ARTICLE AD BOX
ଭୁବନେଶ୍ୱର: ଦୀର୍ଘ ୧୮ ମାସର ନିଲମ୍ବନ, ସଂଘର୍ଷ ଓ ସଫଳ ପ୍ରତ୍ୟାବର୍ତ୍ତନର ସୁନେଲି ଧାରା ପରେ ପୁଣି ଥରେ ଏସ୍ଏଲ୍-୩ ପୁରୁଷ ଏକକ ବର୍ଗ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନକୁ ଫେରିଛନ୍ତି ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ। ଏହି ସୁଖବର ସେ ନିଜେ ସାମାଜିକ ଗଣମାଧ୍ୟମ ପୋଷ୍ଟ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କ ଏହି ଐତିହାସିକ ପ୍ରତ୍ୟାବର୍ତ୍ତନ ପଛରେ ରହିଛି ଚଳିତବର୍ଷର ଲଗାତାର ଉଚ୍ଚକୋଟୀର ପ୍ରଦର୍ଶନ। ୨୦୨୫ ସେପ୍ଟେମ୍ବରରେ ନିଲମ୍ବନ ଅବଧି ଶେଷ ହେବା ପରେ କୋର୍ଟକୁ ଫେରିଥିଲେ ସେ। ଚଳିତ ବର୍ଷ ଫେବ୍ରୁଆରିରେ ବାହାରିନ୍ର ମାନାମାଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଥିଲେ। ଏହା ସହ ଲଗାତାର ଚତୁର୍ଥ ବିଶ୍ୱ ଟାଇଟଲ୍ ଜିତିବାର ଗୌରବ ମଧ୍ୟ ହାସଲ କରିଥିଲେ।
ସେହି ପ୍ରତିଯୋଗିତାରେ ସୁକାନ୍ତ କଦମଙ୍କୁ ସାଥୀ କରି ପୁରୁଷ ଯୁଗଳ ଏସ୍ଏଲ୍-୩/ଏସ୍ଏଲ୍-୪ ବର୍ଗରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ। ଏହା ପରେ ଅକ୍ଟୋବରରେ ଜାପାନର ଆଇଚି-ନାଗୋୟାଠାରେ ଏସୀୟ ପାରା କ୍ରୀଡ଼ାରେ ଏକକରେ ରୌପ୍ୟ ଏବଂ ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ଚଳିତ ମାସରେ ସ୍ପେନ୍ରେ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ ଲେଭଲ୍-୧ରେ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ଜିତି ବିଶ୍ୱ ମାନ୍ୟତାର ଶୀର୍ଷକୁ ଫେରିଥିଲେ। ଏଥିନେଇ ସେ କହିଛନ୍ତି, ଗତ ଦୁଇ ବର୍ଷର ଘଟଣାକ୍ରମ ପରେ ଏହି ସଫଳତା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ଏହି ସଫଳତାର ଶ୍ରେୟ ସେ ନିଜ ପ୍ରଶିକ୍ଷକ, ପରିବାର ଓ କଠିନ ସମୟରେ ତାଙ୍କ ସହ ରହିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଦେଇଛନ୍ତି। ଏବେ ତାଙ୍କର ସମସ୍ତ ଧ୍ୟାନ ୨୦୨୮ ଲସ୍ ଆଞ୍ଜେଲସ୍ ପାରାଲିମ୍ପିକ୍ସ ପ୍ରସ୍ତୁତି ଉପରେ ରହିବ ବୋଲି କହିଛନ୍ତି।
Protest: ୨୩ରେ ପିଏମଜି ଛକରେ ଧାରଣା ଦେବେ ଦେଢ଼ଲକ୍ଷ ଅଙ୍ଗନୱାଡୀ କର୍ମୀ: ବିଏମଏସ୍

22 hours ago
3


