ARTICLE AD BOX
ଭାରତର ଗଙ୍ଗା ନଦୀ ଦେଶର ସଂସ୍କୃତି, ଅର୍ଥନୀତି, କୃଷି ଓ ଜୈବବିବିଧତାର ଏକ ପ୍ରମୁଖ ଜୀବନରେଖା। ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ହିମବାହ ଅଞ୍ଚଳରୁ ଉତ୍ପତ୍ତି ହୋଇ ଗଙ୍ଗା ଅନେକ ରାଜ୍ୟ ଦେଇ ପ୍ରବାହିତ ହୋଇ ଶେଷରେ ବଙ୍ଗୋପସାଗରରେ ମିଶିଛି। କିନ୍ତୁ ଦ୍ରୁତ ସହରୀକରଣ, ଘରୋଇ ନର୍ଦ୍ଦମା ଜଳ, ଶିଳ୍ପ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ଏହାର ଜଳର ଗୁଣବତ୍ତା ଓ ଜଳଜୀବଙ୍କ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ସହ ନଦୀର ପ୍ରାକୃତିକ ପରିବେଶକୁ ପୁନରୁଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ନ୍ୟାସନାଲ୍ ମିସନ୍ ଫର୍ କ୍ଲିନ୍ ଗଙ୍ଗା ବା ଜାତୀୟ ସ୍ୱଚ୍ଛ ଗଙ୍ଗା ମିସନ (ଏନ୍ଏମ୍ସିଜି) ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
‘ଏନ୍ଏମ୍ସିଜି’ ୧୨ ଅଗଷ୍ଟ ୨୦୧୧ରେ ଏକ ସୋସାଇଟି ଭାବେ ପଞ୍ଜୀକୃତ ହୋଇଥିଲା। ଏହି ସଂସ୍ଥା ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଗଙ୍ଗା ନଦୀର ପ୍ରଦୂଷଣ ନିୟନ୍ତ୍ରଣ, ସଂରକ୍ଷଣ ଓ ପୁନରୁଦ୍ଧାର ଏହାର ପ୍ରମୁଖ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଜୁନ୍ ୨୦୧୪ରେ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମକୁ ଏକ ପ୍ରମୁଖ ଯୋଜନା ଭାବେ ଅନୁମୋଦନ କରିଥିଲେ। ପ୍ରାରମ୍ଭରେ ଏଥିପାଇଁ ୨୦,୦୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଥିଲା। ପରେ ଏହି କାର୍ଯ୍ୟକ୍ରମକୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା। ନମାମି ଗଙ୍ଗେ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ନଦୀରେ ଦୂଷିତ ଜଳ ପ୍ରବେଶକୁ ରୋକିବା ଏବଂ ଏହାର ପ୍ରାକୃତିକ ପ୍ରବାହକୁ ସୁରକ୍ଷିତ ରଖିବା। ଏଥିପାଇଁ ନର୍ଦ୍ଦମା ଜଳ ବିଶୋଧନ କେନ୍ଦ୍ର (ଏସ୍ଟିପି) ନିର୍ମାଣ, ପୁରୁଣା ବିଶୋଧନ ବ୍ୟବସ୍ଥାର ଉନ୍ନତୀକରଣ, ଶିଳ୍ପ ବର୍ଜ୍ୟଜଳ ଉପରେ ନଜର ଏବଂ ନଦୀଘାଟର ବିକାଶ ଭଳି କାର୍ଯ୍ୟ କରାଯାଉଛି। ଏହାସହ ନଦୀପୃଷ୍ଠରୁ ଭାସମାନ ଆବର୍ଜନା ସଫେଇ, ବୃକ୍ଷରୋପଣ, ନଦୀକୂଳର ଗ୍ରାମଗୁଡ଼ିକରେ ସ୍ୱଚ୍ଛତା ଏବଂ ଜନସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
Illegal mining: ମାଫିଆଙ୍କ କବ୍ଜାରେ ଟିକରପଡ଼ା ପାହାଡ଼; ଉଠାଇ ନେଲେ ୨ ଟ୍ରିପ୍ ବିରଳ ନୀଳପଥର
କେନ୍ଦ୍ର ସରକାରଙ୍କ ୭ ମାର୍ଚ୍ଚ ୨୦୨୫ର ତଥ୍ୟ ଅନୁସାରେ, ୩୧ ଜାନୁଆରି ୨୦୨୫ ସୁଦ୍ଧା ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ମୋଟ ୪୯୨ଟି ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଏଥିପାଇଁ ୪୦,୧୨୧.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୩୦୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ଏହା ମଧ୍ୟରେ ୨୦୬ଟି ନର୍ଦ୍ଦମା ଜଳ ପରିଚାଳନା ପ୍ରକଳ୍ପ ଥିଲା। ଏହି ତଥ୍ୟ ଗଙ୍ଗାର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚାଲିଥିବା ବ୍ୟାପକ ପ୍ରୟାସକୁ ଦର୍ଶାଇଛି। ଗଙ୍ଗାର ସୁରକ୍ଷା କେବଳ ଜଳକୁ ସଫା କରିବାରେ ସୀମିତ ନୁହେଁ। ଏହି ନଦୀରେ ବାସ କରୁଥିବା ଡଲଫିନ୍, କଇଁଛ ଓ ବିଭିନ୍ନ ମାଛ ପ୍ରଜାତିଙ୍କ ସୁରକ୍ଷା ମଧ୍ୟ ମିସନର ମୁଖ୍ୟ ଉଦ୍ଦେଶ୍ୟ। ନଦୀକୂଳରେ ବୃକ୍ଷରୋପଣ ଓ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ମାଧ୍ୟମରେ ନଦୀର ପରିବେଶ ସନ୍ତୁଳନକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି ‘ଏନ୍ଏମ୍ସିଜି’। ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ଏକ ଦୀର୍ଘକାଳୀନ ପ୍ରକ୍ରିୟା। କେବଳ ନୂଆ ପ୍ରକଳ୍ପ ନିର୍ମାଣ କଲେ ଏହି ଲକ୍ଷ୍ୟ ପୂରଣ ହେବ ନାହିଁ; ବିଶୋଧନ କେନ୍ଦ୍ରଗୁଡ଼ିକର ନିୟମିତ ପରିଚାଳନା, ଶିଳ୍ପ ବର୍ଜ୍ୟଜଳ ଉପରେ ନିୟନ୍ତ୍ରଣ ଏବଂ ନଦୀର ଜଳଗୁଣବତ୍ତା ନିରୀକ୍ଷଣ ମଧ୍ୟ ଆବଶ୍ୟକ।

1 day ago
3


