ARTICLE AD BOX
ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସରେ ୧୦ ଥାନା, ୧୯ ଇଣ୍ଟେଲିଜେନ୍ସ ୟୁନିଟ୍ ପ୍ରସ୍ତାବ
ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ
ଭୁବନେଶ୍ୱର: ନିଶା କାରବାର, ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଓଡ଼ିଶା ପୁଲିସକୁ ଆହୁରି ସୁଦୃଢ଼ କରାଯିବ। ଖୁବ୍ଶୀଘ୍ର ରାଜ୍ୟ ପୁଲିସରେ ୩ଟି ନୂଆ ବିଭାଗ—ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍), ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ (ଏଏନ୍ଟିଏସ୍) ଓ ରୋଡ୍ ସେଫ୍ଟି ୱିଙ୍ଗ୍ ଗଠନ ହେବ।
Odisha Police's social media: ଓଡ଼ିଶା ପୁଲିସର ସୋସିଆଲ୍ ମିଡିଆ ଚଳାଇବ ପେସାଦାର ସଂସ୍ଥା
ଆଜି ଏନେଇ ପୁଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି। ସୂଚନାନୁସାରେ, ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏଥିପାଇଁ ରାଜ୍ୟରେ ୧୦ଟି ସ୍ୱତନ୍ତ୍ର ପୋଲିସ ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍ ଗଠନ ପାଇଁ ପ୍ରସ୍ତାବ ରହିଛି। ନିଶା ଚାଲାଣକାରୀଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଯାଏ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବ। ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ମୁକାବିଲା ପାଇଁ ଏଟିଏସ୍ ଗଠନ ନିମନ୍ତେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି।
Unsafe Odisha Police: ଅସୁରକ୍ଷିତ ଓଡ଼ିଶା ପୁଲିସ!: ୪୦ ହଜାରରୁ ଅଧିକ ଫୋର୍ସଙ୍କର ନାହିଁ ସୁରକ୍ଷା ଉପକରଣ
ତେବେ କ୍ଷେତ୍ରସ୍ତରରେ ଏଥିପାଇଁ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସ୍ୱତନ୍ତ୍ର କମାଣ୍ଡୋମାନଙ୍କୁ ତାଲିମ ଦିଆଯାଉଥିବା ବେଳେ ଆବଶ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି। ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଲକ୍ଷ୍ୟରେ ରୋଡ୍ ସେଫ୍ଟି ୱିଙ୍ଗ୍ ଗଠନ କରାଯିବ। ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ବିଭାଗ କାର୍ଯ୍ୟ କରିବ। ଏଥିପାଇଁ ୨,୦୦୦ ପଦବି ରଖାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ସରକାରଙ୍କ ଅନୁମୋଦନ ପରେ ଏହି ୩ଟି ନୂଆ ବିଭାଗ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ନିଶା କାରବାର ଦମନ, ଆତଙ୍କବାଦ ମୁକାବିଲା ଓ ସଡ଼କ ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।

1 hour ago
3


