Neglect: ୧୨ ଜଣିଆ ପରିବାରକୁ ୧୦ କି‌ଲୋ ଚାଉଳ

1 hour ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲାନଗଡ଼ାର ବଡ଼ ଜୁଆଙ୍ଗ ଜନଜାତି ପରିବାର ପାଖେ ବାଟ ହୁଡ଼ିଛି ଖାଦ୍ୟ ସୁରକ୍ଷା ଯୋଜନା। ତଳ ନଗଡ଼ାର ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୧୨ ଜଣିଆ ପରିବାରକୁ ମାସିକ ମାତ୍ର ୧୦ କିଲୋ ଚାଉଳ ମିଳୁଥିବା ଏହି ଦମ୍ପତି ଅଭିଯୋଗ କରନ୍ତି। ଏହି ଦମ୍ପତିଙ୍କ ୮ ସନ୍ତାନ। ବଡ଼ପୁଅ ନାବାଳକ ବୁଟୁ ପ୍ରଧାନ ବିବାହିତ ଓ ତାଙ୍କର ଜଣେ ଝିଅ ଅଛନ୍ତି। ଏହିପରି ଏହି ୧୨ ଜଣିଆ ବଡ଼ ପରିବାରରେ ଖାଦ୍ୟବସ୍ତ୍ର ଭଳି ମୌଳିକ ସମସ୍ୟା ଏବେ ଉତ୍କଟ ହୋଇଛି।

ଅଭାବ ଅନଟନ ପାଇଁ ବଡ଼ପୁଅ ଭଳି ଦ୍ବିତୀୟ ପୁଅ ଖାଉଡ଼ିଆ ନବମ ଶ୍ରେଣୀ ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଝିଅ ‌ଗୋଲାପ(୧୩), ପୁଅ ଉଦି(୧୧), ରଥିଆ(୯) ଓ ସାନଝିଅ ରଶ୍ମିତା(୭) ଗାଁ ସ୍କୁଲରେ ପଢ଼ୁଛନ୍ତି। ୨ ସାନପୁଅ ମହେଶ୍ବର(୩) ଓ ଦେବେନ୍ଦ୍ର(୧୮ ମାସ) ମାଆ କୋଳ ଛାଡ଼ି ନାହାନ୍ତି। ବୋହୂ ମାମୁନି ଓ ନାତୁଣୀ ପ୍ରୀତି(୨ମାସ)କୁ ନେଇ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ସଂଖ୍ୟା ୧୨। ସପ୍ତମ ସନ୍ତାନ ଝିଅ ଅନୁସୟା(୨)ଙ୍କର ୨ ବର୍ଷ ତଳେ ମୃତ୍ୟୁ ହୋଇଥିଲା।

ଘରର ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ହୋଇଥିବା ଅନୁସୟା ଜନ୍ମରୁ ସାଂଘାତିକ କୁପୋଷଣର ଶିକାର ହୋଇ ନଗଡ଼ାର ୨୦୨୩-୨୪ ମସିହାରେ ନଗଡ଼ାର ଦୁର୍ବଳତମ ଶିଶୁ ଭାବେ ଚିହ୍ନଟ ହୋଇଥିଲେ। ସେହିପରି ନଗଡ଼ା ଶିଶୁମଡ଼କ ଘଟଣାବଳୀ ସମୟରେ ଉଦି ନଗଡ଼ାର ଦ୍ବିତୀୟ ଦୁର୍ବଳତମ ଶିଶୁ ଥିଲେ। ରଥିଆ ଓ ରଶ୍ମିତା ମଧ୍ୟ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଅପପୁଷ୍ଟି ତାଲିକାଭୁକ୍ତ ରହିଥିଲେ। ୧୦ ବର୍ଷ ଧରି ଗାଁକୁ ଆସୁଥିବା ଜନ ପ୍ରତିନିଧି, ରାଜନେତା ଓ ସରକାରୀ ବାବୁଙ୍କୁ ପାରିବାରିକ ଭୋକ, ଦୁଃଖ ଓ ଅଭାବ ସଂପର୍କରେ ଜଣାଇ ଆସୁଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁନାହାନ୍ତି ବୋଲି ଦର୍ଶାଇ ମଙ୍ଗୁଳୁ କ୍ଷୋଭ ପ୍ରକାଶ କରନ୍ତି।

Ambulance: ଉପାନ୍ତ ନଗଡ଼ା ଅଞ୍ଚଳରୁ ପ୍ରତ୍ୟାହାର କରିନେଲେ ଆମ୍ବୁଲାନ୍ସ: ଅଜଣା ଜ୍ବରରେ ଆଖି ବୁଜିଲେ ଛାତ୍ରୀ

ତଳ ନଗଡ଼ାର ଗୁଲୁରି ଓ ମଧୁ ପ୍ରଧାନଙ୍କ ଏକମାତ୍ର ଝିଅ ଗାଲେଙ୍କୁ ବିବାହ କରିବା ପରେ ମଙ୍ଗୁଳୁ ସପରିବାର ନଗଡ଼ାରେ ରହି ଆସୁଛନ୍ତି। ଭୂମିହୀନ ଜନଜାତି ହେଲେ ବି ମଙ୍ଗୁଳୁ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଓ ବସୁନ୍ଧରା ଯୋଜନାରୁ ବାଦ୍ ପଡ଼ିଛନ୍ତି। ସ୍ଥାୟୀ ଜମିପଟ୍ଟା ନଥିବାରୁ ତାଙ୍କ କ୍ଷେତ୍ରରେ ଖଣି ପ୍ରଭାବିତ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ମୋ’କୁଡ଼ିଆ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ନିରର୍ଥକ ସାବ୍ୟସ୍ତ ହୋଇଥିବା ଅଭିଯୋଗ ହୁଏ। ପୂର୍ବରୁ ମିଶନ ଶକ୍ତି ଯୋଜନା କିମ୍ବା ସୁଭଦ୍ରା ସଂପର୍କରେ ସେ ଜାଣିନଥିବା ଗାଲେ କହନ୍ତି। ସେହିପରି ଜବ୍‌କାର୍ଡ ଥିଲେ ବି ମନରେଗା ଯୋଜନାରେ ଗାଁରେ କାମ ମିଳୁନଥିବା କୁହାଯାଇଛି। ଅଭାବ ଅନଟନ ପାଇଁ ପରିବାରରେ ସର୍ବଦା ଦୁଃଖ ଓ ଅଶାନ୍ତି ଲାଗି ରହିଥିବା ଜଣାପଡ଼ିଛି। ପୁଅଝିଅମାନଙ୍କୁ ମନଲାଖି ଖାଦ୍ୟ, ଖେଳଣା ଓ ନୂଆ ପୋଷାକ ପିନ୍ଧାଇବାକୁ ସାମର୍ଥ୍ୟ ନଥିବା ଦର୍ଶାଇ ମଙ୍ଗଳୁ ନିଜକୁ ଧିକ୍କାର କରନ୍ତି। ଯେତେ ଖଟିଲେ ବି ପେଟ ଅପୋଷା ରହୁଛି, ‌କୌଣସି ଗୋଟିଏ ବେଳା ପେଟପୂରା ଖାଇବା ଆମ ଭାଗ୍ୟରେ ଜୁଟିନି କହି ଏହି ଦମ୍ପତି କାନ୍ଦି ପକାଇଥିଲେ।

ଏ ସଂପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟଙ୍କୁ ଯୋଗାଯୋଗ କରିବାରେ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.