ARTICLE AD BOX
ନୂଆଦିଲ୍ଲୀ: ସାମ୍ବାଦିକମାନେ ସବୁବେଳେ ଆମକୁ ଚକିତ କରିଦିଅନ୍ତି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ଖବର ଦଳର ଅଳ୍ପ କେତେଜଣ ବରିଷ୍ଠ ନେତାଙ୍କୁ ଜଣାଥିବା ବେଳେ ସାମ୍ବାଦିକମାନେ ଆଗୁଆ ଏହା ଜାଣିପାରିଥିଲେ। ଗୁରୁବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ପୁରୁଣା ସ୍ମୃତି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଥିଲେ, ସେତେବେଳେ ଦଳର ମାତ୍ର ଦୁଇରୁ ଚାରିଜଣ ବରିଷ୍ଠ ନେତା ତାଙ୍କ ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ଜାଣିଥିଲେ।
ମୋଦୀଙ୍କୁ ମିଠା ଖୁଆଇବାକୁ ଦାବି
ସେ ଅଧିକାଂଶ ସମୟ ଦିଲ୍ଲୀର ୧୧ ଅଶୋକ ରୋଡ୍ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିତାଉଥିଲେ। ଦିନେ ଦଳେ ସାମ୍ବାଦିକ ହଠାତ୍ ତାଙ୍କ କୋଠରିକୁ ପଶିଆସିଥିଲେ। ସେମାନଙ୍କ ମଧ୍ୟରେ ଏକ ମହିଳା ସାମ୍ବାଦିକ ଗୋଷ୍ଠୀ ଥିଲେ, ଯେଉଁମାନଙ୍କର ବେଶ୍ ପ୍ରଭାବ ଥିଲା। ସେମାନେ ମୋଦୀଙ୍କୁ ମିଠା ଖୁଆଇବାକୁ ଦାବି କରିଥିଲେ। କାହିଁକି ମିଠା ଖୁଆଇବେ ବୋଲି ସେ ପଚାରିବାରୁ ସାମ୍ବାଦିକମାନେ କହିଥିଲେ, ଆପଣ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦୀ ଏ ସମ୍ପର୍କରେ ନିଜେ କିଛି ଜାଣିନଥିବା କହିଥିଲେ ମଧ୍ୟ ସାମ୍ବାଦିକମାନେ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ। ଶେଷରେ ସେମାନଙ୍କ ସୂଚନା ସତ୍ୟ ପ୍ରମାଣିତ ହୋଇଥିଲା।
୨୫ ବର୍ଷ ପୂରଣ
୨୦୦୧ ଅକ୍ଟୋବର ୭ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଅନେକ ସାମ୍ବାଦିକ ବନ୍ଧୁ ନିଜ ଖର୍ଚ୍ଚରେ ଓ ନିଜ ବ୍ୟବସ୍ଥାରେ ସେଠାରେ ପହଞ୍ଚିଥିଲେ। ସେମାନେ ଖବର ସଂଗ୍ରହ ପାଇଁ ନୁହେଁ, ବରଂ ବନ୍ଧୁତା ଓ ଆତ୍ମୀୟତା ଯୋଗୁଁ ଆସିଥିଲେ ବୋଲି ମୋଦୀ କହିଥିଲେ। ଗତ ମାସରେ ସରକାରର ମୁଖ୍ୟ ଭାବେ ତାଙ୍କର ୨୫ ବର୍ଷ ପୂରଣ ହୋଇଥିବା କଥା ମଧ୍ୟ ସେ ମନେ ପକାଇଥିଲେ। ସାମ୍ବାଦିକତାର ପରିବର୍ତ୍ତନ ସମ୍ପର୍କରେ ମୋଦୀ କହିଥିଲେ, ପ୍ରେସ୍ ବିଜ୍ଞପ୍ତିରୁ ଆରମ୍ଭ କରି ଇନ୍ଷ୍ଟାଗ୍ରାମ୍ ରିଲ୍ ପର୍ଯ୍ୟନ୍ତ ଗଣମାଧ୍ୟମର ଦୀର୍ଘ ପରିବର୍ତ୍ତନକୁ ସେ ନିଜେ ଦେଖିଛନ୍ତି।
Badrinath Dham Closing Date 2026: ଶୀତ ଋତୁ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ମନ୍ଦିରର କବାଟ
୧୯୯୦ ଦଶକରେ ଦୁଇଟି ବଡ଼ ଯାତ୍ରା ପାଇଁ ତାଙ୍କୁ ଦେଶବ୍ୟାପୀ ଗଣମାଧ୍ୟମ ସମ୍ପର୍କିତ ଦାୟିତ୍ୱ ଦିଆଯାଇଥିଲା। ସେତେବେଳେ ଏକ ପ୍ରେସ୍ ବିଜ୍ଞପ୍ତି ପଠାଇବାକୁ ଫ୍ୟାକ୍ସ ମେସିନ୍ ଖୋଜିବାକୁ ପଡୁଥିଲା। ଆଜି ମୋବାଇଲ୍ ଫୋନ୍ ହିଁ ସବୁ କାମ କରୁଛି ଏବଂ ପ୍ରତ୍ୟେକଙ୍କର ନିଜସ୍ୱ ଡିଜିଟାଲ୍ ମଞ୍ଚ ରହିଛି। ଦୁର୍ଘଟଣା, ଭୂମିକମ୍ପ କିମ୍ବା ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଲୋକେ ଘଟଣାସ୍ଥଳ ଛାଡ଼ୁଥିବା ବେଳେ ସାମ୍ବାଦିକମାନେ ଜୀବନକୁ ବିପନ୍ନ କରି ସେଠାରେ ପହଞ୍ଚନ୍ତି। ଏହି ସାହସ ଓ ନିଷ୍ଠା ପ୍ରଶଂସନୀୟ ବୋଲି ସେ କହିଥିଲେ। ବିଭିନ୍ନ ମତ ଓ ଦୃଷ୍ଟିକୋଣ ଭାରତୀୟ ଗଣତନ୍ତ୍ରକୁ ସଜୀବ ରଖିଥାଏ ଏବଂ ଏଥିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୋଦୀ ମତ ଦେଇଥିଲେ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବାର ଲକ୍ଷ୍ୟ ପୂରଣରେ ଗଣମାଧ୍ୟମର ସହଯୋଗ ମଧ୍ୟ ସେ କାମନା କରିଥିଲେ।

4 days ago
3


