ARTICLE AD BOX
କଟକ: ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ନଭେମ୍ବର ୧୬ ତାରିଖଠାରୁ ଦାୟିତ୍ବ ନିର୍ବାହ କରିବେ। ଏ ନେଇ ଶୁକ୍ରବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନଭେମ୍ବର ୧୫ରେ ଅବସର ଗ୍ରହଣ ପୂର୍ବରୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ୧୯୭୦ ଫେବ୍ରୁଆରି ୧ରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ସିଧା ସଳଖ ଜିଲ୍ଲା ଜଜ୍ କ୍ୟାଡରରେ ୨୦୦୮ରେ ନିଯୁକ୍ତି ପାଇଥିଲେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରିବା ପରେ ସେ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯, ନଭେମ୍ବର ୮ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନଭେମ୍ବର ୧୫ରେ ସେ ଅବସର ଗ୍ରହଣ କରିବାକୁ ଥିବା ବେଳେ ଗତକାଲି ହାଇକୋର୍ଟରେ ଥିଲା ତାଙ୍କ ଶେଷ କାର୍ଯ୍ୟ ଦିବସ। ଏଥି ପାଇଁ ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଫୁଲ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇଥିଲା। ଏହି ନ୍ୟାୟାଳୟରେ ତାଙ୍କ କାର୍ଯ୍ୟକାଳ ନ୍ୟାୟିକ ପ୍ରାଜ୍ଞତା, ପ୍ରଶାସନିକ ନେତୃତ୍ୱ ଓ ଅନୁଷ୍ଠାନ ପ୍ରତି ଅତୁଟ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ହୋଇଛି ବୋଲି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ କହିଥିଲେ। ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ, ହାଇକୋର୍ଟ ବାର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ନିଜ ବକ୍ତବ୍ୟରେ ତାଙ୍କ କାର୍ଯ୍ୟଶୈଳୀ ଓ ରାୟର ପ୍ରଶଂସା କରିଥିଲେ।

2 days ago
2


