Literature: ଅନୁବାଦ ଗଳ୍ପ ଖୋଲା ଝରକା, ମୂଳ ଇଂରାଜୀର ଲେଖକ ସାକି, ଅନୁସୃଜନ କରିଛନ୍ତି ଶକ୍ତି ସ୍ୱରୂପ ଦାଶ। ପଢ଼ନ୍ତୁ...

2 days ago 3
ARTICLE AD BOX

ଖୋଲା ଝରକା

ଇଂରାଜୀ: ସାକି 
ଅନୁସୃଜନ: ଶକ୍ତି ସ୍ୱରୂପ ଦାଶ

‘‘ଶ୍ରୀଯୁକ୍ତ ନଟେଲ୍, ମୋ ମାଉସୀ କିଛି ସମୟ ଭିତରେ ଆସିଯିବେ। ସେ ପର୍ଯ୍ୟନ୍ତ ଆମେ ବାର୍ତ୍ତାଳାପ କରିପାରିବା” ପନ୍ଦରବର୍ଷର ଝିଅଟି ଆତ୍ମବିଶ୍ୱାସର ସହ କହିଲା।
ଫ୍ରାମ୍‌ଟନ୍ ନଟେଲ୍ ଭାବୁଥିଲେ, ଏମିତି ଅଜଣା ଲୋକଙ୍କ ଘରକୁ ଯାଇ ଔପଚାରିକ ସାକ୍ଷାତ୍ କରିବା ଦ୍ୱାରା ତାଙ୍କ ସ୍ନାୟୁରୋଗର ଚିକିତ୍ସା କେତେ ଲାଭପ୍ରଦ ହେବ!
ସେ ଗାଁକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଭଉଣୀ କହିଥିଲେ, “ସେଠାକୁ ଯାଇ ତୁମେ ଏକୁଟିଆ ରହିବ, କାହାସହ କଥା ହେବନାହିଁ। ଏହାଦ୍ୱାରା ତୁମର ସ୍ନାୟୁରୋଗ ଆହୁରି ବଢ଼ିଯିବ। ତେଣୁ ସେଠାରେ ମୁଁ ଯେଉଁମାନଙ୍କୁ ଜାଣେ, ସେମାନଙ୍କ ପାଖକୁ ତୁମ ପରିଚୟପତ୍ର ଦେଇ ପଠାଇବି। ସେମାନଙ୍କ ମଧ୍ୟରୁ କେତେଜଣ ବେଶ୍ ଭଲଲୋକ।”
ଶ୍ରୀମତୀ ସାପଲଟନ୍ ସେହି ଭଲ ଲୋକଙ୍କ ତାଲିକାରେ ପଡୁଛନ୍ତି କି ନାହିଁ, ନଟେଲ୍ ଭାବୁଥିଲେ।

ଆହୁରି ପଢ଼ନ୍ତୁ- Hindu Voters: ଭୋଟର ତାଲିକାରୁ ୧.୨୭ ହିନ୍ଦୁଙ୍କ ନାଁ କଟିବା ନେଇ ଯୋଗୀଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ କପିଲ ସିବଲ

କିଛି ସମୟ ନିରବରେ ବସିବା ପରେ ଝିଅଟି ପଚାରିଲା, “ଆପଣ ଏଠାକାର ଅନେକ ଲୋକଙ୍କୁ ଜାଣନ୍ତି କି?”
“ନା, ପ୍ରାୟତଃ କାହାକୁ ନୁହେଁ। ଚାରିବର୍ଷ ତଳେ ମୋ ଭଉଣୀ ଏଠାକାର ପାଦ୍ରୀଙ୍କ ଘରେ ରହିଥିଲା। ସେ ମୋତେ କିଛି ଲୋକଙ୍କ ଠିକଣା ଦେଇଛି,” ନଟେଲ୍ କହିଲେ।
“ତା’ ହେଲେ ଆପଣ ମୋ ମାଉସୀଙ୍କ ବିଷୟରେ ପ୍ରାୟ କିଛି ଜାଣନ୍ତି ନାହିଁ?”
“କେବଳ ତାଙ୍କ ନାଁ ଓ ଠିକଣା ଜାଣିଛି।”

ନଟେଲ୍ ମନେ ମନେ ଭାବୁଥିଲେ, ଶ୍ରୀମତୀ ସାପଲଟନ୍ ବିବାହିତା ନା ବିଧବା। ଘରର ପରିବେଶରୁ ଜଣେ ପୁରୁଷର ଉପସ୍ଥିତି ଆଭାସ ମିଳୁଥିଲା।
“ଠିକ୍ ତିନିବର୍ଷ ତଳେ ମୋ ମାଉସୀଙ୍କ ଜୀବନରେ ଏକ ଭୟଙ୍କର ଘଟଣା ଘଟିଥିଲା,” ଝିଅଟି କହିଲା।
“କେଉଁ ଘଟଣା?”

ଝିଅଟି କହିଲା, “ଅକ୍‌ଟୋବର ମାସର ଏପରି ଏକ ଅପରାହ୍‌ଣରେ ଆମେ ଏହି ଝରକାଟିକୁ ଖୋଲାରଖିଛୁ କାହିଁକି ବୋଲି ଆପଣ ନିଶ୍ଚୟ ଭାବୁଥିବେ।”
“ପାଗ ମଧ୍ୟ ଟିକେ ଗରମ ଅଛି। କିନ୍ତୁ ଝରକାର ସେହି ଘଟଣା ସହ କ’ଣ ସମ୍ପର୍କ?” ନଟେଲ୍ ପଚାରିଲେ।
“ଠିକ୍ ତିନି ବର୍ଷ ତଳେ ଆଜିର ଦିନରେ ମୋ ମାଉସୀଙ୍କ ସ୍ୱାମୀ ଓ ତାଙ୍କର ଦୁଇ ସାନଭାଇ ଏହି ଝରକା ଦେଇ ଶିକାର କରିବାକୁ ଯାଇଥିଲେ। ସେମାନେ ଆଉ ଫେରିଲେ ନାହିଁ। ରାସ୍ତାରେ ଗୋଟିଏ ପଙ୍କୁଆ ଜାଗାରେ ତିନିଜଣଯାକ ଦବିଗଲେ। ସେମାନଙ୍କ ମୃତଦେହ ମଧ୍ୟ ମିଳିଲା ନାହିଁ।” ଝିଅଟିର ସ୍ୱର ଦୁଃଖରେ ଭରିଗଲା।
“ମୋ ମାଉସୀ ବିଚାରୀ ଏବେ ବି ଭାବନ୍ତି, ଦିନେ ସେମାନେ ଫେରିଆସିବେ। ସେମାନଙ୍କ ସହ ସେହି ଛୋଟ ମାଟିଆ ରଙ୍ଗର କୁକୁରଟି ମଧ୍ୟ ଆସିବ। ସେମାନେ ପୁରୁଣାଦିନ ପରି ଏହି ଝରକା ଦେଇ ଘରକୁ ପଶିଆସିବେ। ସେଥିପାଇଁ ପ୍ରତି ସନ୍ଧ୍ୟାରେ ଅନ୍ଧାର ନ ହେବା ପର୍ଯ୍ୟନ୍ତ ଝରକାଟି ଖୋଲା ରଖାଯାଏ।”

ସେ ଆହୁରି କହିଲା, “ମାଉସୀ କହନ୍ତି, ସେଦିନ ତାଙ୍କ ସ୍ୱାମୀ ଧଳା କୋଟ୍‌ଟିକୁ ହାତରେ ଧରି ଯାଇଥିଲେ। ତାଙ୍କ ସାନଭାଇ ରନି ଯିବାବେଳେ ସବୁଦିନ ପରି ଗାଉଥିଲା- ‘ବର୍ଟି, ତୁ କାହିଁକି ଏମିତି ଡେଇଁ ଡେଇଁ ଯାଉଛୁ?’ ମାଉସୀଙ୍କୁ ଏହି ଗୀତ ଭଲ ଲାଗୁନଥିବାରୁ ସେ ତାଙ୍କୁ ଚିଡ଼ାଉଥିଲା। ଜାଣନ୍ତି, ଏପରି ଶାନ୍ତ ସନ୍ଧ୍ୟାରେ ମୋତେ ମଧ୍ୟ ଭୟ ଲାଗେ…”
ଝିଅଟିର ଦେହ ଭୟରେ ଶିହରି ଉଠିଲା।

ଆହୁରି ପଢ଼ନ୍ତୁ- Pakistan vs India U19: ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ, ଭାରତୀୟ ଖେଳାଳି ଚାମ୍ପିଅନ

ଠିକ୍ ସେତିକିବେଳେ ତାର ମାଉସୀ ରୁମ୍‌କୁ ପଶିଆସିଲେ। ବିଳମ୍ବ ହେତୁ ସେ କ୍ଷମା ମାଗିଲେ।
“ଆଶା କରୁଛି, ଭେରା ସହ କଥାବାର୍ତ୍ତା କରି ତୁମର ଭଲ ସମୟ କଟିଥିବ,” ସେ କହିଲେ।
“ହଁ, ତା’ ସହ କଥା ହୋଇ ବେଶ୍ ଭଲ ଲାଗିଲା,” ଫ୍ରାମଟନ୍ ଉତ୍ତର ଦେଲେ।
“ଏହି ଖୋଲା ଝରକା ପାଇଁ ଆପଣଙ୍କର କିଛି ଅସୁବିଧା ହେଉନାହିଁ ତ? ମୋ ସ୍ୱାମୀ ଓ ଭାଇମାନେ ଏବେ ଶିକାରରୁ ଫେରିବେ। ସେମାନେ ସବୁବେଳେ ଏହି ଝରକା ଦେଇ ଘରକୁ ପଶନ୍ତି। ଆଜି କାଦୁଆ ପଡ଼ିଆରେ ଶିକାର କରିବାକୁ ଯାଇଛନ୍ତି। ମୋ କାର୍ପେଟ୍‌ଗୁଡ଼ିକୁ ସେ କାଦୁଅରେ ମଇଳା କରିଦେବେ!” ସେ ହସି ହସି କହିଲେ।
ସେ ଶିକାର ଓ ପକ୍ଷୀଙ୍କ ବିଷୟରେ ଗପିଚାଲିଲେ। ନଟେଲ୍‌ଙ୍କ ପାଇଁ ଏସବୁ କଥା ଅସହ୍ୟ ହୋଇପଡୁଥିଲା। ସେ ଆଲୋଚନାକୁ ଅନ୍ୟ ଆଡ଼କୁ ନେବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ଲାଗୁଥିଲା, ଶ୍ରୀମତୀ ସାପଲଟନ୍ ତାଙ୍କ କଥା ଶୁଣୁନାହାନ୍ତି।

ଏହି ଭୟଙ୍କର ଘଟଣାର ବାର୍ଷିକୀ ଦିନରେ ସେ ଏଠାକୁ ଆସିଥିବା ନିଶ୍ଚୟ ଏକ ଦୁର୍ଭାଗ୍ୟଜନକ ସଂଯୋଗ ଥିଲା।
“ଡାକ୍ତରମାନେ ମୋତେ ପୂରା ବିଶ୍ରାମ ନେବାକୁ, ମାନସିକ ଉତ୍ତେଜନାରୁ ଦୂରେଇ ରହିବାକୁ ଓ ଅଧିକ ଶାରୀରିକ ପରିଶ୍ରମ ନ କରିବାକୁ କହିଛନ୍ତି,” ନଟେଲ୍ କହିଲେ। ଅଜଣା ଲୋକମାନେ ମଧ୍ୟ ନିଜ ରୋଗ ବିଷୟରେ ସବୁକିଛି ଶୁଣିବାକୁ ଆଗ୍ରହୀ ବୋଲି ସେ ଭାବୁଥିଲେ।
“ଆଚ୍ଛା!” ଶ୍ରୀମତୀ ସାପଲଟନ୍ କହିଲେ। ହଠାତ୍ ସେ ଉତ୍ସାହରେ ଚିତ୍କାର କଲେ, “ସେମାନେ ଆସିଗଲେ! ଠିକ୍ ଚା ପିଇବା ସମୟରେ। ଦେଖନ୍ତୁ ତ, ସେମାନଙ୍କ ଦେହରେ କେତେ କାଦୁଅ ଲାଗିଛି!”

ନଟେଲ୍ ଥରି ଉଠିଲେ। ଝିଅଟି ଆଡ଼କୁ ଚାହିଁଲେ, କିନ୍ତୁ ସେ ଖୋଲା ଝରକା ବାହାରକୁ ଆତଙ୍କିତ ହୋଇ ଚାହିଁ ରହିଥିଲା।
ନଟେଲ୍ ହଠାତ୍ ଘୂରିପଡ଼ି ସେହି ଦିଗକୁ ଚାହିଁଲେ।

ସନ୍ଧ୍ୟାର ଅନ୍ଧାର ଘନେଇ ଆସୁଥିଲା। ସେହି ଅନ୍ଧାର ଭିତରେ ତିନିଟି ଛାୟାମୂର୍ତ୍ତି ଘାସ ପଡ଼ିଆ ଅତିକ୍ରମ କରି ଝରକା ଆଡ଼କୁ ଅଗ୍ରସର ହେଉଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଜଣଙ୍କ କାନ୍ଧରେ ଝୁଲୁଥିଲା ଏକ ଧଳା କୋଟ୍। ପଛେ ପଛେ ଚାଲୁଥିଲା ଗୋଟିଏ କ୍ଳାନ୍ତ ମାଟିଆ କୁକୁର।
ସେମାନେ ଘର ପାଖରେ ପହଞ୍ଚିବା ମାତ୍ରେ ଜଣେ ଯୁବକର ସ୍ୱର ଶୁଭିଲା- “ମୁଁ କହିଥିଲି ପରା, ବର୍ଟି, ତୁ କାହିଁକି ଏମିତି ଡେଇଁ ଡେଇଁ ଯାଉଛୁ?”

ଆହୁରି ପଢ଼ନ୍ତୁ- Pakistan vs India U19: ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ, ଭାରତୀୟ ଖେଳାଳି ଚାମ୍ପିଅନ

ନଟେଲ୍ ଆଉ ନିଜକୁ ସମ୍ଭାଳି ପାରିଲେନାହିଁ। ସେ ତରବରିଆ ଭାବରେ ନିଜ ବାଡ଼ି ଓ ଟୋପି ଧରି ଉଠିପଡ଼ିଲେ ଏବଂ ଦୌଡ଼ିବାକୁ ଲାଗିଲେ। ଧଳା କୋଟ୍ ଧରିଥିବା ବ୍ୟକ୍ତିଜଣକ ଝରକା ଦେଇ ଘରକୁ ପଶି କହିଲେ, “ଆମେ ଆସିଗଲୁ, ପ୍ରିୟେ! ଆମ ଦେହରେ କାଦୁଅ ଲାଗିଛି ନିଶ୍ଚୟ, କିନ୍ତୁ ଅଧିକାଂଶ ଶୁଖିଯାଇଛି। କିନ୍ତୁ ଆମେ ଆସୁଥିବା ବେଳେ ସେହି ଲୋକଟି କିଏ ଯିଏ ଦୌଡ଼ି ପଳାଇଲା?”

“ଜଣେ ଅଦ୍ଭୁତ ଲୋକ, ଶ୍ରୀଯୁକ୍ତ ନଟେଲ୍! କେବଳ ନିଜ ରୋଗ ବିଷୟରେ ଗପୁଥିଲେ। ତୁମେମାନେ ଆସିବା ମାତ୍ରେ ବିଦାୟ ନ ଜଣାଇ ଦୌଡ଼ି ପଳାଇଲେ। ତାଙ୍କୁ ଦେଖି ଲାଗୁଥିଲା, ଯେପରି ସେ ଭୂତ ଦେଖିଛନ୍ତି!” ଶ୍ରୀମତୀ ସାପଲଟନ୍ କହିଲେ।
“ମୋର ମନେହୁଏ, କୁକୁରଟିକୁ ଦେଖି ସେ ଡରିଯାଇଥିବେ” ଭେରା ଶାନ୍ତ ଭାବରେ କହିଲା।
“ସେ ମୋତେ କହିଥିଲେ, କୁକୁରକୁ ତାଙ୍କର ପ୍ରାଣର ଭୟ। ଗଙ୍ଗା ନଦୀ କୂଳରେ ଦିନେ ଦଳେ ବୁଲା କୁକୁର ତାଙ୍କୁ ଗୋଡ଼ାଇଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ଗୋଟିଏ ନୂଆକରି ଖୋଳାଯାଇଥିବା କବର ଭିତରେ ରାତିସାରା ଲୁଚି ରହିଥିଲେ। କୁକୁରଗୁଡ଼ିକ କବର ଉପରେ ଠିଆ ହୋଇ ଦାନ୍ତ ଦେଖାଇ ଗର୍ଜନ କରୁଥିଲେ, ସେମାନଙ୍କ ପାଟିରୁ ଫେଣ ମଧ୍ୟ ବାହାରୁଥିଲା। ଏପରି ଘଟଣା ପରେ କାହାର ମନରୁ ବା ଭୟ ଦୂର ହେବ!” ଭେରା ସ୍ୱାଭାବିକ ଭାବରେ କଥାଟି ଶେଷ କଲା। 
ଅଳ୍ପ ସମୟ ଭିତରେ ମନଗଢ଼ା କାହାଣୀ ରଚିବା ହିଁ ଥିଲା ତାର ବିଶେଷ ପାରଦର୍ଶିତା। 

ମୋ: ୭୬୮୪୮୨୨୭୮୦

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.