Lord Jagannath: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରମ୍ପରାର ସୁରକ୍ଷା ଆମର ପ୍ରାଥମିକତା: ଡ. ଅରବିନ୍ଦ ପାଢ଼ୀ

6 days ago 4
ARTICLE AD BOX

ଓଡ଼ିଶାର ପ୍ରଶାସନିକ ସ୍ତରରେ ଡ. ଅରବିନ୍ଦ ପାଢ଼ୀ ବେଶ୍‌ ପରିଚିତ। ୧୯୯୬ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ସୁଚାରୁରୂପେ ଦାୟିତ୍ବ ସଂପାଦନ କରିଛନ୍ତି। ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର ଛାତ୍ର ଡ. ପ‌ାଢ଼ୀ ନୂଆଦିଲ୍ଲୀର ଆଇଏଆରଆଇରୁ ପିଏଚ୍‌ଡି ଏବଂ ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍‌ରେ ମାଷ୍ଟର୍ସ ଡିଗ୍ରି ହାସଲ କରିଛନ୍ତି। କେବଳ ସେତିକି ନୁହେଁ, ବୃତ୍ତିଗତ ଉତ୍କର୍ଷ ଲାଗି ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଏ ମଧ୍ୟରୁ ରେଡ୍‌କ୍ରସ୍‌ ପକ୍ଷରୁ ପ୍ରଦତ୍ତ ଜାତୀୟ ମାନବିକ ସେବା ପୁରସ୍କାର ଓ କୃଷି ‌ପରିସରରେ ଅନନ୍ୟ ନେତୃତ୍ବ ଲାଗି ଜାତୀୟ ପୁରସ୍କାର ଅନ୍ୟତମ। ସଂପ୍ରତି ସେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟସଚିବ ହେବା ସହ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହାପୂର୍ବରୁ ସେ ୨୦୧୨-୨୦୧୪ରେ ମଧ୍ୟ ଏହି ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରଥ ଉପରକୁ ଭକ୍ତ ଚଢ଼ିବା ଏବଂ ବିଗ୍ରହ ଛୁଇଁବା ଉପରେ କଟକଣା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଥିଲା। ୨୦୨୪ରେ ପୁନର୍ବାର ଦାୟିତ୍ୱ ନେବା ପରେ ସେ ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ମଣତିଗଣତି ଭଳି ସମ୍ବେଦନଶୀଳ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରୁଛନ୍ତି। ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସହ ସଂପୃକ୍ତ ବିବିଧ ପ୍ରସଙ୍ଗ ଉପରେ ଡ. ପାଢ଼ୀଙ୍କ ସହ ଆଲୋଚନା କରିଛନ୍ତି ‘ସମ୍ବାଦ’ର ଫିଚର୍‌ ସଂପାଦକ  ଧୃତିକାମ ମହାନ୍ତି

World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ

ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା ହାସଲ ଲାଗି ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏ ଦିଗରେ ଆପଣ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କୁମ୍ଭମେଳା, କୋଲ୍‌କାତାର ଦୁର୍ଗାପୂଜା ଆଦି ପର୍ବକୁ ଏହି ମାନ୍ୟତା ମିଳିସାରିଛି। ତେଣୁ ରଥଯାତ୍ରାକୁ ଏହି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ। ଏ ପ୍ରସଙ୍ଗରେ ଆମର ଦାବି କେତେ ଦୃଢ଼ ଓ ଯୌକ୍ତିକ?
ଭକ୍ତ ଓ ଭଗବାନଙ୍କ ମିଳନର ମହାନ ପର୍ବ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ମାନବ ସଭ୍ୟତାର ଏକ ଜୀବନ୍ତ ଆଧ୍ୟାତ୍ମିକ ଗାଥା। ଉତ୍କଳୀୟ ଶିଳ୍ପକଳା, କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଶ୍ରୀବିଗ୍ରହଙ୍କ ସୁସଜ୍ଜିତ ତିନି ରଥ। ଏସବୁ ଦିଗକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିବାର ଯଥାର୍ଥତା ଅଛି ବୋଲି ଆମେ ଅନୁଭବ କଲୁ। ସେଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ମୁଖ୍ୟ ପ୍ରଶାସକ ଭାବେ ମୁଁ ଏ ବିଷୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ସରକାରୀ ପତ୍ର ଲେଖିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ମନୋନୀତ କରିବା ସକାଶେ ଲିଖିତ ଅନୁରୋଧ କରିଛନ୍ତି। ଆବେଦନକୁ ଯୁକ୍ତିଯୁକ୍ତ କରିବା ପାଇଁ ଆମେ ରଥଯାତ୍ରାର ଇତିହାସ, ପ୍ରାଚୀନତା, ମହତ୍ତ୍ୱ ସମ୍ବନ୍ଧୀୟ ଆବଶ୍ୟକ ପ୍ରାମାଣିକ ତଥ୍ୟ, ପୁସ୍ତକ ଏବଂ ଫଟୋ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ପଠାଇଛୁ। ୟୁନେସ୍କୋ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ହେବା ନିଶ୍ଚିତ ଭାବେ ପ୍ରତ୍ୟେକ ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଏକ ଗର୍ବ ଓ ଖୁସିର  ବିଷୟ ହେବ।

ବିଦେଶରେ ଅ-ତିଥି ରଥଯାତ୍ରା ପୂର୍ବବତ୍‌ ଜାରି ରହିଛି। ଏହା ଉପରେ ଅଙ୍କୁଶ ଲଗାଇବା ଦିଗରେ ଶ୍ରୀମନ୍ଦିର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ?
ଶ୍ରୀକ୍ଷେତ୍ର ପୁରୀ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ। ତେଣୁ ମୂଳପୀଠର ପରମ୍ପରା ଅନୁଯାୟୀ ଶାସ୍ତ୍ର ଅନୁମୋଦିତ ତିଥିରେ ରଥଯାତ୍ରା ପାଳନ କରିବା ବିଧେୟ। କେତେକ ସଂସ୍ଥା ଦ୍ୱାରା ଦେଶ ଭିତରେ ଏବଂ ବିଦେଶରେ ଅଦିନିଆ ରଥଯାତ୍ରାକୁ ରୋକିବା ଦିଗରେ ଗଜପତି ମହାରାଜାଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ପ୍ରୟାସ କରିଆସିଛି। ନିକଟରେ ରାଜସ୍ଥାନର ସିକର ଓ ଉତ୍ତରପ୍ରଦେଶର ହାପୁର୍ ଜିଲ୍ଲାରେ ଅଦିନିଆ ରଥଯାତ୍ରା ଆୟୋଜନ ସମ୍ପର୍କିତ ସୂଚନା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ସିକର ଜିଲ୍ଲାପାଳଙ୍କୁ ସରକାରୀ ପତ୍ର ଲେଖାଯିବା ସହ ଅଦିନିଆ ରଥଯାତ୍ରା ରୋକିବା ପାଇଁ ଅନୁରୋଧ କରାଯାଇଥିଲା। ଏ ଦିଗରେ ଆମେ ସଫଳତା ମଧ୍ୟ ପାଇଛୁ। ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ସହ ଆଲୋଚନା ପରେ ବିଦେଶରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ ଭାରତ ସରକାରଙ୍କୁ ଅବଗତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯିବ। ଏହାସହ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଦଳ ଉକ୍ତ ପ୍ରସଙ୍ଗରେ ଭାରତବର୍ଷର ଉଚ୍ଚାସୀନ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ପାଇଁ ଯୋଜନା ରହିଛି। ମୁଁ ପୁନର୍ବାର ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ବିନମ୍ର ନିବେଦନ କରିବା ପାଇଁ ଚାହେ ଯେ ସେମାନେ ମୂଳପୀଠର ପରମ୍ପରା ଆଧାରରେ ରଥଯାତ୍ରା ଆୟୋଜନ କରନ୍ତୁ। ତଥାପି ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଶାସ୍ତ୍ରୀୟ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମେ ସବୁ ଦିଗରୁ ସାମ୍ବିଧାନିକ ପ୍ରୟାସ କରିବୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରମ୍ପରାର ସୁରକ୍ଷା ଆମର ପ୍ରାଥମିକତା।

ଯେଭଳି ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହ ଜଡ଼ିତ କତିପୟ ଶବ୍ଦକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରେଡ୍‌ମାର୍କ ଭୁକ୍ତ କରାଯାଇଛି। ସେଭଳି ରଥଯାତ୍ରାର ସଂପୂର୍ଣ୍ଣ ପ୍ରକ୍ରିୟାକୁ ଶ୍ରୀମନ୍ଦିରର ବୌଦ୍ଧିକ ଅଧିକାରଭୁକ୍ତ କିମ୍ବା ପ୍ୟାଟେଣ୍ଟ୍‌ କରିହେବ କି?
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଟ୍ରେଡ୍‌ମାର୍କ ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୨୯ଟି ଟ୍ରେଡ୍‌ମାର୍କ ଆବେଦନ କରାଯାଇଛି। ପୂର୍ବରୁ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରିର୍‌ ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ‘ଆନନ୍ଦବଜାର’, ‘ପତିତପାବନ’ ଓ ‘ନୀଳଚକ୍ର’ ଲୋଗୋ ସାମିଲ ହୋଇଥିଲା। ଆପଣ ଜାଣି ଖୁସି ହେବେ ଯେ ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଆଉ ପାଞ୍ଚୋଟି ଶବ୍ଦ - ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଓ ‘କୋଇଲି ବୈକୁଣ୍ଠ’ ଆସନ୍ତା ଟ୍ରେଡ୍‌ମାର୍କ ଜର୍ଣ୍ଣାଲ୍‌ରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇସାରିଛି। ରଥଯାତ୍ରା ସମ୍ବନ୍ଧୀୟ ନାମ ଏବଂ ପରମ୍ପରାକୁ ଟ୍ରେଡ୍‌ମାର୍କଭୁକ୍ତ କରିବା ପାଇଁ ଆମେ ଆଗକୁ ପଦକ୍ଷେପ ନେବାକୁ ଚିନ୍ତା କରୁଛୁ।

ସୋସିଆଲ୍‌ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିଭ୍ରାନ୍ତିମୂଳକ ତଥ୍ୟ ପରିବେଷଣ କରାଯାଉଛି। ନିକଟରେ ଶ୍ରୀଜଗନ୍ନାଥଙ୍କ କାହାଣୀ ଆଧାରିତ କାର୍ଟୁନ୍ ଛବିକୁ ନେଇ ବିବାଦ ଉପୁଜିଥିଲା। ଏସବୁକୁ ରୋକିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସେନ୍‌ସର୍‌ ବ୍ୟବସ୍ଥାର ଆବଶ୍ୟକ କି? ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀମନ୍ଦିର ଆଇନରେ ପ୍ରାବଧାନ ଅଛି?
ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପ୍ରସାର ସଠିକ୍ ଉପାୟରେ ହେବା ଗୁରୁତ୍ୱପୂର୍ଣ୍ଣ। ସମ୍ପୂର୍ଣ୍ଣ ମନଗଢ଼ା କାଳ୍ପନିକ କାହାଣୀ କିମ୍ବା ପୌରାଣିକ କିମ୍ବା ଶାସ୍ତ୍ରୀୟ ଆଧାର ନଥିବା କାହାଣୀ ପ୍ରସ୍ତୁତ କରିବା ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ହେବ, ଯାହା ଧାର୍ମିକ ଓ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଆଦୌ ଗ୍ରହଣୀୟ ନୁହେଁ। ଅନେକ ସ୍ଥାନରେ କାର୍ଟୁନ୍ ମାଧ୍ୟମରେ ମହାପ୍ରଭୁଙ୍କ ମୂଳ ସ୍ୱରୂପକୁ ଅପଭ୍ରଂଶ କରାଯିବା ପରିଲକ୍ଷିତ ହେଉଅଛି। ଏଭଳି କାର୍ଟୁନ୍ ଛବିକୁ ରୋକିବା ପାଇଁ ପରିଚାଳନା କମିଟିଙ୍କ ସହ ଆଲୋଚନା ପରେ ଆଇନଗତ ପଦକ୍ଷେପ ନିଆଯାଇଛି। ଏହାସହ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି)ଙ୍କ ନିକଟରେ ମଧ୍ୟ ଆବେଦନ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆବଶ୍ୟକ କଣ୍ଟେଣ୍ଟ୍‌, ତଥ୍ୟ, ଉପସ୍ଥାପନା ଶୈଳୀ ଇତ୍ୟାଦି ସମ୍ପର୍କରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି ପକ୍ଷରୁ ବିଚାରବିମର୍ଶ ଚାଲିଛି।

ସେବକ ଓ ସେବାୟତଙ୍କ ଅଭାବ ଯୋଗୁଁ ଅନେକ ସେବା ବୁଡ଼ିଯାଇଛି ଓ ବୁଡ଼ିଯାଉଛି ବୋଲି ଅଭିଯୋଗ ହେଉଛି। ସେସବୁ ସେବା ପୁନର୍ବାହାଲ କରିବା ଲାଗି କ’ଣ କରାଯାଇପାରିବ?
ଶ୍ରୀମନ୍ଦିରର ସେବାନୀତି ଶତାବ୍ଦୀ ପୁରୁଣା ପରମ୍ପରା। କୌଣସି ସେବାର ପୁନର୍ବାହାଲ କିମ୍ବା ସମ୍ପାଦନ ସମ୍ପର୍କିତ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା, ଶାସ୍ତ୍ରୀୟ ବିଧାନ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ଛତିଶା ନିଯୋଗଙ୍କ ପରାମର୍ଶ ଆଧାରରେ ବିଚାର କରାଯିବା ଆବଶ୍ୟକ। ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଧାର ହେଉଛି ପରମ୍ପରା, ସମନ୍ୱୟ ଓ ସାମୂହିକ ଦାୟିତ୍ୱ। ତେଣୁ ଏହି ପ୍ରସଙ୍ଗରେ ପରସ୍ପର ସହଯୋଗ ଭିତ୍ତିରେ ପରମ୍ପରାର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖି ସେବାନୀତିର ସୁଚାରୁ ସମ୍ପାଦନ ସୁନିଶ୍ଚିତ କରିବା ହିଁ ଆମର ମୁଖ୍ୟ ଲକ୍ଷ୍ୟ।

Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ସେବକଙ୍କ ପ୍ରଶିକ୍ଷଣ ନିମନ୍ତେ ଯେଉଁ ସ୍ବତନ୍ତ୍ର ଅନୁଷ୍ଠାନ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହୋଇଥିଲା, ସେ ଦିଗରେ କିଭଳି ଅଗ୍ରଗତି ହୋଇଛି?
ଶ୍ରୀମନ୍ଦିର ସେବକଙ୍କ ତାଲିମ ଓ ସଂସ୍କାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସମୟରେ ଉଦ୍ୟମ କରୁଛନ୍ତି। ସେବକ ପରିବାରର ପିଲାଙ୍କ ପ୍ରଶିକ୍ଷଣ ନିମନ୍ତେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରୟାସ କରାଯାଉଛି। ଏହାସହ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ଓ ମନ୍ଦିରର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସେବକମାନେ ଅବଗତ ହେବା ପାଇଁ ପୂର୍ବରୁ ଅନୁଭବ ଯାତ୍ରା ଆୟୋଜନ କରାଯାଇଥିଲା। ଏହାସହ ଛତିଶା ନିଯୋଗ ସହ ସମନ୍ୱୟ ରକ୍ଷା କରି ସେବାୟତମାନଙ୍କ ପରବର୍ତ୍ତୀ ପିଢ଼ିକୁ ଶ୍ରୀମନ୍ଦିର ନୀତିକାନ୍ତି, ସେବା-ପୂଜାରେ ସାମିଲ କରାଯାଉଛି।

ବିଭିନ୍ନ ସମୟରେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ଆପଣଙ୍କୁ ସରକାର ଦାୟିତ୍ବ ପ୍ରଦାନ କରିଛନ୍ତି ଏବଂ ଆପଣ ଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ କରିଛନ୍ତି। ତେବେ ଶ୍ରୀମନ୍ଦିରର ସୁଷ୍ଠୁ ପରିଚାଳନା ଲାଗି ଏହି ପଦବିରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ବ ଦିଆଯିବା ଆବଶ୍ୟକ କି?
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବା ମୋ ପାଇଁ ପରମ ସୌଭାଗ୍ୟର ବିଷୟ ଏବଂ ଏକ ଗୁରୁଦାୟିତ୍ୱ ବୋଲି ମୁଁ ସଦାସର୍ବଦା ଅନୁଭବ କରେ। ମହାପ୍ରଭୁଙ୍କ କୃପା ବ୍ୟତୀତ ଏହା ଆଉ କିଛି ହୋଇନପାରେ। ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି, ତାକୁ ସୁଚାରୁ ତଥା ଶୃଙ୍ଖଳିତ ଭାବେ ତୁଲାଇବା ପାଇଁ ଚେଷ୍ଟା କରିଆସିଛି। ପ୍ରତିଟି ଦାୟିତ୍ୱ ସମ୍ପାଦନ କରିବା ବେଳେ ଶ୍ରୀଚରଣାରବିନ୍ଦରେ ଶରଣାପନ୍ନ ହୋଇଛି। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନେ ପ୍ରଶାସନିକ ପରିଚାଳନାରେ ବେଶ୍ ଅଭିଜ୍ଞ ଓ ଦକ୍ଷ। ସେମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ପୂର୍ଣ୍ଣକାଳୀନ ଦାୟିତ୍ବ ଦିଆଯିବା ସରକାରଙ୍କ ପ୍ରସଙ୍ଗ, ତେଣୁ ମୁଁ କିଛି କହିବା ଠିକ୍ ହେବନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.