ARTICLE AD BOX
ବେଙ୍ଗାଲୁରୁ: କାବେରୀ ନଦୀରେ ପ୍ରସ୍ତାବିତ ମେକେଦାତୁ ନଦୀବନ୍ଧ ପ୍ରକଳ୍ପ ନେଇ କଂଗ୍ରେସ ଦଳ ଭିତରେ ମତଭେଦ ତୀବ୍ରରୂପ ନେଇଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାବେଳେ ଏବଂ ତାମିଲନାଡୁରେ ଦଳ ବିଜୟଙ୍କ ନେତୃତ୍ୱାଧୀନ ସରକାରର ଅଂଶବିଶେଷ ଥିବାବେଳେ ଏହି ପ୍ରକଳ୍ପକୁ ନେଇ ଦଳ ଭିତରେ ଟଣାଓଟରା ଆରମ୍ଭ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଦେଇଥିବା ମନ୍ତବ୍ୟ ତାମିଲନାଡୁର ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏବଂ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ତାମିଲନାଡୁ କଂଗ୍ରେସ କମିଟି ସଭାପତି ମାଣିକମ ଟାଗୋର ଶନିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମେକେଦାତୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସାମ୍ବିଧାନିକ ମଞ୍ଜୁରୀ ତ୍ୱରାନ୍ୱିତ କରିବାକୁ ଶିବକୁମାର ଅନୁରୋଧ କରିବା ପରେ ଏହି ବିବାଦ ସାମ୍ନାକୁ ଆସିଛି।
ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ‘ମେକେଦାତୁଠାରେ ନଦୀବନ୍ଧ ନିର୍ମାଣକୁ କେହି ରୋକିପାରିବେ ନାହିଁ’ ବୋଲି ଶିବକୁମାର ଦେଇଥିବା ବୟାନକୁ ଟାଗୋର ଏକ୍ସରେ କଡ଼ା ନିନ୍ଦା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଏବଂ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ଆଦେଶକୁ ଉଲ୍ଲଂଘନ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହା ସଂଘୀୟ ବ୍ୟବସ୍ଥାର ନୀତି ବିରୋଧୀ ଏବଂ ଏହି ମନ୍ତବ୍ୟ ତାମିଲନାଡୁର ଚାଷୀଙ୍କ ଜୀବିକାକୁ ଧ୍ୱଂସ କରିଦେବ ବୋଲି ସେ କହିଛନ୍ତି। ତାମିଲନାଡୁର ସମ୍ମତି ବିନା କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ କୌଣସି ଅନୁମତି ଦେବା ଉଚିତ ନୁହେଁ ଏବଂ ମେକେଦାତୁରେ ଗୋଟିଏ ବି ଇଟା ପକାଇବାକୁ ନଦେବା କେନ୍ଦ୍ରର ଦାୟିତ୍ୱ ବୋଲି ସେ କହିଛନ୍ତି। ରାଜ୍ୟର ଅଧିକାର ରକ୍ଷା ପାଇଁ ତାମିଲନାଡୁ କଂଗ୍ରେସ ଯେକୌଣସି ସ୍ତରକୁ ଯାଇ ଲଢ଼େଇ କରିବ ବୋଲି ଟାଗୋର ସିଧାସଳଖ ଶିବକୁମାରଙ୍କୁ ଚେତାବନୀ ଦେଇଛନ୍ତି।
ରାମ ମନ୍ଦିର ଆନ୍ଦୋଳନରେ କଂଗ୍ରେସର ଥିଲା ଭୂମିକା, ରାଜନୈତିକ ଫାଇଦା ନେଲା ବିଜେପି: ସୋନିଆ ଗାନ୍ଧୀ
ଅନ୍ୟପକ୍ଷରେ ଦଳୀୟ ସହକର୍ମୀଙ୍କ ଏଭଳି ବିରୋଧକୁ ଖଣ୍ଡନ କରି ଡି.କେ ଶିବକୁମାର ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ନଦୀବନ୍ଧ ନିର୍ମାଣକୁ କେହି ଅଟକାଇ ପାରିବେ ନାହିଁ। ନିଜ ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ଟାଗୋରଙ୍କ କର୍ତ୍ତବ୍ୟ ହୋଇଥିଲେ ହେଁ ତାଙ୍କୁ ପ୍ରକଳ୍ପର ପ୍ରକୃତ ତଥ୍ୟ ଜଣା ନାହିଁ ବୋଲି ଶିବକୁମାର କହିଛନ୍ତି। ତାଙ୍କର ଏହି ଦୃଢ଼ୋକ୍ତି ପରେ ତାମିଲନାଡୁର ବିରୋଧୀ ଦଳ ଡିଏମ୍କେ ମଧ୍ୟ ବିଜୟ ସରକାରଙ୍କୁ ଘେରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନୀରବ ରହିବା ପରିବର୍ତ୍ତେ ତାମିଲନାଡୁ ପାଇଁ ଜୀବନମରଣ ସମସ୍ୟା ପାଲଟିଥିବା କାବେରୀ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଏହି ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ କରିବାକୁ ଡିଏମ୍କେ ଦାବି କରିଛି।

2 days ago
4


