Sundargarh Shining 2.0: ‘ହକ୍‌ ପାଇଁ ନ ଲଢିଲେ, ବିକାଶ ଅସମ୍ଭବ’

2 days ago 3
ARTICLE AD BOX

ସୁନ୍ଦରଗଡ଼ (ଦେବବ୍ରତ ଗଡ଼ତିଆ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା, ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି। କିନ୍ତୁ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ର ଅଗ୍ରଗତି ଆଶନୁରୂପ ହେଉନି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିସ୍ଥାପନ ସମସ୍ୟା, ଭିତ୍ତିଭୂମିର ବିକାଶ ଆଦି ପ୍ରସଙ୍ଗରେ ପ୍ରଶାସନ ଓ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବାର ସମୟ ଆସିଛି। ନିଜ ଅଧିକାର ପାଇଁ ଜାଗ୍ରତ ହୁଅନ୍ତୁ। ଯେପର୍ଯ୍ୟନ୍ତ ଜିଲ୍ଲାବାସୀ ନିଜ ହକ୍ ପାଇଁ ଲଢ଼େଇ ନ କରନ୍ତି, କୌଣସି ପରିବର୍ତ୍ତନ ଆସିବ ନାହିଁ। ସୁନ୍ଦରଗଡ଼ସ୍ଥ ମାଦ୍ରି କାଲୋ ଭବନରେ ଅନୁଷ୍ଠିତ ‘ସମ୍ବାଦ ଓ କନକ ନ୍ୟୁଜ୍‌’ ଆ‌ୟୋଜିତ ‘ସୁନ୍ଦରଗଡ଼ ସାଇନିଂ ୨.୦’ରେ ଅତିଥିମାନେ ଏଭଳି ମତବ୍ୟକ୍ତ ରଖିଛନ୍ତି।

କାର୍ଯ୍ୟକ୍ରମର ମୁଖ୍ୟଅତିଥି ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ କହିଲେ, ଜିଲ୍ଲାର ବିକାଶ ପାଇଁ ଏକତ୍ରିତ ହୋଇ ଲଢୁଛୁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମାଧ୍ୟମ‌ରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବା ସହ ସ୍ବାସ୍ଥ୍ୟ, ଗମନାଗମନ ଆଦିର ବିକାଶ କରାଯାଉଛି। ଏସବୁ କ୍ଷେତ୍ରରେ ବହୁତ ଉନ୍ନତି ଘଟିଛି। ତେବେ ଏ ଦିଗରେ ଆମକୁ ଆହୁରି ବହୁତ କିଛି କରିବାକୁ ହେବ। 

WhatsApp Image 2026-11-14 at 22.21.27

ଆଗାମୀ ଦିନରେ ବିକାଶ ଶିଖର ଛୁଇଁବ। ଆଦିବାସୀଙ୍କ ସବୁ ସ୍ବପ୍ନ ପୂରଣ ହେବ। ଏହାସହ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ଏଭଳି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ର ବିକାଶରେ ସହାଯୋଗ କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ କହିଲେ, ପ୍ରକୃତରେ ସାମାଜିକ ନେତୃତ୍ବର ଆବଶ୍ୟକତା ରହିଛି। ଜନସାଧାରଣ ନିଜର ଦାବି ଉପସ୍ଥାପନ କରିପାରୁନାହାନ୍ତି। ଆମକୁ ଛୋଟଛୋଟ ଆକାଂକ୍ଷା ପରିବର୍ତ୍ତେ ବଡ଼ବଡ଼ ଆବଶ୍ୟକତା ପାଇଁ ସ୍ବର ଉତ୍ତୋଳନ କରିବାକୁ ପଡ଼ିବ। ଆମେ କେଉଁ ବିକାଶ ଚାହୁଁଛୁ, ମାନସିକ ନା ଭିତ୍ତିଭୂମି? ଏବେ ବି ବହୁ ସମସ୍ୟାର ସମାଧାନ ହୋଇପାରୁନି। ବିକାଶକୁ ତ୍ବରିତ କରିବାକୁ ହେଲେ ଅମଲାତନ୍ତ୍ରକୁ ଉତ୍ତରଦାୟୀ ହେବାକୁ ପଡ଼ିବ। 

Suresh Pujari: ଗଜପତିର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ଅଧ୍ୟକ୍ଷତା ସମ୍ଭାଷଣରେ ‘ସମ୍ବାଦ’ ଗ୍ରୁପ୍‌ର ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ କହିଲେ, ଏଭଳି କାର୍ଯ୍ୟକ୍ରମ ଜରିଆରେ ଆମେ ଆପଣଙ୍କଠାରୁ ନୂତନ ଚିନ୍ତାଧାରା ଓ ମୂଲ୍ୟବାନ ପରାମର୍ଶ ଲାଭ କରୁଛୁ। ଆପଣମାନଙ୍କ ପାଇଁ ସର୍ବଦା ‘ସମ୍ବାଦ’, ‘କନକ ନ୍ୟୁଜ୍‌’, ‘ରେଡିଓ ଚକୋଲେଟ୍‌’ କାର୍ଯ୍ୟରତ। ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ଆମେ ପ୍ରୟାସରତ। ଆପଣମାନଙ୍କ ଏଭଳି ସହଯୋଗ, ଆକୁଣ୍ଠ ସମର୍ଥନ ଆମକୁ ଆମର ଦାୟିତ୍ବ ନିର୍ବାହ କରିବାରେ ପ୍ରେରଣା ଦେବ। 

WhatsApp Image 2026-11-14 at 22.22.44

‘ସମ୍ବାଦ-କନକ ନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ଧନୀ ମାଟି ସୁନ୍ଦରଗଡ଼ରେ ଅନେକ ଗରିବ ଅଛନ୍ତି, ସେମାନଙ୍କୁ ବି ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେବ। ଦ୍ବିତୀୟ ଜାଲିଆନାୱାଗ ଭାବେ ବିବେଚିତ ଆମ୍‌କୋ-ସିମ୍‌କୋରେ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସହିଦ ଘୋଷଣା କରିବାକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ବିକାଶ ନାଁରେ ବିସ୍ଥାପନ କରାଯାଉଛି। ତେବେ ବିସ୍ଥାପନ ଯନ୍ତ୍ରଣାସିକ୍ତ ନ ହୋଇ ଯନ୍ତ୍ରଣାମୁକ୍ତ ହେଉ। ବାସ୍ତବରେ ପରିପୂର୍ଣ୍ଣ ବିକାଶ ପାଇଁ ଯୋଜନାବଦ୍ଧ କାର୍ଯ୍ୟଶୈଳୀ ଦରକାର। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ସ୍ବାଗତ ଭାଷଣ ଦେଇଥିଲେ। 

WhatsApp Image 2026-11-14 at 22.21.51

ଏହି ଅବସରରେ ସକାଳେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରୁ ବାହାରି ସହର ପରିକ୍ରମାକରି ମାଦ୍ରିକାଲୋ ଭବନରେ ପହଞ୍ଚିଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ସାଂସ୍କୃତିକ ଦଳ ନିଜର ପାରମ୍ପାରିକ ପୋଷାକ, ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ସେଣ୍ଟ୍‌ ଟେରେସା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଦର୍ଶନ ତାଜନ (ସଂସ୍କୃତି), ପ୍ରଭାତ ଭୋଳ (କ୍ରୀଡ଼ା), ଡ. ଦିବ୍ୟଲୋଚନ ନାଏକ (ସେବା), ଆନ୍ନା କୁଜୁର (ପରିବେଶ), ସଞ୍ଜୟ ନନ୍ଦ (ସମାଜସେବା), ଡ. ସୁପ୍ରିୟା ପାଲ (ସାହିତ୍ୟ) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ବ୍ୟତୀତ ଆଦିବାସୀ ପରିଧାନକୁ ନେଇ ଅନୁଷ୍ଠିତ ଫ୍ୟାସନ୍‌ ସୋ’ର କୃତୀ ପ୍ରତି‌ଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। 

ପରେ ଦୁଇଟି ପୃଥକ୍‌ ଅଧିବେଶନରେ ‘ମାଟି ତଳେ ପ୍ରାଚୁର୍ଯ୍ୟ, ଉପ‌ରେ ଭୋକ’ ଓ ‘ସମ୍ଭାବନା ଓ ପ୍ରତିଶ୍ରୁତିର ସୁନ୍ଦରଗଡ଼’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବରିଷ୍ଠ ଆଇନଜୀବୀ ନିମାଇଁ ନାଏକ, ଆଦିବାସୀ ନେତା ରାଜେନ୍ଦ୍ର ନାଏକ, ଅବସରପ୍ରାପ୍ତ ଜିଲ୍ଲାପାଳ ବିମଳେନ୍ଦୁ ରାଏ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ, ପୂର୍ବତନ ବିଧାୟିକା କୁସୁମ ଟେଟେ, ବରିଷ୍ଠ ଆଇନଜୀବୀ ଅଶୋକ ଦାଶ ପ୍ରମୁଖ ଯୋଗଦେଇଥିଲେ। କନକ୍‌ ନ୍ୟୁଜ୍‌ ଆସୋସିଏଟ୍‌ ନ୍ୟୁଜ୍‌ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା ଓ ବ୍ୟୁରୋ ଚିଫ୍‌ ଦେବାଶିଷ କବି ସଞ୍ଚାଳନ କରିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.