ARTICLE AD BOX
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଂଗୀନ ହୋଇପଡ଼ିଥିବାବେଳେ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ଅନ୍ଧେରୀ ଓ କୁର୍ଲାକୁ ସଂଯୋଗ କରୁଥିବା ଖୈରାନୀ ରୋଡରେ ମୋବାଇଲରେ କଥା ହୋଇ ଯାଉଥିବା ସମୟରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଖୋଲା ଥିବା ଏକ ମ୍ୟାନହୋଲରେ ଭାସିଯାଇ ପ୍ରାଣ ହରାଇଛନ୍ତି। ମୃତକଙ୍କୁ ଅସଲମ ଇସାଫ୍ ଶେଖ୍ ଭାବେ ଚିହ୍ନଟ କରାଯାଇଛି। ଘଟଣା ସ୍ଥଳରୁ ତାଙ୍କର ଛତା ଓ ଚପଲ ମିଳିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ପ୍ରାୟ ଦୁଇ ଘଣ୍ଟାର ସର୍ଚ୍ଚ ଅପରେସନ କରାଯାଇ ରାଜାୱାଡି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଘରୋଇ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଚାଲିଥିବା ମରାମତି କାର୍ଯ୍ୟ ଯୋଗୁଁ ମ୍ୟାନହୋଲ୍ ଢାଙ୍କୁଣୀ ଖୋଲା ରଖାଯାଇଥିବାରୁ, ମୁମ୍ବାଇ ମହାନଗର ନିଗମ (ବିଏମସି) ର ଡେପୁଟି ମେୟର ସଞ୍ଜୟ ଘାଡି ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୋଧରେ "ନରହତ୍ୟା" ମାମଲା ରୁଜୁ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଦୁଇ ଦିନ ପୂର୍ବେ ଚେମ୍ବୁର ଅଞ୍ଚଳରେ ଏକ ଚଳନ୍ତା ସ୍କୁଲ ବସ୍ ଉପରେ ଗଛ ଭୁଶୁଡ଼ି ଜଣେ ୧୧ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଆଜିର ଏହି ଘଟଣା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି।
କ୍ୟାମେରାରେ ଧରାପଡ଼ିଲା ୟୁରେସିଆନ୍ ଲିଙ୍କ୍ସ
ବର୍ତ୍ତମାନ ମୁମ୍ବାଇର ପ୍ରମୁଖ ସ୍ଥାନ ଯେପରିକି ଦାଦର, ପରେଲ, ହିନ୍ଦମାତା, ୱର୍କଲି ଓ ଅନ୍ଧେରୀ ସମ୍ପୂର୍ଣ୍ଣ ରୂପେ ଜଳବନ୍ଦୀ ହୋଇପଡ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସହରର ଅନେକ ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି, ଯେଉଁଥିରେ ସାନ୍ତାକ୍ରୁଜ୍ ଓ ଭାଣ୍ଡୁପରେ ସର୍ବାଧିକ ୨୩୮.୮ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଲାଇଫଲାଇନ୍ କୁହାଯାଉଥିବା ଲୋକାଲ୍ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି ଏବଂ ଟ୍ରେନ୍ ଗୁଡ଼ିକ ୧୦ ରୁ ୧୫ ମିନିଟ୍ ବିଳମ୍ବରେ ଚାଲୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି, ଯଦିଓ ରେଳ ବିଭାଗ ସ୍ଥିତି ସ୍ୱାଭାବିକ ଥିବା ଦାବି କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ କିଛି ଘଣ୍ଟା ପାଇଁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦-୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି। ଧାର୍ଯ୍ୟ ସମୟର ୧୩ ଦିନ ବିଳମ୍ବରେ ଜୁନ୍ ୨୩ ରେ ମୁମ୍ବାଇ ଛୁଇଁଥିବା ମୌସୁମୀ ବର୍ତ୍ତମାନ ସହରବାସୀଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।

2 hours ago
1


