ARTICLE AD BOX
ମୁମ୍ବାଇ: ଏନ୍ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ହେବା ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ଉପରେ ଶନିବାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏନ୍ସିପି (ଶରଦ ପାୱାର) ଲୋକସଭା ସାଂସଦ ସୁପ୍ରିୟା ସୁଲେ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦୁଇ ଗୋଷ୍ଠୀର ପୁନର୍ମିଳନର କୌଣସି ସମ୍ଭାବନା ନାହିଁ। ତାଙ୍କ ଭାଇ ସ୍ୱର୍ଗତ ଅଜିତ ପାୱାର ଜୀବିତ ଥିବା ସମୟରେ ମିଶ୍ରଣ ନେଇ ଆଲୋଚନା ହୋଇଥିଲା, କିନ୍ତୁ ଏକ ବିମାନ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିବା ପରେ ସେହି ଆଲୋଚନା ସବୁଦିନ ପାଇଁ ଶେଷ ହୋଇଯାଇଛି ବୋଲି ସୁଲେ କହିଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ‘ଯେଉଁଦିନ ବିମାନ ଦୁର୍ଘଟଣାରେ ମୋ ଭାଇ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଲା, ସେହିଦିନ ମିଶ୍ରଣ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅଜିତଙ୍କ ସହ ମୋର ଏକ ଭାବପ୍ରବଣ ସମ୍ପର୍କ ରହିଥିଲା ଏବଂ ଦୁର୍ଘଟଣାରେ ତାଙ୍କୁ ହରାଇବା ଆମ ପରିବାର ପାଇଁ ଏକ ବଡ଼ ଝଟକା ଥିଲା, ଯାହା ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ତାହା କେହି ପୂରଣ କରିପାରିବେ ନାହିଁ।’
CIA Chief: ସିଆଇଏ ମୁଖ୍ୟ ହଠାତ୍ ମସ୍କୋରେ ପହଞ୍ଚିଲେ: ଗୁପ୍ତ ଗସ୍ତ ନେଇ କଳ୍ପନାଜଳ୍ପନା ଆରମ୍ଭ
ପ୍ରଫୁଲ୍ଲ ପଟେଲଙ୍କ ସମେତ ଏନ୍ସିପିର ଅନ୍ୟ ନେତାମାନଙ୍କ ସହ ତାଙ୍କର ସାକ୍ଷାତକୁ ମିଶ୍ରଣ ଆଲୋଚନା ପୁନର୍ଜୀବିତ କରିବାର ପ୍ରୟାସ ଭାବେ ଦେଖାଯିବା ଉଚିତ ନୁହେଁ ବୋଲି ସୁଲେ ସ୍ପଷ୍ଟ କରିଛନ୍ତି। ରାଜନୈତିକ ମତଭେଦ ସତ୍ତ୍ୱେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ଦିନର ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କ ରହିଥିବା ସେ କହିଛନ୍ତି। ପ୍ରସ୍ତାବିତ ମିଶ୍ରଣକୁ ନେଇ ଗଣମାଧ୍ୟମରେ ଲଗାତାର ପ୍ରକାଶ ପାଉଥିବା ଖବର ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇ ସୁଲେ କହିଛନ୍ତି ଯେ ସାମ୍ବାଦିକମାନେ ଯେଉଁ ପ୍ରସଙ୍ଗରେ ଆଦୌ ଆଲୋଚନା ହେଉନାହିଁ ସେନେଇ ବାରମ୍ବାର ଅନୁମାନ ନକରି ବାସ୍ତବତାକୁ ଗ୍ରହଣ କରିବା ଉଚିତ।
ସୁପ୍ରିୟା କହିଛନ୍ତି ଯେ ପ୍ରସ୍ତାବିତ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଢାଞ୍ଚା ଏବଂ ସୀମା ପୁନଃନିର୍ଦ୍ଧାରଣ ସମେତ ପ୍ରମୁଖ ଜାତୀୟ ପ୍ରସଙ୍ଗରେ ସଂସଦୀୟ ବୋର୍ଡ ବୈଠକ ଓ ଆଲୋଚନାରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ସେ କହିଛନ୍ତି ଯେ ‘ଗଣମାଧ୍ୟମ ଓ ନୀତି ନିର୍ଦ୍ଧାରକଙ୍କ ଧ୍ୟାନ ଆବଶ୍ୟକ କରୁଥିବା ଅନେକ ଗମ୍ଭୀର ପ୍ରସଙ୍ଗ ରହିଛି, କିନ୍ତୁ ଏହା ବଦଳରେ ଏନ୍ସିପି ମିଶ୍ରଣ ନେଇ ବାରମ୍ବାର କଳ୍ପନାଜଳ୍ପନାମୂଳକ ଖବର ପ୍ରସାରିତ ହେଉଛି। ମୁଁ ବ୍ୟକ୍ତିଗତ ଭାବେ ଏଥିରେ ବିରକ୍ତ ହୋଇଗଲିଣି, କିଛି ଦିନ ପାଇଁ ଏଭଳି ଖବର ମନୋରଞ୍ଜନ ଯୋଗାଇପାରେ କିନ୍ତୁ ଏବେ ଏହାର ଅତ୍ୟଧିକ ପୁନରାବୃତ୍ତି ହେଉଛି ବୋଲି ସେ କହିଛନ୍ତି।

2 days ago
3


