ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାବ୍ୟାପୀ ଦେଶୀ ମଦ ବିକ୍ରିକୁ ନେଇ ଗତ ୮ମାସ ହେବ ଆନ୍ଦୋଳନ ଚାଲିଛି। ଏହାରି ମଧ୍ୟରେ ମହିଳାମାନେ ବାରମ୍ବାର ମଦ ବନ୍ଦ ଓ ଲାଇସେନ୍ସ୍ ବାତିଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ଆସୁଛନ୍ତି। ଏହାରି ମଧ୍ୟରେ ୧୭ନଂ ୱାର୍ଡର ଭାଟିଶାଳଗୁଡା ଓ ଡାବୁଗାଁର ବରିପଦରରେ ନୂଆରେ ସରକାରୀ ମଦଭାଟି ଖୋଲିବାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବିଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ବାତିଲ କରିବା ପାଇଁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଜିଲ୍ଲାପାଳ ମଧୁମିତାଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାରେ ମହିଳା ମାନେ ମଦ ବନ୍ଦ ପାଇଁ ଆନ୍ଦୋଳନ କରୁଥିବା ବେଳେ ମଦ ଦୋକାନ ନୂଆରେ ଖୋଲିବା। ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତର ବିଷୟ।
ଆମେ ସମସ୍ତେ ଜାଣୁ ଯେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସରକାରୀ ଭାବରେ ମଧ୍ୟ ଚେତାବନୀ ଦିଆଯାଇଛି। ନୂତନ ଦେଶୀ ମଦ ଦୋକାନ ଖୋଲିବା ଦ୍ୱାରା ଆମେ ଯୁବସମାଜ ତଥା ସମାଜରେ ମଦ୍ୟପାନକୁ ପ୍ରୋତ୍ସାହିତ କରିବା। ମୋର ଆଶଙ୍କା ରହିଛି ଯେ, ନୂତନ ମଦ ଦୋକାନ ଖୋଲିବା ଫଳରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇପାରେ, ଯାହା ଆମ ସମାଜରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା କ୍ଷେତ୍ରରେ ଏକ ବଡ଼ ବିପଦ ସୃଷ୍ଟି କରିବ। ଏହା ସମସ୍ତଙ୍କୁ ଜଣା ଯେ, ମଦ୍ୟପାନ କେବଳ ଅନେକ ସୁଖୀ ପରିବାରକୁ ନଷ୍ଟ କରିନାହିଁ, ବରଂ ଏହା ପ୍ରତିଭାବାନ ଯୁବକମାନଙ୍କ ଦକ୍ଷତା ଏବଂ ଆମ ଦେଶର ଭବିଷ୍ୟତକୁ ମଧ୍ୟ ଧ୍ୱଂସ କରିଦେଉଛି।
ମୋର ଅନୁମାନ ଯେ, ନୂତନ ଦେଶୀ ମଦ ଦୋକାନ ଖୋଲିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ରାଜସ୍ୱରେ କିଛି ଅତିରିକ୍ତ ଆୟ ଯୋଡ଼ିବା। ଏଠାରେ ପ୍ରଶ୍ନ ଉଠୁଛି, ଆମ ରାଜ୍ୟର ଯୁବକମାନଙ୍କ ଭବିଷ୍ୟତ ଏବଂ ସେମାନଙ୍କ ଦକ୍ଷତାକୁ ବଳି ଦେଇ ରାଜସ୍ୱ ବୃଦ୍ଧି କରିବା କ’ଣ ଏକମାତ୍ର ଉପାୟ? ମୋ ମତରେ, ଏହି ଉଦ୍ଦେଶ୍ୟ ପୂରଣ ପାଇଁ ଅନ୍ୟ ଅନେକ ଉତ୍ସ କିମ୍ବା ଉପାୟ ରହିଛି। ଆମ ଜିଲ୍ଲାର ମହିଳାମାନେ ମଦ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଆମ ଜିଲ୍ଲା ଏକ 'ଟିଏସ୍ପି' ଅଞ୍ଚଳ ଏବଂ ସମ୍ବିଧାନର ୫ମ ଅନୁସୂଚୀ ଅନ୍ତର୍ଭୁକ୍ତ ହୋଇଥିବାରୁ, ଏଠାରେ ମଦ ଦୋକାନ ଖୋଲିବା ଉଚିତ୍ ନୁହେଁ; କାରଣ ସାଧାରଣ ଜନତା ଏହି ପ୍ରସ୍ତାବର ବିରୋଧ କରୁଛନ୍ତି।
Anti-liquor protest ପୂଜାସ୍ଥଳ ନିକଟରେ ନୂତନ ମଦ ଦୋକାନକୁ ବିରୋଧ, ତାଲା ପକାଇଲେ ମହିଳା
ବିଧାୟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଆପଣ ଆପଣଙ୍କ ନିଷ୍ପତ୍ତି ବିଷୟରେ ଦୁଇଥର ଚିନ୍ତା କରନ୍ତୁ ଏବଂ ଦେଶୀ ମଦ ଦୋକାନ ଉପରେ ଖୋଲିବା ପାଇଁ ନିଲାମ ଅର୍ଡର ବାତିଲ କରନ୍ତୁ ଏବଂ ଯୁବ ପିଢ଼ିକୁ ରକ୍ଷା କରନ୍ତୁ ଏବଂ ଆମର ସୁନ୍ଦର ରାଜ୍ୟ ଓଡ଼ିଶାକୁ ରକ୍ଷା କରନ୍ତୁ। ଏହାକୁ ଜରୁରୀକାଳୀନ ଭାବରେ ବିଚାର କରାଯାଇପାରେ ବୋଲି ନିଜ ଚିଠିରେ ଲେଖି ପଠାଇଥିବା କହିଛନ୍ତି ଶ୍ରୀ ରନ୍ଧାରୀ। ତେବେ ଗତ ୧୨ତାରିଖରେ ହେବାକୁ ଥିବା ଟେଣ୍ଡରର ଲଟେରୀ ଏଯାଏଁ ଜିଲ୍ଲାପ୍ରଶାସନ ବାହାର କରିନି। ଅପରପକ୍ଷରେ ବିଜେଡି, କଂଗ୍ରେସ ସହ ଜିଲ୍ଲାର ନାରୀ ମହାସଂଘ ମଧ୍ୟ ଏହି ଦୁଇ ମଦ ଭାଟି ଖୋଲିବାକୁ ବିରୋଧ କରୁଛନ୍ତି। ଅପରପକ୍ଷରେ ଏହା ନୂଆ ମଦ ଦୋକାନ ନୁହେଁ, ପୁରୁଣା ମଦ ଭାଟିର ପୁନଃ ନବୀକରଣ ବୋଲି ଜିଲ୍ଲାପାଳ ମଧୁମିତା ସ୍ପଷ୍ଟୀକରଣ ଦେଇଥିଲେ। ଲଟେରୀ ହେଲେ ଜିଲ୍ଲାରେ ଆନ୍ଦୋଳନ ସମ୍ଭାବନାକୁ ଏଡାଇ ହେବନି ବୋଲି କହୁଛନ୍ତି ବୁଦ୍ଧିଜୀବୀ।

2 days ago
2


