୬ରେ ସେ ଦେଇଥିବା ଚିଠି ବଦଳରେ ତାଙ୍କୁ ମାତ୍ର ଦୁଇଟି ବିବରଣୀ ଦିଆଯାଇଛି। ଅବଶିଷ୍ଟ ଅନୁରୋଧଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି କିମ୍ବା ଏଡ଼ାଇ ଦିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଖୋପାଧ୍ୟାୟଙ୍କ ପୂର୍ବ ଉତ୍ତର ଏହା ଦର୍ଶାଉଛି ଯେ ସେପ୍ଟେମ୍ବର ୧୭ ବୋର୍ଡ ବୈଠକର ଅଡିଓ ଓ ଭିଡିଓ ରେକର୍ଡିଂ ହୋଇଛି। କମ୍ପାନି ସେକ୍ରଟାରି ଦର୍ଶାଇଥିଲେ ଯେ ବିସ୍ତୃତ ଆଲୋଚନାର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ରେକର୍ଡିଂ କରାଯାଇଥିଲା। ସେହି ରେକର୍ଡିଂ କାହାରିକୁ, ଏପରିକି ନିର୍ଦ୍ଦେଶକମାନଙ୍କୁ ଦେବା କମ୍ପାନିର ଅଭ୍ୟାସ ନୁହେଁ। ତେବେ ଏଭଳି ସ୍ଥିତି ଗ୍ରହଣୀୟ ନୁହେଁ ବୋଲି ନୋଏଲ କହିଛନ୍ତି। ବୋର୍ଡ ବୈଠକର ଅଡିଓ ଓ ଭିଡିଓ ରେକର୍ଡିଂକୁ ଅକ୍ଷତ ରଖିବା ପାଇଁ ମଧ୍ୟ ନୋଏଲ କମ୍ପାନିକୁ କହିଛନ୍ତି। ବୈଠକକୁ ନେଇ ଉଠିଥିବା ସବୁ ପ୍ରଶ୍ନର ସମାଧାନ ନହେବା ପର୍ଯ୍ୟନ୍ତ ରେକର୍ଡିଂକୁ ସୁରକ୍ଷିତ ରଖିବା ପାଇଁ ସେ କହିଛନ୍ତି। ରେକର୍ଡିଂକୁ ଡିଲିଟ୍‌ କରିବା କିମ୍ବା ବଦଳାଇବାକୁ ଜାଣିଶୁଣି ପ୍ରମାଣ ନଷ୍ଟ କରିବା ଭଳି ହେବ। ଏହା ଦାୟିତ୍ବରେ ଥିବା ବ୍ୟକ୍ତିମାନେ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ ରହିବେ ବୋଲି ନୋଏଲ ଲେଖିଛିନ୍ତି। ନଭେମ୍ବର ୨୫ ସୁଦ୍ଧା ନୋଏଲ ଟାଟା ରେକର୍ଡିଂ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

Reserve Bank: ଟାଟା ସନ୍ସକୁ ରିଜର୍ଭ ବ୍ୟାଙ୍କର ଚିଠି; ତାଲିକାଭୁକ୍ତ ହେବା ନିୟମ ମାନ

ଚଳିତବର୍ଷ ସେପ୍ଟେମ୍ବର ୧୭ରେ ହୋଇଥିବା ଟାଟା ସନ୍ସର ବୋର୍ଡ ବୈଠକକୁ ନେଇ ପୂର୍ବରୁ ବିବାଦ ଦେଖା‌ଦେଇଛି। ଉକ୍ତ ବୈଠକରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯାଇଥିଲା। ନୋଏଲଙ୍କ ଅଭିଯୋଗ ଅନୁସାରେ, ଚନ୍ଦ୍ରଶେଖରନଙ୍କୁ ଆଉ ପାଞ୍ଚ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପ୍ରସ୍ତାବ ଉପଯୁକ୍ତ ପୂର୍ବ ସୂଚନା ଏବଂ ଆବଶ୍ୟକ କମିଟିର ଔପଚାରିକ ସୁପାରିସ ବିନା ଆଗତ କରାଯାଇଥିଲା। ଏହା ସହିତ ଭୋଟିଂ ପ୍ରକ୍ରିୟାର ବୈଧତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଟିଭିଏସ୍‌ ଗ୍ରୁପ୍‌ ସହ ଚନ୍ଦ୍ରଶେଖରନଙ୍କ ପରିବାର ସମ୍ପୃକ୍ତ ଏକ କମ୍ପାନିର ବ୍ୟବସାୟିକ ସମ୍ପର୍କ ଥିବା ଦର୍ଶାଇ ଟାଟା ସନ୍ସର ନିର୍ଦ୍ଦେଶକ ବେଣୁ ଶ୍ରୀନିବାସନଙ୍କ ଭୂମିକା ଉପରେ ନୋଏଲ ଟାଟା ମଧ୍ୟ ଆପତ୍ତି ଉଠାଇଛନ୍ତି। ତାଙ୍କ ମତରେ, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତିରେ ଶ୍ରୀନିବାସନ ଭାଗ ନେବା ଉଚିତ ନଥିଲା। ତେବେ ଟାଟା ସନ୍ସ ପୂର୍ବରୁ ଏହି ସ୍ୱାର୍ଥଜନିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଖଣ୍ଡନ କରିଛି। ଟାଟା ସନ୍ସକୁ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ନୋଏଲ ଓ କମ୍ପାନି ପରିଚାଳନା ମଧ୍ୟରେ ମତଭେଦ ରହିଛି। କମ୍ପାନିକୁ ଘରୋଇ ମାଲିକାନାରେ ରଖିବା ପାଇଁ ସେ ଏକ ବିକଳ୍ପ ପୁନର୍ଗଠନ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୬ ତାରିଖରେ ଟାଟା ସନ୍ସର ବୋର୍ଡ ବୈଠକ ବସିବ। ଏହି ବୈଠକରେ ସେପ୍ଟେମ୍ବର ୧୭ର ବୈଠକର ବିବରଣୀ ଅନୁମୋଦନ ସହ ଅନ୍ୟାନ୍ୟ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.