Physiotherapy Centre for MLAs ବିଧାୟକଙ୍କ ପାଇଁ  ବିଧାନସଭା ପରିସରରେ ଫିଜିଓଥେରାପି ସେଣ୍ଟର

2 hours ago 2
ARTICLE AD BOX

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟର ବିଧାୟକମାନଙ୍କ ଆଉ ଏକ ସୁବିଧା ମିଳିବ। ଏଣିକି ଗୋଡ଼ହାତ, ଅଣ୍ଟା ବିନ୍ଧା ଆଦି ଶାରୀରିକ ଯନ୍ତ୍ରଣାର ଉପସମ ନିମନ୍ତେ କୌଣସି ଘରୋଇ ଭୌତିକ ଚିକିତ୍ସା କେନ୍ଦ୍ର (ଫିଜିଓଥେରାପି ସେଣ୍ଟର) ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଆଜି (ବୁଧବାର) ବିଧାନସଭା ପରିସରରେ ଏକ ଫିଜିଓଥେରାପି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହା ସହିତ ବିଧାନସଭାର ତଥ୍ୟକୁ ନେଇଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। 

ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଫିଜିଓଥେରାପି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହାସହ କଫିଟେବୁଲ ବୁକ ‘Presiding with Purpose- Two Years Legislative Journey of Speaker Surama Padhy’ ଏବଂ ‘Two Years of Transformative Leadership Under Speaker Surama Padhy’ ମଧ୍ୟ ଉନ୍ମୋଚିତ ହୋଇଛି।   

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି,  ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଗତ ଦୁଇ ବର୍ଷ ଭିତରେ ବିଧାନ ସଭାରେ ଅନେକ ଐତିହାସିକ ଘଟଣା ଘଟି ଯାଇଛି । ଅନେକ ପ୍ରଭାବଶାଳୀ ଆଇନ ପାରିତ ହେବା ସହ ବିଧାନସଭାର ସମସ୍ତ ପ୍ରକ୍ରିୟା ଡିଜିଟାଇଜ କରାଯାଇପାରିଛି । ତାଙ୍କର ଜ୍ଞାନ, ଅନୁଭବ ଓ ସଂସଦୀୟ ଗଣତନ୍ତ୍ରର ଗରିମା ପ୍ରତି ତାଙ୍କର ନିଷ୍ଠା ଆମ ଓଡ଼ିଶା ବିଧାନ ସଭାର ଦୁଇ ବର୍ଷର ଇତିହାସକୁ ଆହୁରି ଋଦ୍ଧିମନ୍ତ କରିଛି।

ଆଜି ବିଧାନ ସଭା ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ଭାବେ ଆରମ୍ଭ ହୋଇଥିବା ଫିଜିଓଥେରାପି ସେଣ୍ଟରରେ କ୍ୟାପିଟାଲ ହସ୍‌ପିଟାଲ ଏବଂ NIRTARର ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଫିଜିଓଥେରାପି କେନ୍ଦ୍ର ମାଧ୍ୟମରେ ସମସ୍ତ ମାନ୍ୟବର ବିଧାୟକ, ପୂର୍ବତନ ବିଧାୟକ ସେମାନଙ୍କ ସମ୍ପର୍କୀୟ ଏବଂ ଓଡ଼ିଶା ବିଧାନ ସଭା ଅଧିକାରୀ ଓ କର୍ମଚାରୀମାନେ ଉପକୃତ ହେବେ ବୋଲି କହିଛନ୍ତି । ବୟୋଜ୍ୟେଷ୍ଠ ପୂର୍ବତନ ବିଧାୟକମାନେ ଏହା ମାଧ୍ୟମରେ ବହୁଳ ଭାବେ ଉପକୃତ ହେବେ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । 

Odisha Assembly: ଓଡ଼ିଶା ବିଧାନସଭା ପରିଭ୍ରମଣ

ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ବକ୍ତବ୍ୟରେ ପୁସ୍ତକ ସଂପର୍କରେ ଅଭିମତ ରଖି କହିଛନ୍ତି,  କଫି ଟେବୁଲ୍‌ ବୁକ୍‌ରେ ବିଗତ ଦୁଇବର୍ଷରେ ବିଧାନସଭାର କାର୍ଯ୍ୟକ୍ରମ ସମ୍ବଳିତ ଫଟୋଚିତ୍ର ସ୍ଥାନ ପାଇଛି । ନୂତନ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିଧାନସଭାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ, ଜନକଲ୍ୟାଣକାରୀ ଆଇନ ପ୍ରସ୍ତୁତ କାର୍ଯ୍ୟକ୍ରମ, ପାଟନା, ଲକ୍ଷ୍ନୌ, ଜୟପୁର ଓ ମୁମ୍ବାଇ ଠାରେ ଅନୁଷ୍ଠିତ ସର୍ବଭାରତୀୟ ପିଠାସୀନ ଅଧିକାରୀମାନଙ୍କର ସମ୍ମିଳନୀ ସମ୍ପର୍କିତ ବିଶଦ ଫଟୋ ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଛି । 
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ, ବିଧାୟକଗଣ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.