ARTICLE AD BOX
ଭୁବନେଶ୍ବର: ରାଜ୍ୟ ସରକାର ୨୦୨୭-୨୮ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରି ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ତା’ପୂର୍ବରୁ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ଅର୍ଥ ବିଭାଗ ଅଣ୍ଟା ଭିଡ଼ିଛି। ୨୦୨୬-୨୭ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଆକଳନ ଓ ୨୦୨୭-୨୮ ବଜେଟ୍ ଆକଳନର ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି। ଡିସେମ୍ବର ୧୯ ସୁଦ୍ଧା ବଜେଟ୍ ପ୍ରସ୍ତାବ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଅର୍ଥ ବିଭାଗ ସୂଚନା ଅନୁଯାୟୀ, ଅର୍ଥ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ରୁ ୨୦୨୭ ଜାନୁଆରି ୮ ପର୍ଯ୍ୟନ୍ତ ପ୍ରାକ୍-ବଜେଟ୍ ଆଲୋଚନା ବୈଠକ ଆୟୋଜନ କରାଯିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ଫେବ୍ରୁଆରି ୩ରେ ସଂଶୋଧିତ ଆକଳନ ପ୍ରସ୍ତୁତ କରାଯିବ। ସେହି ମାସରେ ସଚିବମାନଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଫେବ୍ରୁଆରି ୮-୧୨ ମଧ୍ୟରେ ମନ୍ତ୍ରୀ ପରିଷଦ ଦ୍ବାରା ୨୦୨୭-୨୮ ବାର୍ଷିକ ବଜେଟ୍କୁ ମଞ୍ଜୁର କରାଯିବ।
ଡିସେମ୍ବର ୨୧ରୁ ପ୍ରାକ୍ ବଜେଟ୍ ଆଲୋଚନା
ଏସ୍ଡିଜି ଲକ୍ଷ୍ୟ ସହ ବଜେଟ୍କୁ ଯୋଡ଼ାଯିବ
ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ବଜେଟ୍ର ଚିଠା କାଗଜପତ୍ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ। ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟୟମଞ୍ଜୁରି ବିଲ୍ ଉପସ୍ଥାପନ କରାଯିବ। ନୂଆ ବଜେଟ୍ ପ୍ରସ୍ତୁତିରେ ବିଭାଗଗୁଡ଼ିକୁ ଆସନ୍ତା ତିନି ବର୍ଷ ପାଇଁ ବ୍ୟୟ ସୀମା ଜଣାଇ ଦିଆଯିବ। ଅର୍ଥାତ୍ ୨୦୨୭-୨୮ ସହ ୨୦୨୮-୨୯ ଓ ୨୦୨୯-୩୦ ବର୍ଷ ପାଇଁ ମଧ୍ୟ ବିଭାଗଗୁଡ଼ିକୁ ଆଗୁଆ ଆର୍ଥିକ ଆକଳନ ଦିଆଯିବ। ଏହା ଫଳରେ ଦୀର୍ଘମିଆଦୀ ପ୍ରକଳ୍ପ ଯୋଜନା ଓ ପାଣ୍ଠି ବ୍ୟବସ୍ଥା କରିବା ସହଜ ହେବ। ବିଭାଗଗୁଡ଼ିକୁ ବିଟା ବ୍ୟବସ୍ଥା ମାଧ୍ୟମରେ ବ୍ୟୟ ସୀମା ଜଣାଇ ଦିଆଯିବ। ଏହାକୁ ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, କେନ୍ଦ୍ର ଓ ରାଜ୍ୟ ଅନୁଦାନ ଏବଂ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଆଦି ଭାଗରେ ବିଭକ୍ତ କରାଯିବ। ବିଭାଗଗୁଡ଼ିକ ନିଜ ଆବଶ୍ୟକତା ଅନୁସାରେ ଏହି ସୀମା ମଧ୍ୟରେ ବ୍ୟୟକୁ ପ୍ରାଥମିକତା ଦେଇପାରିବେ। ଧାର୍ଯ୍ୟ ସୀମାଠାରୁ ଅଧିକ ଅର୍ଥର ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ। ସେହିପରି ଅନୁଦାନ ପାଉଥିବା ସଂସ୍ଥାଗୁଡ଼ିକୁ ଅର୍ଥ ମଞ୍ଜୁର କରିବା ପୂର୍ବରୁ ବିଭାଗଗୁଡ଼ିକୁ ଖର୍ଚ୍ଚ ହୋଇନଥିବା ପୂର୍ବ ଅନୁଦାନ (ୟୁସି) ଏବଂ ନଗଦ ଅର୍ଥର ସ୍ଥିତି ଯାଞ୍ଚ କରିବାକୁ ପଡ଼ିବ। ଏଲ୍ବିଏ, ଏଲ୍ଟିଏ ଓ ଅନ୍ୟାନ୍ୟ ଦୀର୍ଘମିଆଦୀ ଅଗ୍ରିମ ପାଇଁ ଗ୍ଲୋବାଲ୍ ଆଲଟମେଣ୍ଟ ବ୍ୟବସ୍ଥା ଉଠାଇ ଦିଆଯିବ।
ବେତନ ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ନୂଆ ନିୟମ ରହିବ। ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବରାଦ କରିବାବେଳେ ରାଜ୍ୟର ପ୍ରାଥମିକତାକୁ ଧ୍ୟାନରେ ରଖିବାକୁ କୁହାଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ନିୟମ ଅନୁସାରେ ଅର୍ଥ ବରାଦ କରାଯିବ। ଏଥିସହ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ସହ ବଜେଟ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅର୍ଥାତ୍ କେଉଁ ଯୋଜନାରେ କେତେ ଅର୍ଥ ବରାଦ ହେଉଛି ଏବଂ ତାହା କେଉଁ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ, ତାହା ଚିହ୍ନଟ କରାଯିବ। ବଜେଟ୍ ପ୍ରସ୍ତୁତି ପାଇଁ ଗାଡ଼ି ସଂଖ୍ୟା, ଗାଡ଼ି ଭଡ଼ା ଖର୍ଚ୍ଚ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅଣଶିକ୍ଷକ ପଦବି, ଖାଲି ପଦବି ଓ ବେତନ ଆବଶ୍ୟକତାର ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଏହି ସମସ୍ତ ତଥ୍ୟ ଆଧାରରେ ଆସନ୍ତା ବଜେଟ୍ରେ ବିଭିନ୍ନ ବିଭାଗର ବ୍ୟୟ ଓ ବିକାଶ ଯୋଜନା ପାଇଁ ଅର୍ଥ ବରାଦ କରାଯିବ। ଅର୍ଥ ଏବଂ ଯୋଜନା ଓ ସଂଯୋଜନ ବିଭାଗ ମିଳିତ ଭାବେ ‘ବିତ୍ତୀୟ ରଣନୀତି ପେପର’ ଆଣିବେ, ଯେଉଁଥିରେ ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ରାଜସ୍ବ ଓ ବ୍ୟୟର ପୂର୍ବାନୁମାନ ରହିବ।

2 hours ago
1


