ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ସମ୍ଭ୍ରାନ୍ତ ସିଭିଲଟାଉନ୍ସିପ୍ ହେଉ କି ଛେଣ୍ଡ୍, ବାସନ୍ତୀକଲୋନି, ରାଉରକେଲା ସହରର ବିଭିନ୍ନ ଜନବସତି ଅଞ୍ଚଳର ଘର ଛାତ ଉପରେ ବେଆଇନ ଭାବେ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି। ଆବାସିକ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପନ୍ନ ମୋବାଇଲ୍ ଟାୱାର ବସାଇବା ପାଇଁ କଡ଼ା କଟକଣା ରହିଛି। କିନ୍ତୁ ଘର ମାଲିକ ଅଧିକ ପଇସା ଲୋଭରେ ପ୍ରଶାସନର ବିନା ଅନୁମତିରେ ନିଜ ଘର ଛାତକୁ ମୋବାଇଲ୍ କମ୍ପାନିଗୁଡ଼ିକୁ ଭଡ଼ାରେ ଦେଇଛନ୍ତି। ସହରର ପ୍ରାୟ ସବୁ ଅଞ୍ଚଳରେ ଏଭଳି ଦୃଶ୍ୟ ପରିଲକ୍ଷିତ ହୁଏ। ଏହି ଭାରୀ ଟାୱାରଗୁଡ଼ିକ ପୁରୁଣା ବିଲଡିଂର ଛାତ ଉପରେ ବସାଯାଉଥିବାରୁ ବର୍ଷା ଓ ବାତ୍ୟା ସମୟରେ ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ରହିଛି। ଅଞ୍ଚଳବାସୀ ଏ ନେଇ ବାରମ୍ବାର ରାଉରକେଲା ମହାନଗର ନିଗମ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୁଏ।
ସୁନ୍ଦରଗଡ଼ ଜିଲ୍ଲାରେ ରିଲାଏନ୍ସ ଜିଓ, ଭାରତୀ ଏୟାର୍ଟେଲ, ବିଏସ୍ଏନ୍ଏଲ୍ ଓ ଭୋଡ଼ାଫୋନ ଆଇଡିଆ ଲିମିଟେଡ୍ ପକ୍ଷରୁ ମୋବାଇଲ ସେବା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂସ୍ଥାଗୁଡ଼ିକ ମୋଟ୍ ୧୭୧୬ଟି ମୋବାଇଲ ଟାୱାର ରହିଛି। ତେବେ ଏଥିମଧ୍ୟରୁ ୪୫୬ଟି ବିଏସ୍ଏନ୍ଏଲ୍ ଟାୱାର ରହିଛି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଜିଲ୍ଲାରେ ମୋଟ୍ ୭୫୩୮ ଟି ମୋବାଇଲ ଟାୱାର ରହିଛି। ଏହା ହେଉଛି ରାଜ୍ୟର ମୋଟ୍ ମୋବାଇଲ ଟାୱାର ତୁଳନାରେ ୨୩.୬୩%।
ଜିଲ୍ଲାରେ ଥିବା ମୋଟ୍ ଟାୱାର ମଧ୍ୟରୁ ୧୪୫୨ଟି (୧୯.୨୬%) ହେଉଛି ବିଏସ୍ଏନ୍ଏଲ ଟାୱାର। ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ମୋଟ୍ ୯୫୭ଟି ମୋବାଇଲ ଟାୱାର ଥିବାବେଳେ ବରଗଡ଼ ଜିଲ୍ଲାରେ ୯୦୮, ବୌଦ୍ଧରେ ୨୬୨, ଦେବଗଡ଼ରେ ୨୪୦, ଝାରସୁଗୁଡ଼ାରେ ୫୭୪, କଳାହାଣ୍ଡିରେ ୧୧୭୩, ନୂଆପଡ଼ାରେ ୩୭୬, ସମ୍ବଲପୁରରେ ୧୦୧୮ ଓ ସୋନପୁର ଜିଲ୍ଲାରେ ୩୧୫ଟି ମୋବାଇଲ ଟାୱାର ରହିଛି। ତେବେ ସରକାରୀ ସଂସ୍ଥା ବିଏସ୍ଏନ୍ଏଲ ପକ୍ଷରୁ ଯେଉଁ ଅନୁପାତରେ ଟାୱାର ସ୍ଥାପନ କରାଯିବା କଥା, ତାହା ଦେଖିବାକୁ ମିଳୁନି।
ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୪୫୬ଟି ବିଏସ୍ଏନ୍ଏଲ୍ ଟାୱାର ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୧୩୨, ବରଗଡ଼ରେ ୧୧୧, ବୌଦ୍ଧରେ ୮୫, ଦେବଗଡ଼ରେ ୯୬, ଝାରସୁଗୁଡ଼ାରେ ୮୧, କଳାହାଣ୍ଡିରେ ୧୮୬, ନୂଆପଡ଼ାରେ ୬୨, ସମ୍ବଲପୁରରେ ୨୦୩ ଓ ସୋନପୁରରେ ୪୦ଟି ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ରହିଛି। ଅବଶ୍ୟ, ଏବେ ମୋବାଇଲ ସଂଯୋଗୀକରଣରୁ ବଞ୍ଚିତ ଉପାନ୍ତ ଅଞ୍ଚଳରେ ବିଏସ୍ଏନ୍ଏଲ୍ ଟାୱାର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିଜିଟାଲ୍ ଭାରତ ନିଧି ଯୋଜନା ଅଧୀନରେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ଗ୍ରାମାଞ୍ଚଳରେ ଉଚ୍ଚକ୍ଷମତା ସମ୍ପନ୍ନ ୪ଜି ଓ ୫ଜି ସେବା ଯୋଗାଇବା ପାଇଁ ଏହି ନୂତନ ଟାୱାରଗୁଡ଼ିକ ସ୍ଥାପନ କରାଯାଉଛି।

1 hour ago
1


