Odisha's political: ବଦଳିଯିବ ଓଡ଼ିଶାର ରାଜ‌ନୈତିକ ମାନଚିତ୍ର: ବଢ଼ିପାରେ ୧୦ ଲୋକସଭା ଆସନ

3 hours ago 2
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ନିର୍ଦ୍ଦିଷ୍ଟ ଭାବେ କେତେ ଲୋକସଭା ଓ ବିଧାନସଭା ଆସନ ବଢ଼ିବ? ରାଜ୍ୟର କେଉଁ କେଉଁ ଲୋକସଭା ଆସନ ଭାଙ୍ଗିବ? କେଉଁ ବ୍ଲକକୁ ନେଇ କେଉଁ ବିଧାନସଭା ଆସନ ଗଠନ ହେବ? ପୁଣି ମହିଳାଙ୍କ ପାଇଁ କେଉଁ ଆସନ ସଂରକ୍ଷଣ ରହିବାର ସମ୍ଭାବନା ଅଧିକ? ଏହି ସଂରକ୍ଷଣର ଭିତ୍ତି କ’ଣ ହେବ? ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କେଉଁ କେଉଁ ଆସନ ସଂରକ୍ଷିତ ରହିବ? 

ବହୁ ପ୍ରତୀକ୍ଷିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଓ ମହିଳା ସଂରକ୍ଷଣ ବିଲ୍‌ରେ କେନ୍ଦ୍ର କ୍ୟାବିନେଟ୍‌ର ମୋହର ବାଜିବା ପରେ ଆଜି ରାଜ୍ୟରେ ଏମିତି ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିବା ପ୍ରସ୍ତାବ ଅବିକଳ ସଂସଦରେ ପାରିତ ହେଲେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ିବା ନିଶ୍ଚିତ। ଏହାକୁ ନଜରରେ ରଖିଲେ ଓଡ଼ିଶାର ରାଜନୈତିକ ମାନଚିତ୍ର ସମ୍ପୂଣ୍ଣ ବଦଳିଯିବ। ରାଜ୍ୟର ସବୁ ଅଞ୍ଚଳ ଉପରେ ଏହାର ପ୍ରଭାବ ପଡ଼ିବ। ସଂରକ୍ଷଣ ବି ଓଲଟପାଲଟ ହୋଇଯିବ। ତେବେ ସୀମା ପୁନଃନିର୍ଦ୍ଧାରଣର 

ବାସ୍ତବ ଚିତ୍ର ଏ ଯାଏଁ ଆଗକୁ ଆସିନି। ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆକଳନ ଯାହା କରାଯାଉଛି। ତାହାକୁ ଭିତ୍ତି କରି ହିଁ ଚର୍ଚ୍ଚା ‌ଚାଲିଛି। ରାଜ୍ୟରେ ଏବେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ରହିଛି। ଯଦି ୫୦ ପ୍ରତିଶତ ଆସନ ବଢ଼େ, ତେବେ ଲୋକସଭାର ଆସନ ସଂଖ୍ୟା ୩୧ ହୋଇପାରେ। ହେଲେ ବିଧାନସଭା ଆସନ ସଂଖ୍ୟା ଗଣିତ ଆହୁରି ଜଟିଳ ରହିବ। ଏଇଥିପାଇଁ ଯେ ପ୍ରାରମ୍ଭିକ ତଥ୍ୟ ଅନୁସାରେ, ୨୦୧୧ ଜନଗଣନା ଆଧାରରେ ହିଁ ଆସନ ବଣ୍ଟାଯିବ। ଯେବେ ସୀମା ପୁନଃନିର୍ଦ୍ଧାରଣ କମିସନ ଗଠନ ହେବ, ସେମାନେ ଲୋକସଂଖ୍ୟାକୁ ଯେଉଁ ହିସାବରେ ବାଣ୍ଟିବେ, ସେ ଅନୁସାରେ ବିଧାନସଭା ଆସନ ସଂଖ୍ୟା ନିରୂପିତ ହେବାର ସମ୍ଭାବନା ଅଧିକ ରହିଛି। ଏ ଚିତ୍ର ଏବେ ଅସ୍ପଷ୍ଟ ପ୍ରାୟ। ତେବେ ବିଧାନସଭା ଆସନ ସଂଖ୍ୟା ୬୦ରୁ ୮୦ ପର୍ଯ୍ୟନ୍ତ ବଢ଼ିଯାଇପାରେ।  ଅନ୍ୟପକ୍ଷରେ ଦେଖିଲେ ମହିଳାଙ୍କ ପାଇଁ ଲୋକସଭାରେ ୧୦ଟି ଆସନ ସଂରକ୍ଷିତ ରହିବ। ବିଧାନସଭାରେ ୭୦ ପାଖାପାଖି ଆସନରୁ ମହିଳା ଲଢ଼ିପାରନ୍ତି।  ଅତଏବ କେବଳ ମୟୂରଭଞ୍ଜ, ବ୍ରହ୍ମପୁର, ସୁନ୍ଦରଗଡ଼ ପରି ବଡ଼ ବଡ଼ ଲୋକସଭା ଆସନ ନୁହେଁ, ରାଜ୍ୟର ସବୁ ନିର୍ବାଚନମଣ୍ଡଳୀର ଚେହେରା ବଦଳିଯିବାର ସମ୍ଭାବନା ଅଧିକ ରହିଛି। ପ୍ରତି ଜିଲ୍ଲାରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ।

ଉଲ୍ଲେଖଥାଉକି, ବୈଠକ ପରେ ସବୁ ନେତା ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା ଓ ସଂରକ୍ଷଣ ବ୍ୟବସ୍ଥା ଓଲଟପାଲଟ ହେବ ଓ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପରିପ୍ରେକ୍ଷୀରେ ସେମାନଙ୍କ ଆସନ କେତେ ସୁରକ୍ଷିତ ରହିବ ବା କେଉଁ ରୂପ ନେବ, ତାହା ସେମାନେ ଅନୁମାନ କରିପାରୁନାହାନ୍ତି। ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ବିଲ୍‌ର ରୂପରେଖ ଆସିବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ। ତେବେ ଏହି ବିଲ୍‌କୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଲୋକସଂଖ୍ୟା ଅନୁପାତରେ ଆସନ ବଢ଼ାଇବା ପାଇଁ ପ୍ରସ୍ତାବ ଥିଲାବେଳେ ବିଜେଡି ବିରୋଧ କରିଥିଲା। ଏବେ ସୀମା ପୁନଃନିର୍ଦ୍ଧାରଣ ତରିକା ବଦଳିଥିବାରୁ ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନ ହୋଇପା‌ରେ ବୋଲି କୁହାଯାଉଛି। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ କହିଛନ୍ତି, ରାଜ୍ୟର ସ୍ବାର୍ଥକୁ ଆଖି ଆଗରେ ରଖି ବିଜେଡି ନିଷ୍ପତ୍ତି ନେବ। ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ, ତାହାକୁ କାର୍ଯ୍ୟକାରୀ କରାଯିବ। ସୂଚନାଯୋଗ୍ୟ, ରାଜ୍ୟସଭାରେ ଏବେ ବିଜେଡିର ପାଞ୍ଚ ସାଂସଦ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.