ARTICLE AD BOX
ତେହେରାନ: ଆମେରିକା ଇରାନର ସମସ୍ତ ସର୍ତ୍ତ ଗ୍ରହଣ ନ କରିବା ପର୍ଯ୍ୟନ୍ତ ରଣନୈତିକ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ ନାହିଁ ବୋଲି ଇରାନର ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ର ନବନିଯୁକ୍ତ ମୁଖ୍ୟ ମୋହସେନ୍ ରେଜାଇ କହିଛନ୍ତି। ଗତକାଲି ଚୀନ୍ର ରାଷ୍ଟ୍ରଦୂତ ଜୋଙ୍ଗ ପିୟୁଙ୍କ ସହ ତେହରାନରେ ହୋଇଥିବା ବୈଠକରେ ରେଜାଇ ଇରାନର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ସେ ‘ଏକ୍ସ’ରେ ମଧ୍ୟ ଏ ସମ୍ପର୍କରେ ପୋଷ୍ଟ କରିଥିଲେ।
ରେଜାଇଙ୍କ କହିବା ଅନୁସାରେ, ହର୍ମୁଜ୍ ଖୋଲିବା ପାଇଁ ଆମେରିକାକୁ ପ୍ରଥମେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଓ ନୌସାମରିକ ଅବରୋଧ ବନ୍ଦ କରିବାକୁ ପଡ଼ିବ। ବିଦେଶରେ ଅଟକି ରହିଥିବା ଇରାନର ସମ୍ପତ୍ତି ମୁକ୍ତ କରିବା ସହ ଲେବାନନ୍ ଓ ଗାଜା ସମେତ ସମଗ୍ର ଅଞ୍ଚଳରେ ଯୁଦ୍ଧବିରତିକୁ ସମର୍ଥନ କରିବା ମଧ୍ୟ ଇରାନର ଦାବି ରହିଛି। ଏହାବ୍ୟତୀତ ଅନ୍ୟ କିଛି ସର୍ତ୍ତ ମଧ୍ୟ ମଧ୍ୟସ୍ଥମାନଙ୍କ ଜରିଆରେ ଆମେରିକାକୁ ଜଣାଇ ଦିଆଯାଇଥିବା ରେଜାଇ କହିଛନ୍ତି।
Strait of Hormuz: ହର୍ମୁଜ୍ରେ ଘେରାବନ୍ଦୀ କଡ଼ାକଡ଼ି: ଆମେରିକା ଯବାନଙ୍କ ମୁଣ୍ଡ କାଟିବାକୁ ଧମକ ଦେଲା ଇରାନ
ବୈଠକରେ ରେଜାଇ କହିଥିଲେ ଯେ ଆମେରିକା ଇରାନର ସର୍ତ୍ତ ଗ୍ରହଣ ନ କଲେ ହର୍ମୁଜ୍ ଖୋଲିବ ନାହିଁ। ଗତ କିଛି ସପ୍ତାହ ଧରି ଆମେରିକା ଓ ଇରାନ ମଧ୍ୟରେ ପରୋକ୍ଷ ଆଲୋଚନା ଚାଲିଥିବାବେଳେ ମଧ୍ୟସ୍ଥଙ୍କ ମାଧ୍ୟମରେ ଇରାନ ତା’ର ଅତିରିକ୍ତ ସର୍ତ୍ତଗୁଡ଼ିକ ଆମେରିକାକୁ ଜଣାଇଛି। ହର୍ମୁଜ୍ ପ୍ରଣାଳୀରେ ଯାତାୟାତ ବ୍ୟବସ୍ଥା ନେଇ ଇରାନ ଓ ଓମାନ ମଧ୍ୟରେ କିଛି ବୁଝାମଣା ହେଲେ ମଧ୍ୟ ଏହା ହର୍ମୁଜ୍ ଖୋଲିବା କି ବନ୍ଦ ରଖିବା ନିଷ୍ପତ୍ତିକୁ ପ୍ରଭାବିତ କରିବ ନାହିଁ ବୋଲି ରେଜାଇ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଦାବି କରିଛନ୍ତି।

1 hour ago
2


