ARTICLE AD BOX
ଭୁବନେଶ୍ବର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ: ଜଣେ ସାଧାରଣ ଓଡ଼ିଆର କଥା’ ଆଜି ଲୋକାର୍ପିତ ହୋଇଛି। କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯ଜଣ ସାଧାରଣ ଓଡ଼ିଆ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ରଙ୍କ ସହ ଶ୍ରୀ ପଟ୍ଟନାୟକ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଏକ ଭିନ୍ନ ଧରଣର ସମାଜ ଚାଲିଛି। ଆଜିର ଯୁବପିଢ଼ି ମଧୁବାବୁ, ଗୋପବନ୍ଧୁ, ଗାନ୍ଧୀଙ୍କ ବିଷୟରେ ଜାଣୁନାହାନ୍ତି। ତେଣୁ ପୂର୍ବ ପିଢ଼ି କିମ୍ବା ବର୍ତ୍ତମାନ ପିଢ଼ି ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ଏହି ପୁସ୍ତକ ଲେଖିଛି। ସତ୍ୟ ପଥ ଓ ନିଷ୍ଠାପର ସହ କାମ କଲେ ସଫଳତା ନିଶ୍ଚିତ ମିଳିବ, ତାହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ଯୁବପିଢ଼ି ପାଇଁ ଏହା ଲେଖାଯାଇଛି। ଜୀବନରେ ଓକିଲାତି ଓ ରାଜନୀତି ଜରିଆରେ ଜନସେବା କରିବା ପାଇଁ ଲକ୍ଷ୍ୟ ଥିଲା। ଏଥିପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ବ ଓ ରାଜନୀତିରେ ବିଜୁ ବାବୁ, ଜାନକୀ ବାବୁ ଓ ନନ୍ଦିନୀ ଦେବୀଙ୍କ ଅନେକ ଗୁଣ ପ୍ରଭାବିତ କରିଛି। ଜାନକୀ ବାବୁଙ୍କ ଭଳି ଜଣେ ଜ୍ଞାନୀ ଓ ସହନଶୀଳ ବ୍ୟକ୍ତି ରାଜନୀତିରେ ବିରଳ। ଯଦି ବିଜୁ ବାବୁ ଓ ଜାନକୀ ବାବୁଙ୍କୁ ଗୋଟିଏ ବାକ୍ୟରେ ତୁଳନା କରାଯାଏ, ତାହାଲେ ବିଜୁ ବାବୁ ଥିଲେ ସ୍ବପ୍ନଦର୍ଶୀ ଓ ଜାନକୀ ବାବୁ କାମ କରୁଥିବା ବ୍ୟକ୍ତିତ୍ବ। ଏମିତିକି ନନ୍ଦିନୀ ଦେବୀ କମ୍ୟୁନିଷ୍ଟ ଦଳ ଛାଡ଼ି କଂଗ୍ରେସ ଯୋଗଦେବା ପଛରେ ମୋର ଏକ ଛୋଟ ଭୂମିକା ରହିଥିଲା।
OUSSSC protests: ପୁଲିସ ଏସ୍ଆଇ ନିଯୁକ୍ତି ଦାବିରେ ଓୟୁଏସ୍ଏସ୍ଏସ୍ସି ଘେରାଉ
ସେ କହିଥିଲେ, କଂଗ୍ରେସ ଶାସନ ସମୟରେ ମୋତେ ଖଣି ମାଲିକ ହେବାର ସୁଯୋଗ ମିଳିଥିଲା ବୋଲି ଅନେକ ଭାବନ୍ତି। ବାସ୍ତବରେ କୌଣସି ଗୋଟିଏ ବି ଖଣି କଂଗ୍ରେସ ଶାସନରେ ପାଇନାହିଁ। ୪ଟି ଖଣିର ମାଲିକ ହେବା ପାଇଁ ମଧ୍ୟ ଉତ୍କୋଚ ଦେବାକୁ ପଡ଼ିନାହିଁ। ଏଥିପାଇଁ ସେ ସମୟରେ ସର୍ବାଧିକ ୨ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେହିପରି ଓଡ଼ିଶାରେ କଂଗ୍ରେସ ଦଳରେ କନ୍ଦଳ କିଛି ନୂଆ କଥା ନୁହେଁ। ବରଂ ଗୋପବନ୍ଧୁଙ୍କ ସମୟରୁ ଏହା ଚାଲି ଆସିଛି। ଉପକୂଳ ଅଞ୍ଚଳରେ କଂଗ୍ରେସ ଦଳର ଏହା ଏକ ବେମାରି କହିଲେ ଅତ୍ୟୁକ୍ତି ହେବନାହିଁ।
କଂଗ୍ରେସର ଅଧୋପତନ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥିପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଦାୟୀ ନୁହେଁ। ପ୍ରଥମଥର ଲାଗି ଦୁଇ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦବି ସୃଷ୍ଟି ହେବା ଦ୍ବାରା କ୍ଷମତାର ବିକେନ୍ଦ୍ରୀକରଣ ଆରମ୍ଭ ହୋଇଥିଲା। ଏହାସହ ଦୁର୍ନୀତି ବଢ଼ିବା, ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ମହାବାତ୍ୟା ଭଳି ଏକାଧିକ କାରଣ ପାଇଁ କଂଗ୍ରେସ ଓଡ଼ିଶାରେ କ୍ଷମତାରୁ ବଞ୍ଚିତ ହୋଇଛି। ୨୦୦୦ ମସିହାରେ ଶାସନକୁ ଆସିଥିବା ବିଜେଡି ୨୦୦୪ ମସିହା ପର୍ଯ୍ୟନ୍ତ ବେଶ୍ ଭଲ ସରକାର ଚଳାଇଥିଲା। ଏହି ସମୟରେ ଏତେଟା ଦୁର୍ନୀତି ନ ଥିଲା ଓ ଶାସନ ଠିକ୍ରେ ଚାଲିଥିଲା। ପରବର୍ତ୍ତୀ ସମୟରେ କ୍ଷମତାରେ ରହିବା ପାଇଁ ବିଜେଡି ସବୁକିଛି କରିବାକୁ ପଛାଇନାହିଁ।
ଓଡ଼ିଶାରେ କଂଗ୍ରେସ ଓ ବିଜେଡିର ମେଣ୍ଟ ସଂପର୍କରେ ସେ କହିଛନ୍ତି ଯେ ଦେଶରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଅନେକ ଦଳ ଏକାଠି ହୋଇଛନ୍ତି। ତେଣୁ ଓଡ଼ିଶାରେ ମେଣ୍ଟର ଏତେଟା ଗୁରୁତ୍ବ ରଖୁନାହିଁ। ଏହାଛଡ଼ା ବର୍ତ୍ତମାନର ପିସିସି ସଭାପତି ଏଥିପାଇଁ ବିଜେଡିକୁ ଆହ୍ବାନ କରିଥିଲେ। ହେଲେ ବିଜେଡି ପକ୍ଷରୁ କିଛି ପ୍ରତ୍ୟୁତ୍ତର ଆସିଲା ନାହିଁ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକର ସମୀକ୍ଷା କରି କହିଥିଲେ ଯେ ଅନେକ ବ୍ୟକ୍ତି ନିଜର ଆତ୍ମଜୀବନୀ ଲେଖିଛନ୍ତି। ହେଲେ ଜଣେ ରାଜନେତାଙ୍କ ଆତ୍ମଜୀବନୀ ଅନ୍ୟମାନଙ୍କଠାରୁ ଭିନ୍ନ। କାରଣ ସାଧାରଣ ଲୋକଙ୍କ ପାଇଁ ଏହା ଅଧିକ ପ୍ରାସଙ୍ଗିକ। ନିରଞ୍ଜନ ବାବୁଙ୍କ ୩୩୬ ପୃଷ୍ଠା ବିଶିଷ୍ଟ ଏହି ଆତ୍ମଜୀବନୀ ୫ଟି ଭାଗରେ ବିଭକ୍ତ। ଜୀବନର ଅଙ୍କାବଙ୍କା ରାସ୍ତା, ସଂଘର୍ଷ, ଶାସନ, ସଫଳତାର କାହାଣୀ, ସଂପ୍ରତିକ ଅନୁଚିନ୍ତା ଓ ଶେଷ କଥା ସ୍ଥାନ ପାଇଛି। ବିଶେଷକରି ନିଜ ପତ୍ନୀ ଓ ଭାଇ ସୌମ୍ୟରଂଜନଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ନିଜ ପରିବାର, ରାଜନୀତି ଓ ଆଧ୍ୟାତ୍ମିକତା ପୁସ୍ତକରେ ପ୍ରତିଫଳିତ ହୋଇଛି। ଏ ଦୃଷ୍ଟିରୁ ଏହା ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ପୂଜା ଉତ୍ସବ। କଂଗ୍ରେସ ଶାସନ ସମୟରେ ଘଟିଥିବା ଅନେକ ବିବାଦୀୟ ଘଟଣାକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି। ଏସବୁ ପାଇଁ ନିରଞ୍ଜନ ବାବୁଙ୍କ ଜୀବନ ଏକ ଅନନ୍ୟ ଜୀବନ କାହାଣୀ।
ଏହି ଅବସରରେ ବ୍ରଜବନ୍ଧୁ-ନିତ୍ୟାନନ୍ଦ-ପଦ୍ମନାଭ ଚାରିଟେବୁଲ ଟ୍ରଷ୍ଟର ଶୁଭାରମ୍ଭ ହୋଇଥିଲା। ଏହି ଟ୍ରଷ୍ଟ ଗରିବ ଛାତ୍ରଛାତ୍ରୀ, ସାହିତ୍ୟ, କୃଷି, କ୍ରୀଡ଼ା ଓ ଅନ୍ୟ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସହଯୋଗ କରିବ। ଶ୍ରୀ ପଟ୍ଟନାୟକଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି, ପଦ୍ମଶ୍ରୀ ଦୈତାରୀ ନାୟକ, ଦାନ ମାଝୀ, ବାସନ୍ତୀ ମାଝୀ, ଶାନ୍ତିଲତା ରାଉଳ, ପ୍ରଫେସର ଦୁର୍ଯ୍ୟୋଧନ ନାହାକ, କେଶ ପ୍ରତିରୋପଣକାରୀ ଡାକ୍ତର ପ୍ରଦୀପ ସେଠୀ, ଅଫତାବ୍ ହୋସେନ୍ ଓ ମନ୍ମଥ ମହାରଣା। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପୁସ୍ତକ ଲୋକାର୍ପଣ ସଭାରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ପୁସ୍ତକଟିକୁ ପ୍ରକାଶ କରାଯାଇଛି।

2 weeks ago
6


