Solid waste management: କଡ଼ାକଡ଼ି ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ: ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ନଜର ରଖିବେ ଜିଲ୍ଲାପାଳ

1 hour ago 2
ARTICLE AD BOX

ଭୁବନେଶ୍ୱର: କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ ଆଦି ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବହୁଳ ବର୍ଜ୍ୟ ଉତ୍ପାଦନକାରୀଙ୍କୁ ଉତ୍ତରଦାୟିତ୍ୱ ଓ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସ୍ୱଚ୍ଛ ଭାରତ ମିସନ(ଅର୍ବାନ)ର ସ୍ୱତନ୍ତ୍ର ସଚିବ, ବିଏମ୍‌ସି ଅତିରିକ୍ତ କମିସନର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ରଣନୀତି ଓ ବାଇ-ଲ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଆଧାରରେ ସହରାଞ୍ଚଳରେ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ, ପରିବହନ, ପ୍ରକ୍ରିୟାକରଣ କରାଯିବ। ଉତ୍ସରୁ ବାଧ୍ୟତାମୂଳକ ଚାରିସ୍ତରୀୟ ବର୍ଜ୍ୟ ପୃଥକୀକରଣ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ୭୩ଟି ସହରାଞ୍ଚଳରେ ସଂକ୍ରମିତ ବର୍ଜ୍ୟ ପାଇଁ ପୃଥକ ସଂଗ୍ରହ ବ୍ୟବସ୍ଥା କରାଯାଇଥିବାବେଳେ ଅବଶିଷ୍ଟ ସହରାଞ୍ଚଳ ମଧ୍ୟ ଏହାକୁ ଅନୁପାଳନ କରିବାକୁ କୁହାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୋର୍ଟାଲରେ ପ୍ରମୁଖ ବର୍ଜ୍ୟ ଉତ୍ପାଦନକାରୀଙ୍କ ଗଣନା, ବର୍ଗୀକରଣ ଓ ପଞ୍ଜୀକରଣ କରିବାକୁ କୁହାଯାଇଛି। ଯେଉଁମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାରେ ଅସମର୍ଥ, ସେମାନଙ୍କୁ ସ୍ଥାନୀୟ ପ୍ରଶାସନକୁ ବର୍ଜ୍ୟ ହସ୍ତାନ୍ତର ପୂର୍ବରୁ ସମ୍ପୃକ୍ତ ସହରାଞ୍ଚଳଠାରୁ ପ୍ରମାଣପତ୍ର ନେବାକୁ ପଡ଼ିବ। ଏହି ବ୍ୟବସ୍ଥାର ବୈଷୟିକ ମାର୍ଗଦର୍ଶନ ପାଇଁ ସହରାଞ୍ଚଳଗୁଡ଼ିକ ସହ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକଙ୍କୁ ଅନୁରୋଧ କରାଯାଇଛି।

ସବୁ ଜିଲ୍ଲାପାଳଙ୍କୁ ନିୟମାବଳୀର ତଦାରଖ ଓ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରିବା ପାଇଁ ପରିବେଶ(ସୁରକ୍ଷା) ଆଇନ-୧୯୮୬ର କଡ଼ାକଡ଼ି ଅନୁପାଳନ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଅଯାଇଛି। ତଦାରଖ ପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଯାଞ୍ଚ ରିପୋର୍ଟ ରାଜ୍ୟ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଭୁବନେଶ୍ୱରରେ ବର୍ଜ୍ୟ ପରିଚାଳନାକୁ ଅଧିକ ପ୍ରଭାବୀ କରିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ସମସ୍ତ ଏମ୍‌ସିସିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ପାଇଁ ବର୍ଜ୍ୟର ସମାନ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ସୈନିକ ସ୍କୁଲ ଟିଟିଏସ୍‌ରେ ସଂଗୃହୀତ ବର୍ଜ୍ୟର ସମାଧାନ ପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଶ୍ରେଷ୍ଠତା ପ୍ରଦର୍ଶନ କରିବେ, ସେମାନଙ୍କୁ ସମ୍ମାନିତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୯୦୬ଜଣ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ସ୍ୱଚ୍ଛ କର୍ମୀ ଭାବେ ସାମିଲ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.