ARTICLE AD BOX
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ପିତୃପକ୍ଷ ଆସିଲେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ କରାଯାଏ। ଯେଉଁ ପିତୃପୁରୁଷଙ୍କର ଯେଉଁ ତିଥିରେ ଦେହାନ୍ତ ହୋଇଥାଏ, ସାଧାରଣତଃ ସେହି ତିଥିରେ ତାଙ୍କର ଶ୍ରାଦ୍ଧ କରାଯାଏ। କିନ୍ତୁ ସବୁ ତିଥି ଶ୍ରାଦ୍ଧ ପାଇଁ ସମାନ ଭାବେ ପ୍ରଶସ୍ତ ନୁହେଁ। କେଉଁ ତିଥିକୁ ଗର୍ହିତ ତ କେଉଁ ତିଥିକୁ କେବଳ ଶସ୍ତ୍ରହତ ବ୍ୟକ୍ତିଙ୍କ ପାଇଁ ବୋଲି ପାଞ୍ଜିରେ ଲେଖାଯାଇଛି। ଦୁଇଦିନ ତିଥି ଥିଲେ କେଉଁ ଦିନ କରିବ, ତାହାକୁ ନେଇ ବି ସବୁବେଳେ ଦ୍ବନ୍ଦ୍ବ ଥାଏ। ଏଥର ଗୋବିନ୍ଦବାବୁଙ୍କର ମଧ୍ୟ ସେହି ସମସ୍ୟା। ତାଙ୍କ ପିତାଙ୍କ ଦେହାନ୍ତ ଆଶ୍ୱିନ କୃଷ୍ଣପକ୍ଷ ତ୍ରୟୋଦଶୀରେ ହୋଇଥିଲା। କିନ୍ତୁ ପାଞ୍ଜିରେ ତ୍ରୟୋଦଶୀ ଶ୍ରାଦ୍ଧ ଗର୍ହିତ ବୋଲି ଉଲ୍ଲେଖ ଅଛି। ଏଣୁ ଏ ବର୍ଷ ସେ କେଉଁଦିନ ଶ୍ରାଦ୍ଧ କରିବେ, ତାହା ଜାଣିବା ପାଇଁ ସେ ମାଗୁଣି ପଣ୍ଡିତଙ୍କ ପାଖକୁ ଆସିଛନ୍ତି।
SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’
ଗୋବିନ୍ଦବାବୁ: ପଣ୍ଡିତେ, ମୋ ବାପାଙ୍କର ଦେହାନ୍ତ ଆଶ୍ୱିନ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ହୋଇଥିଲା। ପ୍ରତିବର୍ଷ ସେହି ତିଥିରେ ତାଙ୍କର ଶ୍ରାଦ୍ଧ କରୁଛି। ଏହା ଠିକ୍ ବା ଭୁଲ୍ ମୋତେ ଜଣାନାହିଁ। କିନ୍ତୁ ଏବର୍ଷ ପାଞ୍ଜି ଦେଖିବାରୁ ନଜର ପଡ଼ିଲା, ସେଥିରେ ତ୍ରୟୋଦଶୀ ଶ୍ରାଦ୍ଧ ଗର୍ହିତ ବୋଲି ଲେଖାଅଛି। ତେଣୁ କ’ଣ କରିବି?
ମାଗୁଣି ପଣ୍ଡିତ: ଏଠାରେ ପ୍ରଥମେ ଗୋଟିଏ କଥା ବୁଝିବା ଦରକାର। ପିତୃପକ୍ଷର ସବୁ ତିଥି ଗର୍ହିତ ନୁହେଁ। କେବଳ ଆଶ୍ୱିନ କୃଷ୍ଣପକ୍ଷ ତ୍ରୟୋଦଶୀ ହେଉଛି ଗର୍ହିତ। ପଣ୍ଡିତ ସର୍ବସ୍ବ, ଶ୍ରାଦ୍ଧମଞ୍ଜରୀ ପ୍ରଭୃତିରେ ଏହାକୁ ଅପରପକ୍ଷ ଶ୍ରାଦ୍ଧ ପାଇଁ ଗର୍ହିତ କୁହାଯାଇଛି। ଅପରପକ୍ଷ ଶ୍ରାଦ୍ଧ ସବୁ ପିତୃପୁରୁଷଙ୍କ ପାଇଁ, ଯିଏ ଯେଉଁ ତିଥିରେ ମରିଥାନ୍ତୁ ନା କାହିଁ। ପୁଣି ଯାହାର ମୃତ୍ୟୁ ତିଥି ଜଣାନାହିଁ ବା ଯେଉଁମାନେ ପିଣ୍ଡପାଣି ପାଉ ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ। ସେମାନଙ୍କ ପାଇଁ ପିତୃପକ୍ଷର ଯେକୌଣସି ତିଥିରେ ବା ମହାଳୟାରେ ଶ୍ରାଦ୍ଧ କରାଯିବାର ବିଧି ଥିବାରୁ ଆମେ ଗର୍ହିତ ବୋଲି ଲେଖା ଥିବା ଗୋଟିଏ ମାତ୍ର ତିଥିକୁ ବାଦ୍ ଦେଇ ଅନ୍ୟ ତିଥିରେ କରିପାରିବା।
ଗୋବିନ୍ଦବାବୁ: ତେବେ ତ୍ରୟୋଦଶୀ ଦିନରେ ମୋ ବାପାଙ୍କ ଶ୍ରାଦ୍ଧ କରାଯିବ ନାହିଁ?
ମାଗୁଣି ପଣ୍ଡିତ: ସେଇ କଥା ତ କହୁଥିଲି। ଆପଣ ଅନ୍ୟମାନଙ୍କ ପାଇଁ ସେଦିନ ଶ୍ରାଦ୍ଧ କରିବେନି ସିନା, ଆପଣଙ୍କ ପିତାଙ୍କ ସାମ୍ବତ୍ସରିକ ଶ୍ରାଦ୍ଧ କରିବେନି କାହିଁକି, ଯିଏ ସେହିଦିନ ପରଲୋକ ଯାଇଛନ୍ତି? ସେହିଦିନ ମରିଥିବା ବ୍ୟକ୍ତିଙ୍କ ପାଇଁ ସେହିଦିନ ଏବଂ ଅନ୍ୟମାନଙ୍କ ପାଇଁ ସର୍ବପିତୃ ଅମାବାସ୍ୟା ମହାଳୟାରେ ଶ୍ରାଦ୍ଧ କରନ୍ତୁ। ତେବେ ତ୍ରୟୋଦଶୀ ଶ୍ରାଦ୍ଧ ପାଇଁ ଆଉ ଗୋଟିଏ ବିଶେଷ ନିୟମ ଅଛି। ଆଶ୍ୱିନ କୃଷ୍ଣ ତ୍ରୟୋଦଶୀରେ ଯଦି ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ଏବଂ ହସ୍ତା ନକ୍ଷତ୍ରରେ ସୂର୍ଯ୍ୟ ଥାଆନ୍ତି, ତେବେ ଗଜଚ୍ଛାୟା ଯୋଗ ହୁଏ। ଏହି ବିଶେଷ ଯୋଗରେ ଶ୍ରାଦ୍ଧ ଓ ଦାନ କଲେ ଅକ୍ଷୟ ପୁଣ୍ୟଫଳ ମିଳେ ବୋଲି ପଣ୍ଡିତ ସର୍ବସ୍ବ, ଗଦାଧର ପଦ୍ଧତି, କାଳବିବେକ, ଶ୍ରାଦ୍ଧମଞ୍ଜରୀ ପ୍ରଭୃତି ଶାସ୍ତ୍ରରେ ଉଲ୍ଲେଖ ଅଛି। ଏହି ଯୋଗରେ ପିଣ୍ଡଦାନ କଲେ ପିତୃଲୋକର ଉଦ୍ଧାର ହୁଏ ବୋଲି ମଧ୍ୟ କୁହାଯାଇଛି। ପୁଣି କୁହାଯାଇଛି, ଯେଉଁମାନେ ପିତୃପକ୍ଷରେ ଗୋଟିଏ ଦିନ ଶ୍ରାଦ୍ଧ କରୁଛନ୍ତି, ସେମାନେ ତ୍ରୟୋଦଶୀରେ ଶ୍ରାଦ୍ଧ କରିବେନି କିନ୍ତୁ ଯେଉଁମାନେ ପିତୃପକ୍ଷରେ ସବୁଦିନ ଶ୍ରାଦ୍ଧ କରୁଛନ୍ତି, ସେମାନେ ପିଣ୍ଡରହିତ ଶ୍ରାଦ୍ଧ କରିବା ଦୋଷାବହ ନୁହେଁ।
ଗୋବିନ୍ଦବାବୁ: ଶ୍ରାଦ୍ଧ ଶବ୍ଦର ନିଜସ୍ୱ ଅର୍ଥ କ’ଣ ପଣ୍ଡିତେ?
ମାଗୁଣି ପଣ୍ଡିତ: ‘ଶ୍ରି’ ଧାତୁ ଅର୍ଥାତ୍ ସେବାରୁ ଅତ୍ ପ୍ରତ୍ୟୟ ହେଲେ ‘ଶ୍ରତ୍’ ହୁଏ, ଏହା ସହିତ ‘ଧା’—ଧାରଣ, ପାଳନ ଓ ପୋଷଣ—ଯୋଗ ହୋଇ ‘ଶ୍ରଦ୍ଧା’ ହୁଏ। ଅର୍ଥାତ୍ ଶ୍ରେୟକୁ ଧାରଣ, ପାଳନ ଓ ପୋଷଣ କରିବା ହେଉଛି ଶ୍ରଦ୍ଧା। ପୁଣି ‘ଶ୍ରଦ୍ଧା’ ସହିତ ଦାନାର୍ଥେ ‘ଅ’ ପ୍ରତ୍ୟୟ ଯୋଗ ହୋଇ ‘ଶ୍ରାଦ୍ଧ’ ଶବ୍ଦ ହୋଇଛି। ତେଣୁ ଶ୍ରାଦ୍ଧ କେବଳ ପିଣ୍ଡଦାନ କିମ୍ବା ବ୍ରାହ୍ମଣ ଭୋଜନ ନୁହେଁ। ଏଥିରେ ଅନ୍ନ, ବସ୍ତ୍ର, ପରିବା, ଚାଉଳ, ଟଙ୍କା ଆଦି ଦାନ କରାଯାଏ। ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା ଏହାର ମୂଳ ଭାବ। ସେମାନଙ୍କ ଉତ୍ତମ ଗୁଣରାଜିକୁ ସ୍ମରଣ କଲେ ସେହି ଗୁଣ ଆମ ଭିତରେ ମଧ୍ୟ ଉଦ୍ଭାସିତ ହୋଇପାରେ।
ଗୋବିନ୍ଦବାବୁ: ଶ୍ରାଦ୍ଧ କେଉଁ ସମୟରେ କରିବା ଉଚିତ?
ମାଗୁଣି ପଣ୍ଡିତ: ଶ୍ରାଦ୍ଧର କାର୍ଯ୍ୟକାଳ ସାଧାରଣତଃ ଅପରାହ୍ଣ। କିନ୍ତୁ ଶ୍ରାଦ୍ଧର ପ୍ରକାରଭେଦ ଅନୁସାରେ ସମୟ ନିରୁପିତ ହୁଏ। ବୃଦ୍ଧି ଶ୍ରାଦ୍ଧ ପ୍ରାତଃକାଳରେ, ଏକୋଦ୍ଦିଷ୍ଟ ମଧ୍ୟାହ୍ନରେ, ପାର୍ବଣ ଶ୍ରାଦ୍ଧ ଅପରାହ୍ଣରେ ଏବଂ ଅପରପକ୍ଷ ଶ୍ରାଦ୍ଧ ଅପରାହ୍ଣରେ ମହାଳୟା ବିଧିରେ ହୁଏ। କିନ୍ତୁ ଅପରପକ୍ଷର ଚତୁର୍ଦ୍ଦଶୀ ଶ୍ରାଦ୍ଧ ଶସ୍ତ୍ରହତ, ଦୁର୍ଘଟଣାରେ ବା ଯୁଦ୍ଧ ଆଦିରେ ନିହତ ବ୍ୟକ୍ତିମାନଙ୍କ ପାଇଁ କେବଳ ଏକୋଦ୍ଦିଷ୍ଟ ବିଧିରେ ମଧ୍ୟାହ୍ନରେ ହୁଏ।
ଗୋବିନ୍ଦବାବୁ: ତେବେ ମୋ କ୍ଷେତ୍ରରେ ଠିକ୍ କେଉଁଦିନ ଶ୍ରାଦ୍ଧ କରିବି?
ମାଗୁଣି ପଣ୍ଡିତ: ଆପଣ ଅକ୍ଟୋବର ୮ ତାରିଖରେ ଆପଣଙ୍କ ବାପାଙ୍କ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ଅପରାହ୍ଣରେ କରିବେ। ମଘା ନକ୍ଷତ୍ର ନ ଥିବାରୁ ଏବର୍ଷ ଗଜଚ୍ଛାୟା ଯୋଗ ହେଉନାହିଁ। ତେବେ ସେଦିନ କରି ନ ପାରିଲେ ଆପଣ ଅକ୍ଟୋବର ୧୦ ତାରିଖରେ ବାପାଙ୍କ ସାମ୍ବତ୍ସରିକ ଶ୍ରାଦ୍ଧ ସହ ସର୍ବପିତୃ ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ କରିପାରିବେ।
ମୋ- ୭୦୦୮୯୬୦୫୦୨

1 day ago
3


