ARTICLE AD BOX
ମୁମ୍ବାଇ: ନିଜ ପୋଷା ଜୀବଜନ୍ତୁଙ୍କ ପ୍ରତି ଭଲପାଇବା କେତେ ଗଭୀର ହୋଇପାରେ, ତାହାର ଏକ ଭାବବିହ୍ୱଳ ଦୃଶ୍ୟ ସାମ୍ନାକୁ ଆସିଛି। ବଲିଉଡ୍ ଅଭିନେତା ଶରଦ କପୁର ନିଜର ଚାରି ପୋଷା କୁକୁରଙ୍କଠାରୁ ବିଦାୟ ନେବା ସମୟରେ କାନ୍ଦି ପକାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ଶାହରୁଖ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଜୋଶ୍’ରେ ନଜର ଆସିଥିବା ଶରଦଙ୍କ ଏଭଳି ଅବସ୍ଥା ଦେଖି ଅନେକ ଚିନ୍ତା ପ୍ରକାଶ କରିଛନ୍ତି।
ଭିଡିଓ ଭାଇରାଲ୍ ହେବା ପରେ ଅଭିନେତା ନିଜ କୁକୁରମାନଙ୍କୁ ସବୁଦିନ ପାଇଁ ଛାଡ଼ି ଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ମୁମ୍ବାଇର ‘ବେଜୁବାନ୍ ପବ୍ଲିକ୍ ୱେଲଫେୟାର ଟ୍ରଷ୍ଟ’ର ପ୍ରତିଷ୍ଠାତା ତଥା ପଶୁ କଲ୍ୟାଣ କର୍ମୀ ହେମା ଚୌଧୁରୀ। ତାଙ୍କ କହିବା ଅନୁଯାୟୀ, ଶରଦ କୁକୁରମାନଙ୍କୁ ସବୁଦିନ ପାଇଁ ଅଲଗା କରିନାହାନ୍ତି। ବରଂ ପରିବାରର ଅସୁବିଧା ଯୋଗୁଁ କିଛି ସମୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି।
ସମସ୍ତ ଦାୟିତ୍ୱ ତୁଲାଇବା କଷ୍ଟକର
ହେମାଙ୍କ ସୂଚନା ଅନୁଯାୟୀ, ଶରଦ ନିଜେ କିଛି ଶାରୀରିକ ସମସ୍ୟାରେ ପୀଡ଼ିତ ଥିବାବେଳେ ତାଙ୍କୁ ମଧ୍ୟ ଯତ୍ନର ଆବଶ୍ୟକତା ରହିଛି। ଏହା ସହିତ ପରିବାରରେ ନିକଟରେ ଏକ ଶିଶୁର ଜନ୍ମ ହୋଇଥିବାରୁ ଘରର ଦାୟିତ୍ୱ ବଢ଼ିଯାଇଛି। ଚାରିଟି କୁକୁରଙ୍କ ଯତ୍ନ ନେବା ପାଇଁ ଘରେ ନିୟମିତ କେୟାରଟେକର ନଥିବାରୁ ପରିବାର ପକ୍ଷେ ସମସ୍ତ ଦାୟିତ୍ୱ ତୁଲାଇବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଶରଦ ଓ ତାଙ୍କ ପରିବାର ନିଜର ଚାରି ପୋଷା କୁକୁରଙ୍କୁ ‘ୟୋଡା ମୁମ୍ବାଇ’ ନାମକ ଏକ ପଶୁ କଲ୍ୟାଣ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ହେମା କହିଛନ୍ତି ଯେ ସେ ଶରଦଙ୍କୁ ପ୍ରାୟ ୩୦ ବର୍ଷ ଧରି ଜାଣିଛନ୍ତି। ପରିବାରର ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କେନ୍ଦ୍ରରେ କୁକୁରମାନଙ୍କର ଯତ୍ନ ନିଆଯିବ।
Car Accident: ନିୟନ୍ତ୍ରଣ ହରାଇ କେନାଲ ପୋଲରେ ପିଟି ହେଲା କାର: ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ
ଭାଇରାଲ୍ ଭିଡିଓରେ ଶରଦ କହିଛନ୍ତି ଯେ ନୂଆ ବଙ୍ଗଳାକୁ ଯିବା ପରେ ସେ ନିଜ ଚାରି କୁକୁରଙ୍କୁ ଫେରାଇ ଆଣିବେ। ସେମାନଙ୍କ ବିନା ସେ ରହିପାରିବେ ନାହିଁ ବୋଲି କହିବା ସହ ସେମାନଙ୍କୁ ନିଜ ପିଲାଙ୍କ ଭଳି ଭଲ ପାଆନ୍ତି ବୋଲି ଭାବବିହ୍ୱଳ ହୋଇ କହିଛନ୍ତି। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ଘଟଣା ନଜାଣି ଅଭିନେତାଙ୍କୁ ସମାଲୋଚନା ନକରିବାକୁ ହେମା ଅନୁରୋଧ କରିଛନ୍ତି।

2 days ago
4


