ARTICLE AD BOX
ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିର୍ବାଚନ ସଦନରେ ଶନିବାର ଅପରାହ୍ଣ ୩ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଡ. ବିବେକ ଯୋଶୀ ଉପସ୍ଥିତ ଥିଲେ। ଆୟୋଗ ଏହି ବୈଠକ ସମୟରେ ସର୍ବସମ୍ମତି କ୍ରମେ ଅନେକ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ବିହାର ଓ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ହୋଇଥିବା ଏସଆଇଆର ନିଷ୍ପତ୍ତି ଆୟୋଗଙ୍କ ସର୍ବସମ୍ମତ ନିଷ୍ପତ୍ତି ଥିଲା ବୋଲି ଆୟୋଗଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରାଯାଇଛି।
ବୈଠକରେ ନିଷ୍ପତ୍ତି ମୁତାବକ, ଚାଲିଥିବା ଏସଆଇଆର ପ୍ରକ୍ରିୟା ସମୟରେ ଯେଉଁ ବ୍ୟକ୍ତିମାନଙ୍କୁ 'ଅନ୍-ମ୍ୟାପଡ୍' କିମ୍ବା ତଥ୍ୟଗତ ଅସଙ୍ଗତି କାରଣରୁ ନୋଟିସ୍ ଜାରି କରାଯାଇଛି, ସେମାନଙ୍କ ଘରକୁ ବିଏଲଓମାନେ ଯାଇ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ। ତା’ପରେ ଇଆରଓଙ୍କ ନିଷ୍ପତ୍ତି ପାଇଁ ସେଗୁଡ଼ିକୁ ଇସିଆଇ ନେଟ୍ ପୋର୍ଟାଲରେ ଅପଲୋଡ୍ କରିବେ। ଏପରି ବ୍ୟକ୍ତିମାନଙ୍କୁ ଶୁଣାଣି ପାଇଁ ଇଆରଓ/ଏଇଆରଓ କାର୍ଯ୍ୟାଳୟକୁ ଡାକିବାର ଆବଶ୍ୟକତା ନାହିଁ। କେବଳ ସ୍ୱତନ୍ତ୍ର ପରିସ୍ଥିତିରେ, ଇଆରଓଙ୍କ ନିଷ୍ପତ୍ତି କ୍ରମେ ଶୁଣାଣି ଅନୁଷ୍ଠିତ ହେବ ଏବଂ ଏହା ମୁଖ୍ୟତଃ ଅନ୍ଲାଇନ୍ ମାଧ୍ୟମରେ କରାଯିବ। ଆବଶ୍ୟକ ହେଲେ, ଭୋଟର ନିଜ ପରିବାରର ଯେକୌଣସି ବୟସ୍କ ସଦସ୍ୟଙ୍କୁ ନିଜ ପକ୍ଷରୁ ଶୁଣାଣିରେ ଯୋଗଦେବା ପାଇଁ ଅଧିକୃତ କରିପାରିବେ। ଅନ୍ଲାଇନ୍ ଶୁଣାଣି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ।
ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ମାନେ ଆବଶ୍ୟକତା ଅନୁଯାୟୀ ରାତ୍ରି ଆଶ୍ରୟସ୍ଥଳରେ ରହୁଥିବା ଲୋକ, ଶ୍ରମିକ, ଗରିବ ତଥା ବାସହୀନ ବ୍ୟକ୍ତିବିଶେଷଙ୍କ ପାଇଁ ଯଥେଷ୍ଟ ସଂଖ୍ୟକ ସହାୟତା କେନ୍ଦ୍ର ବା ହେଲ୍ପ ଡେସ୍କ ସ୍ଥାପନ କରିବେ କିମ୍ବା ସ୍ୱତନ୍ତ୍ର ଶିବିର ଆୟୋଜନ କରିବେ। ଆୟୋଗ କହିଛନ୍ତି, ଏସଆଇଆର ପାଇଁ ଫର୍ମ-୬ ସହିତ ସଂଲଗ୍ନ ଘୋଷଣାନାମାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏସଆଇଆର ବ୍ୟତୀତ ଅନ୍ୟ ସମୟ ପାଇଁ ନିୟମାବଳୀ (ମତଦାତା ପଞ୍ଜୀକରଣ ନିୟମାବଳୀ ୧୯୬୦) ଅନୁଯାୟୀ ପ୍ରଯୁଜ୍ୟ ଫର୍ମଗୁଡ଼ିକ ବ୍ୟବହୃତ ହେବ।
SIR politics: ଏସ୍ଆଇଆର୍ ରାଜନୀତି ତେଜିଲା: ନିର୍ବାଚନ ଆୟୋଗ ଉପରେ ବର୍ଷିଲେ ବିରୋଧୀ, ଅଭିଯୋଗକୁ ଖଣ୍ଡନ କଲା ଆୟୋଗ
କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସେମାନଙ୍କର ଆଇନଗତ କ୍ଷମତା ଅନୁଯାୟୀ ଇସିଆଇନେଟ୍ ସିଷ୍ଟମ୍କୁ ଭୂମିକା-ଭିତ୍ତିକ ଭାବେ ବ୍ୟବହାର କରିପାରିବେ। ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ (ଡିଇସି)ଙ୍କ ଅଧ୍ୟକ୍ଷତାରେ ଏବଂ ଆଇଆଇଟି/ଟ୍ରିପଲଆଇଟିର ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ କମିଟି ଇସିଆଇନେଟର ସମୀକ୍ଷା କରିବ। ଏହା ଆଇନ ଓ ନିୟମାବଳୀର ବ୍ୟବସ୍ଥା ଅନୁପାଳନ କରୁଛି କି ନାହିଁ ତାହା ଯାଞ୍ଚ କରିବ ଏବଂ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଗତ କିଛି ମାସ ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କଠାରୁ ମିଳିଥିବା ମତାମତ ଆଧାରରେ ପୋର୍ଟାଲରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ କରାଯାଇସାରିଛି। ଯଦି କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପାଇଁ ଅତିରିକ୍ତ ସୁବିଧା ବା ପରିବର୍ତ୍ତନର ଆବଶ୍ୟକତା ପଡ଼େ, ତେବେ ତାହା କାର୍ଯ୍ୟକାରୀ କରାଯିବ। ଏଣିକି, ଆଇଟି ମଡ୍ୟୁଲ୍ ଏବଂ ପୋର୍ଟାଲ ସମ୍ବନ୍ଧୀୟ ସମସ୍ତ ନୂତନ ପଦକ୍ଷେପ ଉପରେ କମିଶନଙ୍କ ଅନୁମୋଦନ ପୂର୍ବରୁ 'ଅଧିକାରୀମାନଙ୍କ କମିଟି' (ସିଓଓ)ରେ ଆଲୋଚନା କରାଯିବ।

3 hours ago
1


