ARTICLE AD BOX
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାକୁ ଲାଗିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। ତୃଣମୂଳସ୍ତରରୁ ଯାଞ୍ଚ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ଉଦ୍ଦେଶ୍ୟରେ ସରକାର ଏବେ ''ବାୟୁ ରକ୍ଷକ'' ଟିମଗୁଡ଼ିକୁ ବଡି-ୱର୍ଣ୍ଣ କ୍ୟାମେରା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପ୍ରବର୍ତ୍ତନ ଦଳ ପାଇଁ ୧୦୦ଟି ବଡି କ୍ୟାମେରା କିଣିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ଟିମର ଜଣେ ନିର୍ଦ୍ଦିଷ୍ଟ ସଦସ୍ୟ ଏହି କ୍ୟାମେରା ପିନ୍ଧିବେ ଏବଂ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଏହାକୁ ଚାଲୁ ରଖିବେ। ପ୍ରାୟ ଆଠ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରିବାର କ୍ଷମତା ରଖିଥିବା ଏହି କ୍ୟାମେରାଗୁଡ଼ିକର ସିଧାସଳଖ ପ୍ରସାରଣ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ସହ ଯୋଡ଼ି ହୋଇ ରହିବ। ଯାହାଫଳରେ କଣ୍ଟ୍ରୋଲ୍ ରୁମରେ ବସିଥିବା ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ନଯାଇ ମଧ୍ୟ ତୃଣମୂଳ ସ୍ତରରେ ଚାଲିଥିବା ଯାଞ୍ଚ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ନିଆଯାଉଥିବା ପଦକ୍ଷେପ ଉପରେ ସିଧାସଳଖ ନଜର ରଖିପାରିବେ।
ଦିନରାତି ପ୍ରଦୂଷଣ ନିୟମାବଳୀ ତଦାରଖ
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି), ଦିଲ୍ଲୀ ମହାନଗର ନିଗମ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀମାନଙ୍କୁ ନେଇ ଗଠିତ ଏହି ମିଳିତ ବାୟୁ ରକ୍ଷକ ଦଳଗୁଡ଼ିକ ସହରରେ ଦିନରାତି ପ୍ରଦୂଷଣ ନିୟମାବଳୀ ତଦାରଖ କରୁଛନ୍ତି। ପୂର୍ବରୁ ଏହି ଟିମଗୁଡ଼ିକର ଗତିବିଧି ଜାଣିବା ପାଇଁ ସେମାନଙ୍କ ଗାଡ଼ିରେ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଲଗାଯାଇଥିଲା। ମାତ୍ର ଅଭିଯୋଗ ପାଇବା ସତ୍ତ୍ୱେ ଅନେକ ସମୟରେ ଟିମ୍ ଘଟଣାସ୍ଥଳରେ ପହଞ୍ଚୁନଥିବା ଅଭିଯୋଗ ହୋଇଥିଲା ଏବଂ ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନକାରୀଙ୍କ ସହ ଯୁକ୍ତିତର୍କ ଓ ଅବହେଳା ହେଉଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ବଡି କ୍ୟାମେରା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।

2 days ago
2


